Himalayan glaciers melting: ନେପାଳରେ ସମ୍ପ୍ରତି ଘଟିଥିବା ଗ୍ଲେସିୟର ଦୁର୍ଘଟଣା ପରେ ହିମାଳୟରେ ଦ୍ରୁତ ବଦଳୁଥିବା ପରିସ୍ଥିତିକୁ ନେଇ ଚିନ୍ତା ପୁଣି ବଢ଼ିଛି। ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ହିମାଳୟର ଗ୍ଲେସିୟରଗୁଡ଼ିକ ତରଳିବାର ଗତି କ୍ରମାଗତ ଭାବେ ବଢ଼ୁଛି। ଜାତିସଂଘର ତଥ୍ୟ ଅନୁସାରେ, ଗତ ୩୦ରୁ ଅଧିକ ବର୍ଷ ମଧ୍ୟରେ ନେପାଳ ନିଜର ପ୍ରାୟ ଏକ-ତୃତୀୟାଂଶ ବରଫ ହରାଇଛି। ଅର୍ଥାତ୍ ପାହାଡ଼ିଆ ଅଞ୍ଚଳରେ ଥିବା ମୋଟ ବରଫ ଭଣ୍ଡାରରେ ପ୍ରାୟ ଏକ-ତୃତୀୟାଂଶ ହ୍ରାସ ଘଟିଛି।

ଜାତିସଂଘର ଆକଳନ ଅନୁସାରେ, ନେପାଳର ଗ୍ଲେସିୟରଗୁଡ଼ିକ ପୂର୍ବ ଦଶନ୍ଧି ତୁଳନାରେ ପରବର୍ତ୍ତୀ ଦଶନ୍ଧିରେ ପ୍ରାୟ ୬୫ ପ୍ରତିଶତ ଅଧିକ ଦ୍ରୁତ ଗତିରେ ତରଳିଛି। ଏହାର ପ୍ରଭାବ କେବଳ ନେପାଳ କିମ୍ବା ହିମାଳୟରେ ସୀମିତ ରହିବ ନାହିଁ, ଭାରତ ବି ଏହାର ପ୍ରଳୟକୁ ସାମ୍ନା କରିପାରେ। ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀର ଜଳପ୍ରବାହ ହିମାଳୟର ଗ୍ଲେସିୟର ଓ ବରଫ ସହ ଜଡ଼ିତ ଥିବାରୁ ଏହାର ପ୍ରଭାବ ଭାରତର ଅନେକ ରାଜ୍ୟରେ ପଡ଼ିପାରେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ରୁତ ଗତିରେ ବରଫ ତରଳିବା ଯୋଗୁ କିଛି ଅଞ୍ଚଳରେ ନଦୀରେ ହଠାତ୍ ଅଧିକ ପାଣି ଆସିବା ସହ ବନ୍ୟା ବିପଦ ବଢ଼ିପାରେ। କିନ୍ତୁ ଦୀର୍ଘମିଆଦରେ ଗ୍ଲେସିୟରଗୁଡ଼ିକ ଛୋଟ ହୋଇଗଲେ ଗ୍ରୀଷ୍ମ ଋତୁରେ ନଦୀଗୁଡ଼ିକୁ ମିଳୁଥିବା ଜଳର ପରିମାଣ ହ୍ରାସ ପାଇପାରେ।

ହିମାଳୟ ଗରମ ହେଲେ ଭାରତ ପାଇଁ କଣ ବଦଳିବ?

ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧିର ଗତି ବିଶ୍ୱର ହାରାହାରି ବୃଦ୍ଧି ତୁଳନାରେ ପ୍ରାୟ ଦୁଇଗୁଣ ବୋଲି କୁହାଯାଉଛି। ବଢ଼ୁଥିବା ତାପମାତ୍ରା ଗ୍ଲେସିୟରଗୁଡ଼ିକୁ ପଛକୁ ଠେଲୁଥିବା ବେଳେ ପାହାଡ଼ର ସ୍ଥିରତାକୁ ମଧ୍ୟ ପ୍ରଭାବିତ କରୁଛି। ପର୍ମାଫ୍ରଷ୍ଟ ଅର୍ଥାତ୍ ବର୍ଷସାରା ଜମି ରହୁଥିବା ମାଟି ଓ ବରଫ ପାହାଡ଼ର ଚଟାଣ ଏବଂ କିଛି ଗ୍ଲେସିୟରକୁ ସ୍ଥିର ରଖିବାରେ ‘ଅଠା ଭଳି କାମ କରେ। ଏହା ଦୁର୍ବଳ ହେଲେ ଭୂସ୍ଖଳନ, ବରଫ ଖସିବା ଏବଂ ହଠାତ୍ ବନ୍ୟା ଭଳି ବିପଦ ବଢ଼ିପାରେ।

ଭାରତରେ ଏହାର ପ୍ରଥମ ପ୍ରଭାବ ହିମାଳୟକୁ ଛୁଇଁଥିବା ରାଜ୍ୟଗୁଡ଼ିକରେ ଦେଖାଯାଇପାରେ। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗ୍ଲେସିୟର ପଛକୁ ହଟିବା ଏବଂ ଗ୍ଲେସିୟାଲ୍ ହ୍ରଦର ଆକାର ବଢ଼ିବା ଯୋଗୁ ହଠାତ୍ ବନ୍ୟା ଓ ଭୂସ୍ଖଳନର ଆଶଙ୍କା ବଢ଼ିପାରେ। ସେହିପରି ସିକ୍କିମ ଓ ଅରୁଣାଚଳ ପ୍ରଦେଶ ଭଳି ପୂର୍ବ ହିମାଳୟ ଅଞ୍ଚଳରେ ମଧ୍ୟ ଗ୍ଲେସିୟାଲ୍ ହ୍ରଦ ଏବଂ ପ୍ରବଳ ବର୍ଷା ସହ ଜଡ଼ିତ ବିପଦ ବଢ଼ିପାରେ।

Also Read- ଜାତୀୟ ରାଜଧାନୀରେ ବଢୁଛି ସ୍ୱାଇନଫ୍ଲୁ ମାମଲା, ୧୭ ଦିନରେ ଦିଲ୍ଲୀରେ ୧୨୬୮ କେସ୍

ଗଙ୍ଗା-ବ୍ରହ୍ମପୁତ୍ରର ଗ୍ଲେସିୟର ୩୫ରୁ ୪୫% କମିଲେ କ’ଣ ହେବ?

ପୁରୁଣା ବୈଜ୍ଞାନିକ ଆକଳନଗୁଡ଼ିକ ହିମାଳୟ ଗ୍ଲେସିୟରର ଭବିଷ୍ୟତକୁ ନେଇ ଚିନ୍ତାଜନକ ଚିତ୍ର ଦେଖାଉଛି। Grida.no ଅନୁସାରେ, ୨୦୫୦ ସୁଦ୍ଧା ଗଙ୍ଗା ଓ ବ୍ରହ୍ମପୁତ୍ର ବେସିନ୍ରେ ଗ୍ଲେସିୟର ଅଞ୍ଚଳ ପ୍ରାୟ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ସେହିପରି ସିନ୍ଧୁ ବେସିନ୍ରେ ଏହି ହ୍ରାସ ପ୍ରାୟ ୨୦ରୁ ୨୮ ପ୍ରତିଶତ ହୋଇପାରେ।

ଗଙ୍ଗା-ବ୍ରହ୍ମପୁତ୍ର ବେସିନ୍ର ଗ୍ଲେସିୟର ସଙ୍କୁଚିତ ହେବାର ପ୍ରଭାବ କେବଳ ପାହାଡ଼ ଅଞ୍ଚଳରେ ରହିବ ନାହିଁ। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଭଳି ଗଙ୍ଗା ଅବବାହିକାର ରାଜ୍ୟଗୁଡ଼ିକରେ ନଦୀର ଜଳପ୍ରବାହ, କୃଷି ଓ ବନ୍ୟାର ଧାରା ଉପରେ ଦୀର୍ଘମିଆଦୀ ପ୍ରଭାବ ପଡ଼ିପାରେ। ଅନ୍ୟପଟେ ବ୍ରହ୍ମପୁତ୍ର ବେସିନ୍ରେ ଅରୁଣାଚଳ ପ୍ରଦେଶ ଓ ଆସାମ ବିଶେଷ ଭାବେ ସମ୍ବେଦନଶୀଳ ରହିପାରନ୍ତି।

ପ୍ରଥମେ ବନ୍ୟା, ପରେ ଜଳ ସଙ୍କଟର ଚିନ୍ତା

ଗ୍ଲେସିୟର ଦ୍ରୁତ ଗତିରେ ତରଳିବା ଯୋଗୁ ପ୍ରଥମ ପର୍ଯ୍ୟାୟରେ ନଦୀଗୁଡ଼ିକରେ ଅଧିକ ପାଣି ପହଞ୍ଚିପାରେ। ଏହା ସହ ଗ୍ଲେସିୟାଲ୍ ହ୍ରଦର ଆକାର ବଢ଼ିବାରୁ ଗ୍ଲୋଫ୍ ଅର୍ଥାତ୍ ଗ୍ଲେସିୟାଲ୍ ହ୍ରଦ ଫାଟି ହଠାତ୍ ବନ୍ୟା ଆସିବାର ବିପଦ ମଧ୍ୟ ବଢ଼ିପାରେ।

ହିମାଳୟରେ କୌଣସି ହ୍ରଦର ପ୍ରାକୃତିକ ବରଫ କିମ୍ବା ମାଟି-ପଥରର ବନ୍ଧ ଭାଙ୍ଗିଗଲେ ହଠାତ୍ ବିପୁଳ ପରିମାଣର ପାଣି ତଳକୁ ପ୍ରବାହିତ ହୋଇପାରେ। ଏହା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆସାମ ଭଳି ରାଜ୍ୟରେ ବନ୍ୟା, ପୋଲ ଓ ରାସ୍ତା ନଷ୍ଟ ହେବା ସହ ନଦୀକୂଳରେ ଥିବା ଜନବସତି ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ଏହାର ପ୍ରଭାବ ତଳମୁହାଁ ମୈଦାନୀ ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ।

ଦୀର୍ଘମିଆଦରେ ବଦଳିପାରେ ପୂରା ଚିତ୍ର

ସବୁଠାରୁ ବଡ଼ ଚିନ୍ତା ହେଉଛି, ଗ୍ଲେସିୟରଗୁଡ଼ିକ କ୍ରମାଗତ ଭାବେ ଛୋଟ ହୋଇଚାଲିଲେ ଦୀର୍ଘମିଆଦରେ ନଦୀଗୁଡ଼ିକ ପାଇଁ ମଧ୍ୟ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ। ପ୍ରାରମ୍ଭିକ ସମୟରେ ଅଧିକ ବରଫ ତରଳିବା ଯୋଗୁ ନଦୀରେ ପାଣି ବଢ଼ିପାରେ। କିନ୍ତୁ ଗ୍ଲେସିୟରର ଆକାର କ୍ରମାଗତ ଭାବେ କମିବା ପରେ ଗ୍ରୀଷ୍ମ ଋତୁରେ ସେଥିରୁ ନଦୀକୁ ମିଳୁଥିବା ପାଣି ହ୍ରାସ ପାଇପାରେ।

ଏହାର ପ୍ରଭାବ ଗଙ୍ଗା-ବ୍ରହ୍ମପୁତ୍ର ବେସିନ୍ର କୃଷି, ପାନୀୟ ଜଳ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ପଡ଼ିପାରେ। ବିଶେଷ କରି ଗ୍ରୀଷ୍ମ ସମୟରେ ହିମାଳୟ ସହ ଜଡ଼ିତ ନଦୀର ପାଣି ଉପରେ ଅଧିକ ନିର୍ଭରଶୀଳ ଅଞ୍ଚଳଗୁଡ଼ିକ ଏଥିରେ ଅଧିକ ପ୍ରଭାବିତ ହୋଇପାରନ୍ତି।

Also Read- ହିମାଚଳ ପ୍ରଦେଶ କୁଲ୍ଲୁରେ ବ୍ରେକ ଫେଲ ହୋଇ ପାହାଡ ସହ ଧକ୍କା ଲାଗିଲା ବସ୍, ୪୦ ଯାତ୍ରୀ ଆହତ

୨୦୫୦ ପରେ ଭାରତ ସାମ୍ନାରେ ଦୁଇଗୁଣ ଚ୍ୟାଲେଞ୍ଜ

Grida.noର ୨୦୧୫ ମସିହାର ଏକ ଆକଳନ ଅନୁସାରେ, ଏଭରେଷ୍ଟ ଅଞ୍ଚଳର ଦୁଧ କୋଶୀ ନଦୀ ଅବବାହିକା ମଧ୍ୟ କମ୍ ନିର୍ଗମନ ପରିସ୍ଥିତିରେ ୨୦୫୦ ସୁଦ୍ଧା ହାରାହାରି ପ୍ରାୟ ୩୯ ପ୍ରତିଶତ ବରଫ ନଷ୍ଟ ହୋଇପାରେ। ୨୧୦୦ ସୁଦ୍ଧା ଏହି କ୍ଷତି ପ୍ରାୟ ୮୩ ପ୍ରତିଶତରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଥିଲା।

ତେଣୁ ହିମାଳୟ ଗ୍ଲେସିୟରର ସଙ୍କୁଚନ ଭାରତ ପାଇଁ କେବଳ ପରିବେଶ ସମସ୍ୟା ନୁହେଁ। ଆଗାମୀ ଦଶନ୍ଧିଗୁଡ଼ିକରେ ବନ୍ୟା ପରିଚାଳନା, କୃଷି, ପାନୀୟ ଜଳ, ବିଦ୍ୟୁତ୍ ଉତ୍ପାଦନ ଏବଂ ନଦୀ ଉପରେ ନିର୍ଭରଶୀଳ ଅର୍ଥନୀତି ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ଗୋଟିଏ ପଟେ ହିମାଳୟ ରାଜ୍ୟଗୁଡ଼ିକରେ ହଠାତ୍ ବନ୍ୟା ଓ ଗ୍ଲୋଫର ବିପଦ ବଢ଼ିବା ଭୟ ରହିଥିବା ବେଳେ ଅନ୍ୟପଟେ ଦୀର୍ଘଦିନ ଧରି ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀର ଜଳ ଉପରେ ଚାପ ବଢ଼ିପାରେ। ହିମାଳୟର ତରଳୁଥିବା ଗ୍ଲେସିୟର ଭାରତ ପାଇଁ ଏହି ଦୁଇମୁହାଁ ବିପଦ ହିଁ ସବୁଠାରୁ ବଡ଼ ଚିନ୍ତାର କାରଣ।