ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ୨୦୨୫ ଡିସେମ୍ବର ୬ ତାରିଖରେ ଗଠିତ ହୋଇଥିଲା ଏବଂ ୨୦୨୬ ଫେବୃଆରୀ ୩ ତାରିଖରେ ପୁର୍ନଗଠିତ ହୋଇଥିଲା । ସୋମବାର ଏହି କମିଟି ତା’ର ରିପୋର୍ଟ ପ୍ରଦାନ କରିଛି । ଏହି ସୁପାରିଶ ଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକର ସୂଚନା ଅନୁଯାୟୀ ଏହି କମିଟି ନିକଟରେ ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକମାନଙ୍କର ୧୦୪ଟି ସଂଘ କମିଟିକୁ ଭେଟିଛନ୍ତି । କମିଟି ଏହି ଦାବୀ ସମ୍ପର୍କରେ ୯୦ଟି ବୈଠକ ଅନୁଷ୍ଠିତ କରିଛନ୍ତି ଏବଂ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରିଛନ୍ତି।

ବୈଠକରେ କମିଟିର ବିଭିନ୍ନ ସୁପାରିଶ ସମ୍ପର୍କରେ ଅଧ୍ୟକ୍ଷ ଅଶୋକ ତ୍ରିପାଠୀ ଏବଂ ସହ-ଅଧ୍ୟକ୍ଷ ସୁଦର୍ଶନ ନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ଏବଂ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ । କମିଟିର ଅନ୍ୟ ସଦସ୍ୟ ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Also Read: ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ, ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ

ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖି କହିଛନ୍ତି, ହାଇଲେବଲ ଏକ୍ସପର୍ଟ କମିଟିର ରିପୋର୍ଟ ଦେଖିଲେ ମୁଖ୍ୟମନ୍ତ୍ରୀ। କେଉଁ ଦାବି ଗୁଡ଼ିକୁ ଗୁରୁତ୍ୱ ଦେଇ ପ୍ରଦାନ କରାଯିବ ସେନେଇ ବି କମିଟି ପକ୍ଷରୁ ଅବଗତ କରାଗଲା । ଏହାକୁ ଅନୁଧ୍ୟାନ କରି ଆଗାମୀ ସମୟରେ ପଦକ୍ଷେପ ନିଆଯିବ। ବିଭିନ୍ନ ଦିଗକୁ ତର୍ଜମା କରି ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେଇଥିଲା କମିଟି। ୧୦୪ ଶିକ୍ଷକ ସଂଘଙ୍କୁ ଭେଟି ସେମାନଙ୍କ ଦାବି ମୁତାବକ ୮୦ ଟି ପ୍ରସ୍ତାବ ଦେଇଥିଲା କମିଟି । କମିଟି କେଇଁ ଆଧାରରେ ପ୍ରସ୍ତାବ ଦେଇଛନ୍ତି,କେଉଁ ଦାବିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇ ପୂରଣ କରାଯିବ ସେ ନେଇ ଜଣାଇଥିଲେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥଲେ। ରିପୋର୍ଟ ନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ। ସରକାର ସକାରାତ୍ମକ ଅଛନ୍ତି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।