ପୁରୀ: ସରିଲା ରତ୍ନଭଣ୍ଡାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ବୈଠକ। ଶନିବାର ଏ ପ୍ରସଙ୍ଗରେ ବସିଥିବା ବୈଠକରେ ରଥଯାତ୍ରା ପୂର୍ବରୁ ରତ୍ନ ଅଳଙ୍କାରର ଗଣତି ମଣତି ଆରମ୍ଭ ହବା ନେଇ ନିଷ୍ପତ୍ତି ହୋଇଛି। ବୈଠକ ପରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନ ଅଳଙ୍କାରର ଗଣତି ମଣତି ନେଇ ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ତିନୋଟି ପର୍ଯ୍ୟାୟରେ ଗଣତି ମଣତି କରାଯିବ। ପ୍ରଥମେ ଚଳନ୍ତି ଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି କରାଯିବ। ପରେ ବାହାର ରତ୍ନଭଣ୍ଡାର ଓ ଶେଷରେ ଭିତର ରତ୍ନଭଣ୍ଡାରର ଗଣତି ମଣତି କରାଯିବ। ପରିଚାଳନା କମିଟିରେ ମାର୍ଗଦର୍ଶିକା ଉପସ୍ଥାପିତ କରାଯିବ। ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।