କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନିମନ୍ତେ ହାଇକୋର୍ଟରେ ରୁଜୁ PIL ଖାରଜ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ ୨୮।୩: କଥିତ ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଇଡି ରିମାଣ୍ଡରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟାଇବା ଦାବିରେ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ (ପିଆଇଏଲ) ମାମଲା ଗୁରୁବାର ଅଗ୍ରାହ୍ୟ ହୋଇଯାଇଛି। ପିଆଇଏଲର ଶୁଣାଣି କାଳରେ କୋର୍ଟ ଆବେଦନକାରୀ ଓକିଲଙ୍କୁ ‘ଏଥିରେ କୌଣସି ଆଇନଗତ ମନା’ ଅଛି କି ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ଏଥିରେ ନ୍ୟାୟିକ ଦଖଲର କୌଣସି ଆବଶ୍ୟକତା ନଥିବା କୋର୍ଟ କହିଥିଲେ। ଯଦି କୌଣସି ସାମ୍ବିଧାନିକ ବିଫଳତା ଦେଖା ଦିଏ ତେବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଏ ନେଇ ନିଷ୍ପତ୍ତି ନେବେ। ତାଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ପଦକ୍ଷେପ  ଗ୍ରହଣ କରିବେ ବୋଲି କହିଛନ୍ତି।

କୋର୍ଟ କହିଛନ୍ତି ଯେ ଆମେ ଏ ସମ୍ପର୍କରେ ଦିଲ୍ଲୀ ଏଲଜିଙ୍କ ବୟାନ ସମ୍ବାଦପତ୍ରରୁ ପଢିଛୁ। ଏଥିରୁ ଜଣା ପଡୁଛି ମାମଲା ତାଙ୍କ ସଂଜ୍ଞାନରେ ଅଛି। ଏଣୁ ଏବେ ଏହି ମାମଲାକୁ ତାଙ୍କ ଉପରେ ନ୍ୟସ୍ତ କରାଯାଉ। ରାଷ୍ଟ୍ରପତିଙ୍କ ଶାସନ ଜାରି ନିମନ୍ତେ କୋର୍ଟ ଆଦେଶ ଦିଅନ୍ତି ନାହିଁ। ଆମେ ପିଟିସନରେ ଅଣାଯାଇଥିବା ଅଭିଯୋଗ ଉପରେ କୌଣସି ମନ୍ତବ୍ୟ କରିବୁ ନାହିଁ। ତେବେ ଏ ବିଷୟ ଏପରି ନୁହେଁ ଯେ ଏହା ଉପରେ କୋର୍ଟ ଆଦେଶ ଦେବେ ବୋଲି କୋର୍ଟ କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ କେଜରିୱାଲ ମଙ୍ଗଳବାର ଇଡି ହାଜତରୁ ତାଙ୍କର ଦ୍ୱିତୀୟ ଆଦେଶ ଜାରି କରିଥିଲେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ସବୁ ସରକାରୀ ହସ୍ପିଟାଲ ଓ ମହଲା କ୍ଲିନିକରେ ଯେପରି ଯେଞ୍ଚ ବ୍ୟବସ୍ଥା ଏବଂ ଔଷଧ ଲୋକଙ୍କ ନିମନ୍ତେ ଉପଲବ୍ଧ ରହେ ତାହା ସୁନିଶ୍ଚିତ କରିବାକୁ କହିଥିଲେ। ମାର୍ଚ୍ଚ ୨୧ ତାରିଖ ଦିନ କେଜରିୱାଲଙ୍କ ଗିରଫ ପରେ ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ଅତିଶୀ କହିଥିଲେ ଯେ କେଜରିୱାଲ ମୁଖ୍ୟମନ୍ତ୍ରୀ ରହିବେ, ସେ ପଦରୁ ଇସ୍ତଫା ଦେବେ ନାହିଁ ଆବଶ୍ୟକ ପଡିଲେ ସେ ଜେଲରୁ ସରକାର ଚଳାଇବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.