ଭୁବନେଶ୍ବର: ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣକୁ ନେଇ ସାରା ଦେଶରେ ଆତଙ୍କର ମାହୋଲ ଖେଳିଯାଇଛି। ଲାଲକିଲ୍ଲା ନିକଟରେ ଏକ କାର୍‌ରେ ବିସ୍ଫୋରଣରେ ୧୦ ଜଣକ ମୃତ୍ୟୁ ହୋଇଥିବାବେଳେ, ୨୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପଟେ ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନ ସହ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। 

ଏହିକ୍ରମରେ ପୁରୀ ପାଇଁ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ହାଇ ଆଲର୍ଟ ଜାରି ହେବା ପରେ ଶ୍ରୀମନ୍ଦିର, ବଡ଼ଦାଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ। ସେହିଭଳି ଭୁବନେଶ୍ବର ବିମାନ ବନ୍ଦର, ରେଳ ଷ୍ଟେସନ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ସେପଟେ ହୀରାକୁଦରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଛି ପୋଲିସ।

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। 

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଓଡ଼ିଶାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି, ଓଡ଼ିଶାରେ ବାଲିଯାତ୍ରା ପରି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ରାଜ୍ୟର ପ୍ରମୁଖ ସହର ଏବଂ ବିଭିନ୍ନ ସମ୍ୱେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉକି, ସୋମବାର ସନ୍ଧ୍ୟା ପ୍ରାୟ ୬ଟା ୫୨ରେ ଲାଲକିଲ୍ଲା ନିକଟରେ ଏକ କାର୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଭୟଙ୍କର ବିସ୍ଫୋରଣ ପରେ କାର୍‌ଟି ସଂପୂର୍ଣ୍ଣ ଛିନ୍‌ଛତ୍ର ହୋଇଯାଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଆଉ ୮ ଗାଡ଼ି ସଂପୂର୍ଣ୍ଣ ପୋଡ଼ି ଯାଇଛି।ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ଫରେନସିକ୍‌ ଟିମ୍ ଯାଞ୍ଚ୍ ଆରମ୍ଭ କରିଛି। ସିଆରପିଏଫ ଡିଜି ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ଘଟଣାପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶକୁ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ ଘଟଣାକୁ ନେଇ ଦିଲ୍ଲୀ ସିପି, ଆଇବି ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଶାହ ଅମିତ ଶାହ। ଏହା ସହ ଏନଆଇ ଡିଜିଙ୍କୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି ଗୃହମନ୍ତ୍ରୀ।