ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପଦ୍ମ ପୁରସ୍କାର ୨୦୨୬ ସମାରୋହରେ ଧର୍ମେନ୍ଦ୍ରଙ୍କ ପାଇଁ ତାଙ୍କ ପତ୍ନୀ ହେମା ମାଳିନୀ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ସ୍ୱର୍ଗତ ସ୍ୱାମୀଙ୍କ ପାଇଁ ପୁରସ୍କାର ଗ୍ରହଣ କରିବା ସମୟରେ ହେମା ମାଳିନୀ ଭାବପ୍ରବଣ ହୋଇଥିଲେ । ତାଙ୍କ ଝିଅ ଆହାନା ମଧ୍ୟ ତାଙ୍କ ସ୍ୱାମୀ ବୈଭବ ଭୋରାଙ୍କ ସହିତ ଉପସ୍ଥିତ ଥିଲେ । ପୁରସ୍କାର ପ୍ରଦାନ ଉତ୍ସବରେ ହେମା ମାଳିନୀ ଗୋଲାପୀ ଶାଢ଼ି ପିନ୍ଧି ଆସିଥିଲେ । ଯେତେବେଳେ ସେ ପଦ୍ମଭୂଷଣ ଗ୍ରହଣ କରିବା ଲାଗି ରାଷ୍ଟ୍ରପତିଙ୍କ ନିକଟକୁ ଗଲେ, ସେହି ସମୟରେ ସେ ଭାବପ୍ରବଣ ହୋଇଗଲେ । ଧର୍ମେନ୍ଦ୍ରଙ୍କୁ ହରାଇବାର ଦୁଃଖ ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିବା ସମୟରେ ହେମା ନିଜ ଲୁହକୁ ରୋକିଥିଲେ । ସେପଟେ ଏହି ମୁହୂର୍ତ୍ତକୁ ଦେଖି ଝିଅ ଆହାନା ମଧ୍ୟ ନିଜ ଲୁହକୁ ରୋକିପାରିଲେ ନାହିଁ । ତାଙ୍କ ସ୍ୱାମୀ ତାଙ୍କୁ ସାନ୍ତ୍ୱନା ଦେଉଥିବାର ଦେଖାଯାଇଥିଲା ।

ଧର୍ମେନ୍ଦ୍ର ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ଇତିହାସର ସବୁଠାରୁ ବହୁମୁଖୀ ଏବଂ ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ । ସେ ବଲିଉଡର ହି-ମ୍ୟାନ୍ ଭାବରେ ଲୋକପ୍ରିୟ ଥିଲେ । ସେ ତାଙ୍କର ପ୍ରାୟ ୩୦୦ ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ସିନେମାରେ ଏକ ଅଲିଭା ଛାପ ଛାଡ଼ିଛନ୍ତି । ଧର୍ମେନ୍ଦ୍ରଙ୍କୁ ପୂର୍ବରୁ ୨୦୧୨ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।

କଳା କ୍ଷେତ୍ରରେ, କିମ୍ବଦନ୍ତୀ ମାଲାୟଲମ ଅଭିନେତା ମାମୁଟି, ପ୍ରଖ୍ୟାତ ଗାୟିକା ଅଳକା ୟାଗନିକ୍ ଏବଂ ବିଜ୍ଞାପନ ପ୍ରବୀଣ ପୀୟୁଷ ପାଣ୍ଡେ (ମରଣୋତ୍ତର)ଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ପୀୟୁଷ ପାଣ୍ଡେଙ୍କ ପତ୍ନୀ ନୀତା ପୁରସ୍କାର ଗ୍ରହଣ କରିଥିଲେ ।