ଭୁବନେଶ୍ବର: ଜଟିଳ ହେବାରେ ଲାଗିଛି ରାଜ୍ୟର ନୂଆ ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟା ବିବାଦ । ବୁଧବାର ସୁପ୍ରିମକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ଥିଲେ ହେଁ ତାହା ତାଲିକା ଭୁକ୍ତ ହୋଇପାରିନାହିଁ । ଅବଶ୍ୟ ପରବର୍ତ୍ତୀ ଶୁଣାଣି ୧୩ ତାରିଖରେ ହେବ ବୋଲି କୁହାଯାଉଛି । ଏମିତିରେ ଡିଜିପି ଚୟନକୁ ନେଇ ସସପେନ୍ସ ବଢ଼ିବାରେ ଲାଗି ବଡ଼ କଥା ହେଲା ନୂଆ ଡିଜିପି ଚୟନ ପ୍ରକ୍ରିୟାରେ ରାଜ୍ୟସରକାର ଚଞ୍ଚକତା କରୁଥିବା ଅଭିଯୋଗରେ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି ପିଆଇଏଲ ଦାଖଲ କରିଛନ୍ତି ।

ଡିଜିପି ନିଯୁକ୍ତି ନେଇ ସୁପ୍ରିମ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଓଡ଼ିଶା ସରକାର ମାନୁନଥିବା ସେ ଅଭିଯୋଗ କରିଛନ୍ତି । ଡିଜିପି ପାଇଁ କିଛି ଆଇପିଏସ ଅଧିକାରୀଙ୍କ ଯୋଗ୍ୟତା ନଥାଇ ମଧ୍ୟ ଓଡ଼ିଶା ସରକାର ସେମାନଙ୍କୁ ଡିଜିପି ରାଙ୍କକୁ ଆଣି ସେମାନଙ୍କ ନାଁ ସିଲେକ୍ସନ ପ୍ୟାନେଲରେ ଭର୍ତ୍ତି କରାଯାଇଥିବା ନେଇ ପିଆଇଏଲରେ ଦର୍ଶାଇଛନ୍ତି ।

ସେପଟେ ଗୁରୁବାର ୟୁପିଏସସି ଅଧ୍ୟକ୍ଷଙ୍କ ନେତୃତ୍ବରେ ଡିଜିପି ଚୟନ ନେଇ ଦିଲ୍ଲୀରେ ବୈଠକ ବସିବ । ଏହି ବୈଠକରେ ହିଁ ୩ ଜଣିଆ ପ୍ରସ୍ତାବିତ ଡିଜିପି ତାଲିକା ଉପରେ ମୋହର ବାଜିବ । ପରେ ଏହି ୩ ଜଣିଆ ତାଲିକା ରାଜ୍ୟ ସରକାରଙ୍କ ପାଖକୁ ପଠାଇବ ୟୁପିଏସସି । ସେହି ତାଲିକାରୁ ଜଣଙ୍କୁ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତି କରିବେ ରାଜ୍ୟ ସରକାର ।

Also Read: ୨୭ ତାରିଖ ସୁଦ୍ଧା ସରିବ PMAY ଯାଞ୍ଚ, ପୂର୍ବ ସରକାରଙ୍କ ଭୁଲ୍ ପାଇଁ ଆଜି ଏ ଅବସ୍ଥା…

ତେବେ ନୂଆ ଡିଜିପି ଚୟନ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଯେହେତୁ ବର୍ତ୍ତମାନର ଡିଜିପି ୱାଇ. ବି . ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ସରୁଛି ତା’ ପୂର୍ବରୁ ରାଜ୍ୟ ସରକାର ନୂଆ ଡିଜିପିଙ୍କ ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଯଦି ରାଜ୍ୟ ସରକାର ଘୋଷଣା କରିଥିବା ନାଁ ଉପରେ ସୁପ୍ରିମକୋର୍ଟ କିଛି ଆପତ୍ତି ଉଠାନ୍ତି ତାହାଲେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ । ଆଉ ଯଦି ଦୁଇ ବରିଷ୍ଠ ଆଇପିଏସ୍ ସଂଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ଭିତରୁ ଜଣଙ୍କୁ ଡିଜିପି ଦାୟିତ୍ବ ମିଳିଥିବ ଆଉ ସୁପ୍ରିମ କୋର୍ଟ ଏହା ଉପରେ ସହମତ ନହେବେ ତାହାଲେ ସରକାରଙ୍କ ପାଇଁ ବିକଳ୍ପ କଣ ହେବ । ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଲାଣି ।

ଡିଜିପି ଚୟନ ପ୍ରସଙ୍ଗରେ ରାଜନୀତି

ସେପଟେ ନୂଆ ଡିଜିପି ଚୟନ ପ୍ରକ୍ରିୟାରେ କେଁ କୁ ନେଇ ଆରମ୍ଭ ହେଲାଣି ରାଜନୀତି । ବିଜେଡି କହିଛି ଡିଜି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କିନ୍ତୁ ବିଜେପି ଆଇନ ବ୍ୟବସ୍ଥାକୁ ମାନିବାକୁ ନାରାଜ। ଥାନା ପାର୍ଟି ଅଫିସ ପାଲଟିଛି। ସବୁ ଥାନାରେ ଚାନ୍ଦା ଆଦାୟ ଚାଲିଛି। ସେହି ଧାରାକୁ ଆଗେଇ ନେବାକୁ ଏକ କଣ୍ଢେଇ ଡିଜି ଦରକାର।

କଂଗ୍ରେସ କହିଛି ସରକାର ପୋଲିସ ଡିଜି ନିଯୁକ୍ତି ପ୍ରକ୍ରିୟାକୁ ବି ଠିକ୍ ଢଙ୍ଗରେ କରିପାରୁନାହାଁନ୍ତି । ବିଜେପି କହିଛି ଜଣେ ଓଡ଼ିଆ ଅଫିସର CBI ନିର୍ଦ୍ଦେଶକ ହେଇଥାନ୍ତେ,କିନ୍ତୁ ଅସୁବିଧାରେ ପଡିବା ଭୟରେ ତାଙ୍କୁ ଡିଜି କରାଇ ଦେଇନଥିଲେ ପୂର୍ବ ବିଜେଡି ସରକାର । ଆଉ ସେମାନେ ଆଜି ଡିଜି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇବା ଶୋଭା ପାଉନି।

ତେବେ ଗୁରୁବାର ୟୁପିଏସସି ପକ୍ଷରୁ କେଉଁ ୩ ଜଣଙ୍କ ନାଁ ପଠାଯାଉଛି ଏବଂ ସରକାର ସେମାନଙ୍କ ଭିତରୁ କାହାକୁ ନୂଆ ଡିଜିପି ନିଯୁକ୍ତି କରୁଛନ୍ତି ତାହା ଦେଖିବାକୁ ପଡ଼ିବ। ଏହାସହ ୧୮ ତାରିଖରେ ସୁପ୍ରିମ କୋର୍ଟ ଏପ୍ରସଙ୍ଗରେ କି ରାୟ ଶୁଣାଉଛନ୍ତି ତା’ଉପରେ ବି ନଜର ରହିବ ।