ଅରବିନ୍ଦ କେଜରିୱାଲଙ୍କ ଜାମିନ ନେଇ ସୁପ୍ରିମକୋର୍ଟରେ ହୋଇ ପାରିଲାନି ନିଷ୍ପତ୍ତି, ନିର୍ବାଚନ ପ୍ରଚାର ନିମନ୍ତେ କରିଥିଲେ ନିବେଦନ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ ୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନ ଉପରେ ମଙ୍ଗଳବାର ନିଷ୍ପତ୍ତି ହୋଇପାରି ନାହିଁ। କାରଣ ସମୟ ଅଭାବ ଯୋଗୁ ଅନ୍ତରୀଣ ଜାମିନ ଉପରେ ଶୁଣାଣି ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏବେ ଏହି ଆବେଦନ ଉପରେ ପୁଣି ମେ ୯ ତାରିଖ ଦିନ ଶୁଣାଣି ହେବ। ଦିନ ଅଢେଇଟା ବେଳେ ବେଞ୍ଚ ଉଠି ଯାଇଛନ୍ତି ଓ କୋର୍ଟରୁ କେଜରିୱାଲଙ୍କୁ କୌଣସି ଆଶ୍ୱସ୍ତି ମିଳିପାରି ନାହିଁ। ତେବେ ସୁପ୍ରିମକୋର୍ଟରେ ଏ ନେଇ ଦୀର୍ଘ ତର୍କ ଚାଲିଥିଲା। 

ଶୁଣାଣି କରୁଥିବା ବେଞ୍ଚର କହିବା କଥା ହେଉଛି କେଜରିୱାଲ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ ଆଗକୁ ଦିଲ୍ଲୀ ନିର୍ବାଚନ। ଏହା ଅସାଧାରଣ ସ୍ଥିତି ଓ ତାଙ୍କୁ ନିର୍ବାଚନ ପ୍ରଚାର କରିବାକୁ ଦିଆଗଲେ କିଛି ଅସୁବିଧା ନାହିଁ। ଏଣୁ ବେଞ୍ଚ କହିଛନ୍ତି ଆମେ କେବଳ ଅନ୍ତରୀଣ ଜାମିନ ଉପରେ ଆଲୋଚନା କରୁଛେ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯଦି କେଜରିୱାଲଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଏ ତେବେ ତାଙ୍କୁ ଅଧିକାରୀକ କର୍ତ୍ତବ୍ୟ ପାଳନ କରିବାକୁ ଅନୁମତି ଦିଆଯାଇପାରିବନି। କାରଣ ଏହାର ବ୍ୟାପକ ପ୍ରଭାବ  ହୋଇ ପାରେ। 

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଦିପାଙ୍କର ଦତ୍ତଙ୍କ ପୀଠ ଶୁଣାଣି କରି କହିଛନ୍ତି ଯେ ଆମେ ଆପଣଙ୍କୁ ପଅରଦିନ (୯ ମେ)କୁ ତାରିଖ ଦେବୁ। ଯଦି ଏହା ସମ୍ଭବ ନ ହେଲା ତେବେ ଆମେ ଏହାକୁ ଆଗାମୀ ସପ୍ତାହରେ କୌଣସି ଦିନ ଧାର୍ଯ୍ୟ କରିବୁ। ତେବେ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜରିୱାଲଙ୍କ ଜାମିନକୁ ପୁରୋଜୋର ବିରୋଧ କରିଥିଲା। କହିଥିଲା ଯେ  କେଜରିୱାଲଙ୍କୁ ଜାମିନ ଦିଆଗଲେ ଭୁଲ ଉଦାହରଣ ସୃଷ୍ଟି ହେବ। ସମସ୍ତେ ଜାମିନ ମାଗିବାକୁ ଲାଗିବେ। 

ଶୁଣାଣି କାଳରେ ସୁପ୍ରିମକୋର୍ଟରେ ଦୁଇ ଜଜ୍‌ଙ୍କ ପୀଠ ଜେଲରେ ବନ୍ଦୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହାଜର  ଓକିଲ ଅଭିଷେକ ମନୁ ସିଘଭୀଙ୍କୁ ଜାମିନ ମିଳିଲେ କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବେ? ଫାଇଲରେ ସ୍ୱାକ୍ଷର କରିବେ ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବେ? ବୋଲି ପ୍ରଶ୍ନ କରିଥିଲେ। ଜବାବରେ ସିଂଘଭୀ କହିଥିଲେ ଯେ କେଜରିୱାଲ ମୁକୁଳିଲେ ଅବକାରୀ ମାମଲାରେ ହସ୍ତକ୍ଷେପ କରିବେ ନାହିଁ। ତେବେ ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ।  ହେଲେ  ପୀଠ ଏହା ଉପରେ କହିଛନ୍ତି ଯେ ଯଦି ଆମଆଦମୀ ପାର୍ଟି (ଆପ) ମୁଖ୍ୟଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଏ ଆମେ ସ୍ପଷ୍ଟ ଯେ ତାଙ୍କୁ ଅଧିକାରୀକ କର୍ତ୍ତବ୍ୟ ପାଳନ କରିବାକୁ ଅନୁମତି ଦିଆଯାଇପାରିବନି। କାରଣ ଏହାର ବ୍ୟାପକ ପ୍ରଭାବ ହୋଇପାରେ। ଆମେ ସରକାରୀ କାମରେ ତାଙ୍କର ହସ୍ତକ୍ଷେପ ବିଲକୁଲ ଚାହୁଁ ନାହୁଁ। ତେଣିକି ଆପଣଙ୍କ ଇଛା ସେ ମୁଖ୍ୟମନ୍ତ୍ରୀ ରହିପାରନ୍ତି ବା ନ ରହି ପାରନ୍ତି। ଆଜି ଏଠାରେ ବୈଧତାର ନୁହେଁ ଔଚିତ୍ୟର କଥା ପଡିଛି। କେବଳ ନିର୍ବାଚନ ନିମନ୍ତେ ଆମେ ଅନ୍ତରୀଣ ଜାମିନର ବିଚାର କରୁଛୁ। ନଚେତ ଆମେ ଏ ବିଷୟରେ ଆଦୌ ହସ୍ତକ୍ଷେପ କରି ନଥାନ୍ତୁ। 

ଶୀର୍ଷ ନ୍ୟାୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଜାମିନ ସମ୍ପର୍କିତ ତର୍କ ଶୁଣିବୁ କାରଣ କେଜରିୱାଲ ଦିଲ୍ଲୀର ଏବେକା ମୁଖ୍ୟମନ୍ତ୍ରୀ ଓ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କର ଆବଶ୍ୟକତା ଅଛି। ପୀଠ କହିଛନ୍ତି ଯେ ଏହା ଏକ ଅସାଧାରଣ ପରିସ୍ଥିତି, ଏହା ନୁହେଁ ଯେ ସେ ଜଣେ ଅଭ୍ୟାସଗତ ଅପରାଧୀ। ନିର୍ବାଚନ ୫ ବର୍ଷରେ ଥରେ ହୋଇଥାଏ, ଏହା ଫସଲ କଟା ଭଳି ନୁହେଁ ଯାହା ୪-୬ ମାସରେ ଥରେ ହୁଏ। ଏଣୁ ତାଙ୍କୁ ଜାମିନରେ ମୁକ୍ତ କରାଯାଇ ପାରିବ କି ନା ସେ ନେଇ ପ୍ରାଥମିକତାର ସହ ଆମକୁ ବିଚାର କରିବାକୁ ପଡିବ। ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍ ଜେଲରୁ ନିର୍ବାଚନ ଲଢିଥିଲେ ଓ ସେ ଏତେ ଭୋଟ ଅନ୍ତରରେ ବିଜୟୀ ହୋଇଥିଲେ ଯାହା ଭାରତୀୟ ନିର୍ବାଚନ ଇତିହାସରେ ରେକର୍ଡ ହୋଇ ରହିଛି। 

ତେବେ ଇଡି କୋର୍ଟଙ୍କ ଉଦାହରଣକୁ ଅସ୍ୱୀକାର କରି କହିଥିଲେ ଯେ ଏହା ଦ୍ୱାରା ଭୁଲ ଉଦାହରଣ ସୃଷ୍ଟି ହେବ। ଇଡି ପ୍ରଶ୍ନ ଉଠାଇଥିଲେ ଯେ ଜଣେ ରାଜନେତା ସାଧାରଣ ଜନତା ମଧ୍ୟରେ ପ୍ରାର୍ଥକ୍ୟ କ’ଣ? ଏଥିରେ ତାଙ୍କର କିଛି ବିଶେଷଅଧିକାର ନାହିଁ। ଏଣୁ  ଅଭିଯୋଗର ସମ୍ମୁଖୀନ ହୋଇଥିବା ସବୁ ସାଂସଦ ଓ ବିଧାୟକଙ୍କୁ ଜାମିନରେ ମୁକ୍ତ କରିଦିଆଯିବା ଦରକାର କି? ଇଡି କୋର୍ଟରେ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଜଣେ ରାଜନେତାଙ୍କୁ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ସ୍ପେଶାଲ ଟ୍ରିଟମେଣ୍ଟ ମିଳିପାରିବ କି? ୬ ମାସରେ ୯ ସମନ ଦିଆଗଲା, ସମୟ ବାଛିବା ପାଇଁ ଇଡିକୁ ଦାୟି କରାଯାଇ ପାରିବନି। ଏଥିରେ କେଜରିୱାଲଙ୍କ ପକ୍ଷରୁ ଉପସ୍ଥିତ ଓକିଲଙ୍କୁ ଇଡିର ଜବାବ ଦେବାକୁ ବେଞ୍ଚ କହିଥିଲେ। 

ଶୁଣାଣିରେ ଶୀର୍ଷ ନ୍ୟାୟାଳୟ ଇଡିର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସୋଲିସିଟର ଜେନେରାଲ ଏସ.ଭି. ରାଜୁଙ୍କୁ ଆପ ମୁଖ୍ୟଙ୍କୁ ପଚରା ଉଚରା ଓ ତଦନ୍ତରେ ବିଳମ୍ବ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ଏହା ଉପରେ ରାଜୁ କହିଥିଲେ ଯେ ଯେତେବେଳେ ଆମେ ଯାଞ୍ଚ ଆରମ୍ଭ କଲୁ ଆମର ଯାଞ୍ଚ ସିଧାଶଳଖ କେଜରିୱାଲଙ୍କ ବିରୋଧରେ ନଥିଲା। ତଦନ୍ତ କାଳରେ ତାଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଏଣୁ ଆରମ୍ଭରେ ତାଙ୍କ ସମ୍ପର୍କିତ ଗୋଟିଏ ହେଲେ ପ୍ରଶ୍ନ କରାଯାଇ ନଥିଲା। କାରଣ ତଦନ୍ତ ତାଙ୍କ ଉପରେ କେନ୍ଦ୍ରିତ ନଥିଲା। 

ଏହା ଉପରେ ପୀଠ କହିଥିଲେ ଯେ ଏହା ଏକ ଅସାଧାରଣ ମାମଲା। ଆପଣ ଏତେ ସମୟ କାହିଁକି ନେଇଥିଲେ? ଏଥିରେ ଅତିରିକ୍ତ ସୋଲିସିଟର ଜେନେରାଲ କହିଥିଲେ ଯେ ଯଦି ଆମେ ଆରମ୍ଭରେ କେଜରିୱାଲଙ୍କ ସମ୍ପର୍କରେ ପଚରା ଉଚରା କରିଥାନ୍ତୁ ଏହା ଦୁର୍ଭାବନାପୂର୍ଣ୍ଣ ହୋଇଥାନ୍ତା। କେସକୁ ବୁଝିବାକୁ ସମୟ ଲାଗିଥାଏ। ଆମେ ରାତାରାତ କିଛି କରିପାରିବୁନି କାରଣ ଆମକୁ ପୁଷ୍ଟି କରିବାକୁ ହେବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଗିରଫ କରାଯାଇଥିଲା। ସେପଟେ ମଙ୍ଗଳବାର କେଜରିୱାଲଙ୍କ ବିଚାରବିଭାଗୀୟ ହାଜତ ମିଆଦ ୭ ମେରେ ପୂରଣ ହୋଇଥିବାରୁ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ରାଉଜ ଏଭେନ୍ୟୁ କୋର୍ଟ ତାଙ୍କ ହାଜତ ମିଆଦକୁ ମେ ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.