ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରାଳୟ ବୁଧବାର ଜିଡିପି ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ରଖିଛନ୍ତି। କହିଛନ୍ତି ଅଗଷ୍ଟ ୩୧ରେ ଜାରି ତଥ୍ୟ ଏକଦମ ଠିକ୍ ଓ ଅର୍ଥବ୍ୟବସ୍ଥା ଆକଳନର ସର୍ବମାନ୍ୟ ଉପାୟ ଅବଲମ୍ବନରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୬-୨୭ପ୍ରଥମ ତ୍ରୈମାସିକରେ ଦେଶର ଆର୍ଥିକ ବିକାଶ ହାର ୭.୮% ରହିବା ଏକ ବହୁତ ବଡ଼ ଉପଲବ୍ଧି ବୋଲି କହିଥିଲେ। ଏଥିରେ ସେ କହିଥିଲେ ଯେ ଯେଉଁମାନେ ନିରାଶା ବ୍ୟାପ୍ତ କରୁଥିଲେ ସେମାନେ ଭୁଲ ସାବ୍ୟସ୍ତ ହୋଇଛନ୍ତି।

ବିରୋଧୀ ଦଳ ଉଠାଇଥିଲେ ପ୍ରଶ୍ନ
ସରକାରଙ୍କ ଏହି ଜଡିପି ତଥ୍ୟ ଉପରେ ସର୍ବ ପ୍ରଥମେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରଶ୍ନ ଉଠାଇଥିଲେ। ଏହା ପରେ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଅଭିଯୋଗ କରିଥିଲେ ଯେ ଗତବର୍ଷର ତଥ୍ୟକୁ ହ୍ରାସ କରି ବର୍ତ୍ତମାନର ବୃଦ୍ଧିହାରକୁ ବଢେଇ ଦେଖା ଯାଉଛି ଓ ଅସଲ ବୃଦ୍ଧି ହାର ମାତ୍ର ୨.୫% ବୋଲି ସେ କହିଥିଲେ।

ସତ କ’ଣ ଉପସ୍ଥାପନ କଲେ ସରକାର
ସରକାରଙ୍କ ଜିଡିପି ଘୋଷଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଦେଖି ଅର୍ଥମନ୍ତ୍ରାଳୟ ବୁଧବାର ସନ୍ଧ୍ୟାରେ ଜିଡିପି ଡାଟା ସଂକଳନ ସହ ସମ୍ପୃକ୍ତ ସବୁ ତଥ୍ୟ ସାମ୍ନାରେ ରଖିଛନ୍ତି। ଏହା ଛଡା ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ରିସର୍ଚ୍ଚ ଟିମ୍ ମଧ୍ୟ ଏକ ପୁରା ରିପୋର୍ଟ ଜାରି କରିବା ସହ କହିଛି ଯେ ଅର୍ଥବ୍ୟବସ୍ଥାର ପୁରୁଣା ତଥ୍ୟ କିପରି ସମୟସମୟରେ ସଂଶୋଧନ କରିବା ଏକ ସାଧାରଣ ପ୍ରକ୍ରିୟା। ଏସବିଆଇ ମଧ୍ୟ ୭.୮% ବିକାଶ ହାରକୁ ସଠିକ ବୋଲି କହିଛି ଓ ଏହା ଉପରେ ଉଠୁଥିବା ପ୍ରଶ୍ନକୁ ଅନାବଶ୍ୟକ ବୋଲି କହିଛି। କେବଳ ଏତିକି ନୁହେଁ ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାଜୀବ କୁମାର, ଷୋଡ଼ଷ ଅର୍ଥ ଆୟୋଗ ଅଧ୍ୟକ୍ଷ ଅରବିନ୍ଦ ପାଣାଗଢିୟା ମଧ୍ୟ ୭.୮ ପ୍ରତିଶତ ବିକାଶ ହାର ଉପରେ ଉଠୁଥିବା ପ୍ରଶ୍ନକୁ ଖାରଜ କରିଦେଇଛନ୍ତି।

ନୂଆ ସିରିଜ ଉପରେ ଆଧାରିତ ଡାଟା
ମନ୍ତ୍ରାଳୟ କହିଛି ଯେ ଗତବର୍ଷ ପ୍ରଥମ ତ୍ରୈମାସିକରେ ଥିବା ମୂଲ୍ୟ ଉପରେ ଜିଡିପି ପ୍ରଥମେ ୮୬.୦୫ଲକ୍ଷ କୋଟି ଟଙ୍କା ଅଙ୍କା ଯାଇଥିଲା। ଏହି ତଥ୍ୟ ପୁରୁଣା ୨୦୧୧-୧୨ଶୃଙ୍ଖଳାର ଥିଲା। ଫେବୃଆରୀ ୨୦୨୬ରେ ନୂଆ ୨୦୨୨-୨୩ ଆଧାରବର୍ଷ ସଂଖ୍ୟା ଲାଗୁ ହୋଇଥିଲା। ନୂଆ ପଦ୍ଧତୀ, ଉନ୍ନତ ଡାଟା ଓ ସଂଶୋଧିତ କଭରେଜ କାରଣରୁ ସେହି ତଥ୍ୟ ହ୍ରାସ ହୋଇ ୮୦.୩୨ଲକ୍ଷ କୋଟି ଟଙ୍କା ହୋଇଥିଲା। ପରେ ଔଦ୍ୟୋଗିକ ଉତ୍ପାଦନ ସଂକ୍ରାନ୍ତରେ ନୂଆ ତଥ୍ୟ ସାମିଲ ହେବାରୁ ଜିଡିପିର ଆକାର ସେହି ତ୍ରୈମାସିକରେ ୮୦ଲକ୍ଷ କୋଟି ଟଙ୍କା ହୋଇଥିଲା। ମନ୍ତ୍ରାଳୟ କହିଛନ୍ତି ଯେ ଏହା ଜାଣିଶୁଣି କାଟ୍ କରିବା ଯୋଗୁ ନୁହେଁ, ବରଂ ଶୃଙ୍ଖଳା ସଂଶୋଧନର ପରିଣାମ ଅଟେ।

ପୁରୁଣା ଓ ନୂଆ ଶୃଙ୍ଖଳା ତଥ୍ୟକୁ ସିଧା ତୁଳନା ଠିକ୍ ନୁହେଁ। ମନ୍ତ୍ରାଳୟ କହିଛନ୍ତି ଯେ ପୁରୁଣା ୨୦୧୧-୧୨ ଶୃଙ୍ଖଳାର ୮୬.୦୫ଲକ୍ଷ କୋଟି ଟଙ୍କାର ତଥ୍ୟ ନୂଆ ୨୦୨୨-୨୩ ଶୃଙ୍ଖଳାର ତଥ୍ୟ ସହ ସିଧା ଯୋଡା ଯାଇ ପାରିବନି। ବୃଦ୍ଧି ହାର ସର୍ବଦା ଗୋଟିଏ ପ୍ରକାରର ଓ ନୂଆ ଶୃଙ୍ଖଳା ତଥ୍ୟରୁ ବାହାର କରାଯାଏ। ଏଣୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୮୮.୨୭ଲକ୍ଷ କୋଟି ଟଙ୍କାର ତୁଳନା ପୁରୁଣା ୮୬.୦୫ ଲକ୍ଷ କୋଟି ଟଙ୍କା ସହ ନ ହୋଇ ନୂଆ ଶୃଙ୍ଖଳାର ସଂଶୋଧିତ ରାଶିରେ କରାଯିବା ଦରକାର।