ନୂଆଦିଲ୍ଲୀ : ସୁନ୍ଦରୀ, ଷ୍ଟାଇଲିସ୍, ଇଣ୍ଟେଲିଜେଣ୍ଟ। ସେ ବିୟୁଟି ପିଜାଣ୍ଟର ରନର୍ସଅପ୍ ବି। ଏହି ମଡ଼େଲ୍ ଏବେ ଚର୍ଚ୍ଚିତ। ତାଙ୍କ ସୁନ୍ଦରତାକୁ ନେଇ ନୁହେଁ, ବରଂ ତାଙ୍କ ଚତୁରତାକୁ ନେଇ। ଗ୍ଲାମର୍ ଦୁନିଆ ଆଢୁଆଳରେ କରୁଥିଲେ କଳା କାରବାର। ଚାଲିଥିଲା ଡ୍ରଗ୍ସର ବେପାର। ବ୍ୟାଙ୍କକକରୁ ମୁମ୍ବାଇ ଫେରିଥିବା ଏହି ସୁନ୍ଦରୀ ମଡେଲ୍ ଙ୍କ ବ୍ୟାଗରୁ ମିଳିଲା କୋଟି କୋଟି ଟଙ୍କାର ଗଞ୍ଜେଇ। ଏହି ମଡେଲ୍ ଜଣକ 'ମିସେସ୍ କେରଳ-୨୦୨୫' ର ଥିଲେ ପ୍ରତିଯୋଗୀ। ତାଙ୍କ ବ୍ୟାଗରୁ ଜବତ ହୋଇଛି ୧୨ କୋଟି ଟଙ୍କାର ଡ୍ରଗ୍ସ ।

11ଜୁନ୍ 2026 ଭୋର ପ୍ରାୟ 4ଟା । ବ୍ୟାଙ୍ଗକକ୍ରୁ ଏକ ଏୟାର ଇଣ୍ଡିଆ ଫ୍ଲାଇଟ୍ ପହଞ୍ଚିଲା ମୁମ୍ବାଇରେ । ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଲେ ଜଣେ ମଡେଲ୍। ତାଙ୍କ ବୟସ ୨୮ ବର୍ଷ। ନାଁ ହର୍ଷା ସନି। ତାଙ୍କ ହାତରେ ଥିଲା ଗୋଟିଏ ଟ୍ରଲି ବ୍ୟାଗ୍ । ତାଙ୍କ ଗତିବିଧି ଥିଲା ବେଶ୍ ସନ୍ଦେହଜନକ । ତେଣୁ କଷ୍ଟମ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇଲେ। ତାଙ୍କ ଟ୍ରଲି ବ୍ୟାଗ୍ ଯାଞ୍ଚ କରାଗଲା। ପ୍ରଥମେ ଏନଡିପିଏସ୍ ଆଇନ ଅନୁସାରେ ତାଙ୍କର ବ୍ୟକ୍ତିଗତ ତଲାସି କରାଯାଇଥିଲା, କିନ୍ତୁ ସେଥିରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା। ତେବେ ପରେ ତାଙ୍କ ସାମଗ୍ରୀ ଯାଞ୍ଚ କରାଯିବା ବେଳେ ଏକ ବଡ଼ ଖୁଲାସା ହୋଇଥିଲା। ବ୍ୟାଗ୍ ଖୋଲିବା ପରେ ଅଧିକାରୀମାନେ ଯାହା ଦେଖିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେଥିରେ କପଡ଼ା ନଥିଲା। ଥିଲା ବିପୁଳ ପରିମାଣର ବିପଜ୍ଜନକ ନିଶାଦ୍ରବ୍ୟ।

ବ୍ୟାଗ୍ ଭିତରେ ୧୨ଟି ଟ୍ରାନ୍ସପାରେଣ୍ଟ ପ୍ଲାଷ୍ଟିକ୍ ପ୍ୟାକେଟ୍ ଥିଲା। ସବୁଗୁଡ଼ିକ ଭ୍ୟାକ୍ୟୁମ୍-ସିଲ୍ କରାଯାଇଥିଲା। ଏନଡିପିଏସ କିଟ୍ ସାହାଯ୍ୟରେ ଏହାକୁ କରାଯାଇଥିଲା ଟେଷ୍ଟ। ତାପରେ ଜଣାପଡ଼ିଲା ଯେ ଏହା ହେଉଛି ଉଚ୍ଚମାନର 'ହାଇଡ୍ରୋପୋନିକ୍ ଗଞ୍ଜେଇ' । ଏହାର ମୋଟ ଓଜନ ଥିଲା ୧୧.୮୨୪ ଗ୍ରାମ୍। ଆନ୍ତର୍ଜାତୀୟ ବଜାରରେ ଏହାର ଦାମ୍ ହେଉଛି ୧୧ କୋଟି ୮୨ ଲକ୍ଷ ଟଙ୍କା। କୋଟି କୋଟି ଟଙ୍କାର ଡ୍ରଗ୍ସ ଆଣିଥିବା ଏହି ମହିଳା ଜଣକ କୌଣସି ସାଧାରଣ ମହିଳା ନଥିଲେ। ସେ ଥିଲେ ଜଣେ ପରିଚିତ ଚେହେରା । ଗ୍ଲାମର ଦୁନିଆ ସହ ସେ ଜଡ଼ିତ।

ହର୍ଷା ସନି ମୂଳତଃ କେରଳର ୱାୟାନାଡ ଜିଲ୍ଲାର ବାସିନ୍ଦା। ସେ ଜଣେ ପେଶାଦାର ମଡେଲ୍, ନୃତ୍ୟଶିଳ୍ପୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । କୋଚିରେ ଆୟୋଜିତ “ମିସେସ କେରଳ ଗ୍ଲୋବାଲ 2025” ପ୍ରତିଯୋଗିତାରେ ସେ ପ୍ରଥମ ରନର୍ସ-ଅପ୍ ହୋଇଥିଲେ। ଏହାଛଡ଼ା ସେ “ମିସେସ କେରଳ ଇନ୍ସପାୟରିଂ” ର ଟ୍ୟାଗ୍ ମଧ୍ୟ ହାସଲ କରିଥିଲେ। ଏହାସହ ସେ ଏକ କମ୍ପାନୀରେ ରିଲେସନସିପ୍ ମ୍ୟାନେଜର୍ ଭାବେ କାମ କରୁଥିଲେ। ଗ୍ଲାମର୍ ଆଢୁଆଳରେ ସେ ଏହି କଳା କାରବାର କରୁଥିଲେ। ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଏବଂ କଷ୍ଟମ୍ସ ବିଭାଗ ମିଳିତ ଭାବେ ତାଙ୍କୁ ଗିରଫ କରିଛି। ଏନଡିପିଏସ ଆକ୍ଟ ଅନୁଯାୟୀ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା ।କୋର୍ଟରେ ହାଜର କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ହର୍ଷା ସନିଙ୍କ ଓକିଲ ପ୍ରଭାକର ତିୱାରୀ ଦାବି କରିଛନ୍ତି ଯେ, ହର୍ଷାଙ୍କୁ ତାଙ୍କ ବ୍ୟାଗରେ ଡ୍ରଗ୍ସ ଥିବା କଥା ଜଣା ନଥିଲା। ତାଙ୍କ କହିବା ଅନୁସାରେ, ହର୍ଷା ନେଲ ଆର୍ଟ ଶିକ୍ଷା ପାଇଁ ବ୍ୟାଙ୍କକ ଯାଇଥିଲେ। ସେଠାରେ ଜଣେ ଭାରତୀୟ ନାଗରିକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେହି ବ୍ୟକ୍ତି ମୁମ୍ବାଇରେ ତାଙ୍କ ପରିବାର ପାଖକୁ କିଛି ଉପହାର ଓ ଚକୋଲେଟ୍ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ମୁମ୍ବାଇ ବିମାନବନ୍ଦର ବାହାରେ ସେହି ବ୍ୟକ୍ତିଙ୍କ ପତ୍ନୀ ଆସି ପ୍ୟାକେଟ ନେଇଯିବେ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ଏହା କେତେ ସତ , ଏ ଦିଗରେ ଏବେ ଅଧିକ ତଦନ୍ତ ଚଳାଇଛି ପୋଲିସ୍। ଏହି ଘଟଣା ପ୍ରମାଣ କରୁଛି ଯେ ଗ୍ଲାମର ଆଢ଼ୁଆଳରେ ବି ଏବେ ଚାଲିଛି ଡ୍ରଗ୍ସ କାରବାର। ଡ୍ରଗ୍ସ ମାଫିଆ ମାନେ ସୁନ୍ଦରୀ ମଡେଲ୍ମାନଙ୍କୁ ବନେଇଛନ୍ତି ନିଜ ମୋହରା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଲର୍ଟ ମୋଡରେ ପୋଲିସ୍।

Also Read- ଭାଙ୍ଗିବାରେ ଲାଗିଛି ଇଞ୍ଜିନିୟରିଂ ସ୍ୱପ୍ନ ? ମିଳୁନି ଚାକିରି, କମୁଛି ଦରମା, ଏମବିଏ ଶିକ୍ଷାର ବି ଲାଭ ନାହିଁ !