ନୂଆଦିଲ୍ଲୀ:  ଆମେରିକୀୟ ବାୟୁସେନାକୁ ବଡ଼ ଝଟକା ଲାଗିଛି । ନିଜର ଉନ୍ନତ୍ତ ପ୍ରଯୁକ୍ତିବିଦ୍ୟାକୁ ନେଇ ଗର୍ବ କରିଆସିଥିବା ଆମେରିକା ପାଇଁ ବିପଦ ବଢ଼ିବାରେ ଲାଗିଛି । ପେଣ୍ଟାଗନ ପରେ ଏବେ ଆମେରିକାର ବାୟୁସେନା ଉପରେ ବଡ଼ ସାଇବର ଆକ୍ରମଣ ହୋଇଥିବା ଜଣାପଡ଼ିଛି । ବାୟୁସେନାର  ପ୍ରମୁଖ କ୍ଲାଉଡ୍ କମ୍ପ୍ୟୁଟିଂ ପ୍ଲାଟଫର୍ମ ‘Cloud One’ ହ୍ୟାକ୍‌ ହୋଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ସାଇବର ଆକ୍ରମଣ ଫଳରେ ବାୟୁସେନାର ଅନେକ ସମ୍ବେଦନଶୀଳ ତଥ୍ୟ ଚୋରି ହେବାର ଆଶଙ୍କା ବୃଦ୍ଧି ପାଇଛି। 

ରଏଟର୍ସ  ରିପୋର୍ଟ ଅନୁଯାୟୀ, ଏହି ଘଟଣା ଯୋଗୁଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟାଘାତ ଘଟିଛି । ଏପରିକି ବ୍ୟାକ୍-ଅଫିସ୍ ମାଇଗ୍ରେସନ୍ ପ୍ରକ୍ରିୟାକୁ ଅଟକାଇ ଦିଆଯାଇଛି । ଜରୁରୀ ଆପ୍ଲିକେସନ୍ ଅପଡେଟ୍‌ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ସିଷ୍ଟମକୁ ଅପଗ୍ରେଡ୍ କରିବା ସମୟରେ ଏହି ‘Cloud One’ ହ୍ୟାକ୍‌ ସଂପର୍କରେ ଜଣାପଡ଼ିଥିଲା। ଆମେରିକା ସାଇବର କମାଣ୍ଡ ଘଟଣାରେ ହସ୍ତକ୍ଷେପ କରିଛି। ତେବେ ହ୍ୟାକରମାନଙ୍କ ପରିଚୟ, ଆକ୍ରମଣର ସମ୍ପୂର୍ଣ୍ଣ ପରିସର ଏବଂ କୌଣସି ତଥ୍ୟ ଚୋରି ହୋଇଛି କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

ବାୟୁସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ନିର୍ଦ୍ଦିଷ୍ଟ ନେଟୱର୍କ ଓ ସିଷ୍ଟମର ସୁରକ୍ଷା ସ୍ଥିତି, ଦୁର୍ବଳତା କିମ୍ବା କାର୍ଯ୍ୟକ୍ଷମ ସ୍ଥିତି ସମ୍ପର୍କରେ ସେମାନେ କୌଣସି ଟିପ୍ପଣୀ ଦିଅନ୍ତି ନାହିଁ। ବାୟୁସେନାର ସୂଚନା, ସିଷ୍ଟମ ଏବଂ ମିଶନ୍ କ୍ଷମତାକୁ ସୁରକ୍ଷିତ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ହ୍ୟାକର ଏକ ସଫ୍ଟୱେର୍ ଦୁର୍ବଳତାର ଫାଇଦା ନେଇ ପ୍ଲାଟଫର୍ମର 'କଣ୍ଟ୍ରୋଲ୍ ପ୍ଲେନ୍' ପର୍ଯ୍ୟନ୍ତ ପହଞ୍ଚିଥିଲେ । 

୨୦୧୭ ମସିହାରେ ଆରମ୍ଭ ହୋଇଥିବା ‘Cloud One’ ବାୟୁସେନାର IT ଆବଶ୍ୟକତା ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ କାମ କରୁଛି। ଏଥିରେ ମାଇକ୍ରୋସଫ୍ଟ, ଆମାଜନ୍, ଓରାକଲ୍ ଏବଂ ଆଲଫାବେଟ୍ ଭଳି ୪ଟି ବଡ଼ କମ୍ପାନୀର ତଥ୍ୟ ଯୋଡ଼ାଯାଇଛି । କର୍ମଚାରୀଙ୍କ ତଥ୍ୟ, ଦରମା, ଲଜିଷ୍ଟିକ୍ସ ଏବଂ ରକ୍ଷଣାବେକ୍ଷଣ ଭଳି ଅନେକ ଆପ୍ଲିକେସନ୍ ଚଳାଇଥାଏ କ୍ବାଉଡ୍‌ ଓ୍ବାନ୍‌ । ଏହି ପ୍ଲାଟଫର୍ମ ସମଗ୍ର ଉତ୍ତର ଆମେରିକାରୁ ବାୟୁ ପ୍ରତିରକ୍ଷା ରାଡାର୍ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରେ। ଏହା ସହିତ ସାରା ବିଶ୍ୱରେ ଥିବା ୨୦୦ରୁ ଅଧିକ ଆମେରିକା ବାୟୁସେନା ଘାଟିରେ ବୋମା ଓ ମିସାଇଲ୍‌ଗୁଡ଼ିକର ଗତିବିଧି ଉପରେ ନଜର ରଖେ।