ନୂଆଦିଲ୍ଲୀ ୫।୧୦: ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ପୁଣି ଥରେ ଚର୍ଚ୍ଚାରେ। ଏଥର ସେ ଇସ୍ରାଏଲ ଅଟକରେ ଥିବା ବେଳେ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ ଥନବର୍ଗ ସେହି ୪୩୭ କାର୍ଯ୍ୟକର୍ତ୍ତା, ସାଂସଦ ଏବଂ ଓକିଲଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନେ ଗାଜାକୁ ରିଲିଫ ନେଇଯାଉଥିବା ‘ଫ୍ଲୋଟିଲା’ ରେ ଯାଉଥିଲେ। ଏହି ଫ୍ଲୋଟିଲାକୁ ଇସ୍ରାଏଲ ନୌସେନା ସମୁଦ୍ରରେ ଅଟକାଇବା ସହ ସମସ୍ତଙ୍କୁ ଅଟକ କରିଛି।

ସ୍ୱିଡିସ୍ ବିଦେଶମନ୍ତ୍ରାଳୟକୁ ପଠାଯାଇଥିବା ମେଲ ରେ ଗ୍ରେଟା କହିଛନ୍ତି ଯେ ତାଙ୍କୁ ଓଡସ ଥିବା କକ୍ଷରେ ରଖାଯାଇଥିଲା। ଏଠାରେ ତାଙ୍କୁ ନା ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିଲା ନା ସ୍ୱଛ ପାନୀୟ ଜଳ। ଏଣୁ ଦୀର୍ଘ ସମୟ ଚଟାଣରେ ବସି ରହିବା ଯୋଗୁ ସେ ଡିହାଇଡ୍ରେସନର ଶିକାର ହୋଇଥିବା ବେଳେ ଦେହରେ ନାଲିନାଲି ଚିହ୍ନ ସବୁ ହୋଇଯାଇଛି। ଏଠାରେ ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।

ଜଣେ ବନ୍ଦୀ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଇସ୍ରାଏଲୀ ସୈନିକ ଥନବର୍ଗଙ୍କୁ ତାଙ୍କ ଦେଶର ପତାକା ଧରାଇବା ସହ ତାକୁ ଚୁମିବାକୁ ବାଧ୍ୟ କରିଥିଲେ। ଏଥି ପାଇଁ ତାଙ୍କ ଚୁଟି ଟଣାଓଟରା କରିଥିଲେ।  ଇଟାଲୀୟ ସାମ୍ବାଦିକ ଲରେଞ୍ଜୋ ଡି’ଅଗସ୍ତିନୋ  କହିଛନ୍ତି ଯେ ଗ୍ରେଟାଙ୍କୁ ଇସ୍ରାଏଲୀ ପତାକାରେ ଏପରି ଘୋଡାଇ ଦିଆଯାଇଥିଲା ଯେପରି ସେ ଏକ ଟ୍ରଫି। ତୁର୍କି କାର୍ଯ୍ୟକର୍ତ୍ତା ଏର୍ସିନ ସେଲିକ୍ ମଧ୍ୟ ଥନବର୍ଗଙ୍କ ଅଭିଯୋଗକୁ ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଅଟକ ସବୁ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ଅଥବା ପାନୀୟ ଦିଆଯାଇ ନଥିଲା।

ଇସ୍ରାଏଲ ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମେର ବେନ-ଗଭୀର ଏହି କାର୍ଯ୍ୟକର୍ତ୍ତାମାନଙ୍କୁ ‘ଫ୍ଲୋଟିଲାର ଆତଙ୍କବାଦୀ’ କହିଛନ୍ତି। ସେହିପରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କହିଛନ୍ତି। ତେବେ ଇସ୍ରାଏଲ ଦୂତାବାସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଓ କହିଛି ଯେ ଅଟକ ସମସ୍ତଙ୍କୁ ମାନବୀୟ ଗାରିମା ଓ ଆଇନ ଅନୁରୂପ ସୁବିଧା ଦିଆଯାଇଛି । ତେବେ ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନମାନେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗ୍ରେଟା ଥନବର୍ଗଙ୍କ ମାମଲା ଏବେ କେବଳ ପରିବେଶ କି ରାଜନୀତିର ନୁହେଁ ବରଂ ମାନବୀୟ ଗାରିମା ଓ ବୈଶ୍ୱିକ ନ୍ୟାୟର ମାମଲା ବୋଲି ମାନବାଧିକାର ସଙ୍ଗଠନ କହିଛନ୍ତି।