ଭୁବନେଶ୍ବର ୨୪।୧୧: ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆମର ପୂର୍ବ ପ୍ରସ୍ତୁତି ଦେଖି ମୋନ୍ଥାର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିଲା ନାହିଁ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କି.ମି. ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ୨୫ ତାରିଖ ପରେ ତାର ସ୍ପଷ୍ଟତା ଆସିଲେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଅନ୍ୟ ପ୍ରସ୍ତୁତି କରାଯିବ । ଓଡ଼ିଶା ଅପେକ୍ଷା ତାମିଲନାଡୁରେ ଏହାର ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ ରହିଛି । ଏହା ଏକାଠି ହେଲେ ଭୀଷଣ ବାତ୍ୟା ହୋଇପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ କିନ୍ତୁ ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଆହୁରି ଆଗକୁ ବଢ଼ିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ୍ ୨୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୨୫ ତାରିଖ ସଂଧ୍ୟାଠାରୁ ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ବଢ଼ିବ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ । ୨୬ ତାରିଖ ସକାଳୁ ପବନର ଘଣ୍ଟାପ୍ରତି ବେଗ ୬୦ରୁ ୭୦ କିଲୋମିଟର ଏବଂ ସ୍ଥଳବିଶେଷରେ ସର୍ବାଧିକ ୮୦ କିଲୋମିଟର ରହିପାରେ । ବାତ୍ୟାରେ ପରିଣତ ହେଲା ପରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୦୦ କି.ମି. ରହିବ ।

ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ସ୍ପଷ୍ଟ ହୋଇଥିଲେ ବି ଗତିଗଥ ଜଣାପଡିନାହିଁ । ଆନ୍ଧ୍ର-ପ୍ରଦେଶ, ପୁଡ଼ୁଚେରୀ, ତାମିଲନାଡ଼ୁ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୨୭ ନଭେମ୍ବର ପରେ ରାଜ୍ୟକୁ ଥଣ୍ଡା ଶୁଷ୍କ, ଉତ୍ତରାପବନ ପ୍ରବେଶ କରିବା ସମ୍ଭାବନା ରହିଛି ।