ନୂଆଦିଲ୍ଲୀ: ଦେଶରେ ବିମାନ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି। ଭାରତ ସରକାର ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ)ରେ ଇଥାନଲ ମିଳାଇବାକୁ ଅନୁମତି ଦେଇଛନ୍ତି। ଏଥିପାଇଁ ଅଧିସୂଚନା ମଧ୍ୟ ଜାରି ହୋଇଛି। ଏବେ ଏଟିଏଫରେ ଇଥାନଲ ଛଡା ଅନ୍ୟ ସିନ୍ଥେଟିକ୍ ଅଥବା ମାନବ ନିର୍ମିତ ହାଇଡ୍ରୋକାର୍ବନ ମଧ୍ୟ ମିଶା ଯାଇ ପାରିବ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଗେଜେଟ୍ ନୋଟିଫିକେସନ ମାଧ୍ୟମରେ ଏଟିଏଫ ମାର୍କେଟିଂ ସମ୍ପର୍କିତ ନିୟମର ଅପଡେଟ୍ କରିଛନ୍ତି।

ଭାରତ ସରକାର ଏହି ନିଷ୍ପତ୍ତି ଅତ୍ୟାବସକୀୟ ବସ୍ତୁ ଅଧିନିୟମ ୧୯୫୫ ଅନୁସାରେ ଜାରି ‘ଏଭିଏସନ ଟର୍ବାଇନ ଫୁଏଲ’ (ମାର୍କେଟିଂ ରେଗୁଲେସନ) ଆଦେଶ ୨୦୦୧ରେ କରାଯାଇଥିବା ସଂଶୋଧନ ପରେ ନିଆଯାଇଛି। ତେବେ ସରକାର ଏବେ ଏହି ନିୟମ ପାଇଁ ତତ୍କାଳ ବାଧ୍ୟତାମୂଳକ ଲକ୍ଷ୍ୟ ଧାର୍ଯ୍ୟ କରିନାହାନ୍ତି। ଏହା ସହିତ ଏହି ନୋଟିଫିକେସନରେ କୌଣସି ସମୟ ସୀମା ମଧ୍ୟ ଧାର୍ଯ୍ୟ ହୋଇ ନାହିଁ।

ଇଥାନଲ ବ୍ଲେଣ୍ଡିଂ କାହିଁକି ଜରୁରି?
ଏ ପର୍ଯ୍ୟନ୍ତ ବିମାନ ପାରମ୍ପରିକ ଜୀବାଷ୍ମ ତୈଳରେ ଉଡାଣ କରୁଛନ୍ତି। ହେଲେ ଏଥିରେ ଏବେ ସିନ୍ଥେଟିକ୍ ଇନ୍ଧନ ମିଶାଇଲେ ଖର୍ଚ୍ଚ କମ ହେବ। କାରଣ ସରକାରଙ୍କ ଲକ୍ଷ୍ୟ ଏବେ ବିଦେଶରୁ ଆମଦାନୀ ହେଉଥିବା ମହଙ୍ଗା ଅଶୋଧିତ ତୈଳ ଉପରେ ଦେଶର ନିର୍ଭରତା ହ୍ରାସ କରିବା। ଏଟିଏଫ କମ୍ ଉପଯୋଗ ହେଲେ ବିମାନ କମ୍ପାନୀଙ୍କ ଖର୍ଚ୍ଚ ମଧ୍ୟ କମ ହେବ ଓ ବିମାନ ଭଡ଼ା ମଧ୍ୟ ଶସ୍ତା ହେବ। ଏାହ ଛଡା ପ୍ରଦୂଷଣ ହ୍ରାସ ମଧ୍ୟ ସରକାରଙ୍କ ଆଉ ଏକ ଉଦ୍ଦେଶ୍ୟ। ଏହି ପଦକ୍ଷେପ ଭାରତକୁ ‘ନେଟ୍ ଜିରୋ’ ଉର୍ତ୍ସଜନ ଲକ୍ଷ୍ୟ ଆଡକୁ ନେଇଯିବ। ଯେତେବେଳେ ବିମାନରେ ପ୍ରଦୂଷଣ ହ୍ରାସ କରୁଥିବା ଇନ୍ଧନ ଉପଯୋଗ ହେବ ଆକାଶରେ ମଧ୍ୟ କମ୍ ପ୍ରଦୂଷଣ ହେବ। ଏବେ ଇନ୍ଧନକୁ ଆଇଏସ ୧୭୦୮୧ ଭଳି ଅନ୍ତର୍ଜାତୀକ ମାନକ ସହ ମିଳା ଯାଇ ପାରିବ।

ଏହାଦ୍ୱାରା ବଞ୍ଚିବ ବିପୁଳ ବୈଦେଶିକ ମୁଦ୍ରା
ଭାରତ ୨୦୧୪ରୁ ଏ ପର୍ଯ୍ୟନ୍ତ ଇଥାନଲ ବ୍ଲେଣ୍ଡିଂ ମାଧ୍ୟମରେ ୧.୬୩ଲକ୍ଷ କୋଟିରୁ ଅଧିକ ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ କରିଛି। ଇଥାନଲ ମୁଖ୍ୟରୂପେ ଆଖୁ ରସ, ମକା ଓ ନଷ୍ଟ ଶସ୍ୟରୁ ପ୍ରସ୍ତୁତ ହୁଏ। ଏହା ଦ୍ୱାରା ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳିପାରୁଛି ଓ ଏଥି ପାଇଁ ସେମାନଙ୍କୁ ଏ ପର୍ଯ୍ୟନ୍ତ ୧.୪୩ଲକ୍ଷ କୋଟି ଟଙ୍କା ପୈଠ କରାଯାଇଛି।

Also Read..ଭାରତରେ ଆଜିଠୁ ଆରମ୍ଭ ହେଲା E20 ପେଟ୍ରୋଲ ବିକ୍ରି, ଜାଣନ୍ତୁ ଏବେ କେମିତି ଚାଲିବ ଆପଣଙ୍କ ଗାଡ଼ି