ନୂଆଦିଲ୍ଲୀ ୧୦।୧୧: ରାଜଧାନୀ ଦିଲ୍ଲୀର ପବନ ଏବେ ଜହର ପାଲଟିଛି। ପ୍ରତି ନିଶ୍ୱାସରେ ଲୋକେ ଫୁସଫୁସକୁ ପ୍ରଦୂଷଣ ନେଉଛନ୍ତି। ଏଥିରେ ଆଶା କରାଯାଉଥିଲା କ୍ଲାଉଡ ସିଡିଂ (କୃତ୍ରିମ ବର୍ଷା) ଲୋକଙ୍କୁ ଆଶ୍ୱସ୍ତ କରିବ। ହେଲେ ଏବେ ଏହି ପ୍ରୟୋଗର ସମୟ ଓ ବୈଜ୍ଞାନିକ ତର୍କ ଉପରେ ପ୍ରଶ୍ନ ଉଠିଲାଣି। ପାଣିପାଗ ବିଜ୍ଞାନୀମାନେ ଦିଲ୍ଲୀ ଆକାଶରେ ବଦଲ  କି କାକର ନଥିବା କଥା ପ୍ରଥମରୁ କହିଥିଲେ। ଏଣୁ ବର୍ଷା ସମ୍ଭାନା ପାଖାପାଖି ନଥିଲା। ଏଥିରେ ସରକାର କ୍ଲାଉଡ ସିଡିଂ କରି କୋଟି କୋଟି ଟଙ୍କା ବରବାଦ କରିଥିବା ବେଳେ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଛଟପଟ ହେଉଛନ୍ତି।

ଦିଲ୍ଲୀର ବିଷାକ୍ତ ବାୟୁ ଏବେ କେବଳ ବର୍ଷା ପରୀକ୍ଷଣର ବିଫଳତାକୁ ଦେଖାଉନି ମାନବ ଶରୀର ଭିତରେ ହେଉଥିବା ପ୍ରତିକ୍ରିୟାକୁ ଦେଖାଉଛି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଫୁସଫୁସ ବିଶେଷଜ୍ଞ ଡା. ଅରବିନ୍ଦ କୁମାର କହିଛନ୍ତି ଯେ ଗତ ୩୦ ବର୍ଷରେ ସେ ଦିଲ୍ଲୀର ଲୋକଙ୍କ ଫୁସଫୁସରେ ଡରାଇବା ଭଳି ପରିବର୍ତ୍ତନ ଦେଖିଛନ୍ତି। ପୂର୍ବର ଲୋକଙ୍କ ଫୁସଫୁସ୍ ଗୋଲାପି ରଙ୍ଗର ଥିଲା, ଯାହା ସେମାନେ ସ୍ୱଚ୍ଛ ବାୟୁରେ ନିଶ୍ୱାସ ନେଉଥିଲେ ବୋଲି ପ୍ରମାଣିତ କରୁଥିଲା। ହେଲେ ଏବେ ଲୋକଙ୍କ ଫୁସଫୁସ କଳା ପଡିଗଲାଣି।

ଡାକ୍ତର କହିଛନ୍ତି ଯେ ଫୁସଫୁସର ଏପରି ସ୍ଥିତି କେବଳ ଧୂମ୍ରପାନ କରୁଥିବା ଓ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଠାରେ ଦେଖାଯାଉଥିଲା। ହେଲେ ଏବେ ପିଲା ଓ ମହିଳାଙ୍କ ଫୁସଫୁସ୍ ମଧ୍ୟ ଧୂମ୍ରପାନକାରୀଙ୍କ ଫୁସଫୁସ ଭଳି ଦେଖାଯାଉଛି। ବିଶେଷଜ୍ଞଙ୍କ କହିବା କଥା ହେଉଛି ଦିଲ୍ଲୀରେ କେବଳ କୃତ୍ରିମ ବର୍ଷା ଅଥବା ସଡ଼କରେ ପାଣି ସିଞ୍ଚନ କଲେ କୌଣସି ବଡ଼ ଫରକ ଦେଖିବାକୁ ମିଳିବନି। ଏଣୁ ଲୋକେ ସ୍ୱଚ୍ଛ ବାୟୁ ଦାବି କରିବା ଦରକାର। ଏଣୁ ଯଦି ସମ୍ଭବ ହେଉଛି ଲୋକେ ଦିଲ୍ଲୀର ବିଷାକ୍ତ ପବନରୁ ବାହାରକୁ ଯାଇ ସ୍ୱଚ୍ଛ ବାୟୁରେ ନିଶ୍ୱାସ ନିଅନ୍ତୁ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ କେବଳ ନିଶ୍ୱାସ ପ୍ରଶ୍ୱାସ ନେବାକୁ ସମସ୍ୟାରେ ସୀମିତ ନାହିଁଏହା ଧିରେ ଧିରେ ମୃତ୍ୟୁର ବଡ଼ କାରଣ ପାଲଟିଲାଣି। ନିକଟରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ପ୍ରଦୂଷିତ ବାୟୁ ସମ୍ପର୍କିତ ବେମାରୀ କାରଣରୁ ମୃତ୍ୟୁ ପ୍ରତିଶତ ଏବେ ଚିନ୍ତାଜନକ ସ୍ଥିତିକୁ ପହଞ୍ଚି ସାରିଲାଣି। ବିଶେଷଜ୍ଞଙ୍କ କହିବା କଥା ହେଉଛି ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ପ୍ରଦୂଷିତ ସହରାଞ୍ଚଳରେ ଏବେ ପିଲା ଓ ଯୁବକଙ୍କ ଫୁସଫୁସ୍ ଦ୍ରୁତ ଦୁର୍ବଳ ହେବାରେ ଲାଗିଛି।

ବାୟୁରେ ଥିବା ସୁକ୍ଷ୍ମ କଣ (ପିଏମ ୨.୫)ନା କେବଳ ଫୁସଫୁସକୁ କ୍ଷତି କରୁଛି ବରଂ ହାଇପର ଟେନସନ, ଡାୟବେଟିଜ୍, ଏନିମିୟା ଓ ମଲ୍ଟି ସିଷ୍ଟମ ଅର୍ଗାନ ଫେଲ୍ୟୋର ଭଳି ପରିସ୍ଥିତି ସୃଷ୍ଟି କରୁଛି। ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲର ଫୁସଫୁସ୍ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଦୂଷଣ ଏବେ ଧିରେ ଧିରେ ସବୁ ଅଙ୍ଗ ଉପରେ ପ୍ରଭାବ ପକାଉଛି। ହୃଦୟ, ମସ୍ତିଷ୍କ, ପୁସଫୁସ, କିଡନୀ ଏପରିକି ନର୍ଭସ କାର୍ଯ୍ୟପ୍ରଣାଳୀକୁ ମଧ୍ୟ ବାଧିତ କରୁଛି। ଏଣୁ ଦିଲ୍ଲୀର ବିଷାକ୍ତ ବାୟୁରେ ବଞ୍ଚିବା ଅପେକ୍ଷା ସହରରୁ ପଳାୟନ କରିବା ଭଲ ବୋଲି ଡାକ୍ତର କହୁଛନ୍ତି।