ନୂଆଦିଲ୍ଲୀ : ଏନସିପି (ଶରଦ) ନେତ୍ରୀ ସୁପ୍ରିୟା ସୁଲେ ସଂକେତ ଦେଇଛନ୍ତି ଯେ ତାଙ୍କ ପାର୍ଟି ମହିଳା ଆରକ୍ଷଣ ଲାଗୁ କରୁଥିବା ପରିସୀମନ ବିଧେୟକକୁ ସମର୍ଥନ କରିପାରେ। ତେବେ ଏଥି ପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ତାହା ହେଉଛି ସରକାର ସବୁ ରାଜ୍ୟଙ୍କ ଲାଗି ସିଟ୍ ରେ ୫୦% ବୃଦ୍ଧି ସୁନିଶ୍ଚିତ କରନ୍ତୁ। ସୁପ୍ରିୟା ସୁଲେଙ୍କ ଏହି ବୟାନ ଏବେ ‘ଇଣ୍ଡିଆ’ ମେଣ୍ଟରେ ହଲଚଲ ସୃଷ୍ଟି କରିଛି। ପ୍ରଥମରୁ ବିରୋଧ ଓ ଦଳ ବଦଳକୁ ନେଇ ସମସ୍ୟାରେ ଥିବା ବିପକ୍ଷ ନେତାମାନେ ଗତ ଏପ୍ରିଲରେ ହୋଇଥିବା ଭୋଟିଂରେ ହାର ସୁନିଶ୍ଚିତ କରିଥିବା ବିରୋଧୀଙ୍କ ଏକତାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି।

ସଂସଦରେ ଆସନ ସଂଖ୍ୟା ବଢାଉଥିବା ସମ୍ବିଧାନ ସଂଶୋଧନ ବିଧେୟକ ବିଫଳ ହେବା ପରେ ଶାସକ ବିଜେପି ୪ ବିରୋଧୀ ଦଳଙ୍କ ୩୭ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନିଜ ପକ୍ଷକୁ ନେଇ ଯାଇଛି। ୧୯୮୫ ମସିହା ଦଳ ବଦଳ ନିରୋଧ ଆଇନ ଦେଶରେ ଲାଗୁ ହେବା ପରେ ସଂସଦରେ ବିରୋଧି ଦଳରୁ ଶାସକ ଦଳକୁ ସବୁଠୁ ବଡ଼ ଦଳ ବଦଳ ହୋଇଛି। ଏଥିରେ ଏବେ ସୁଲେଙ୍କ ଟିପ୍ପଣୀ ବିରୋଧୀ ମେଣ୍ଟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗଣମାଧ୍ୟମ ସହ ଆଲୋଚନାରେ ଅନେକ ବିରୋଧୀ ଦଳ ନେତା ଏବେ ଏ କଥାକୁ ନେଇ ଅନିଶ୍ଚିତ ଦେଖା ଯାଉଛନ୍ତି ଯେ ଏନଡିଏ ସରକାର ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ଯଦି ବିଧେକକୁ ଗୃହୀତ କରିବାକୁ ଆଉଥରେ ପ୍ରୟାସ କରନ୍ତି, ଏଥର ଇଣ୍ଡିଆ ମେଣ୍ଟ ପୁଣି ଏକଜୁଟ ରହିବ କି ନା ସେ ନେଇ ସନ୍ଦେହ ପ୍ରକଟ କରିଛନ୍ତି।

୩ଟି ଶୂନ୍ୟ ଆସନକୁ ବାଦ ଦେଇ ଲୋକସଭାରେ ବର୍ତ୍ତମାନ ମୋଟ ସଦସ୍ୟ ସଂଖ୍ୟା ୫୪୦ ରହିଛି। ଏଥିରେ ଜେଲରେ ବନ୍ଦୀ ୨ ସାଂସଦ ମଧ୍ୟ ଅଛନ୍ତି। ଏଣୁ ଏବେ ସଂସଦରେ ଦୁଇ ତୃତିୟାଂଶ ସଂଖ୍ୟା ୩୬୦ ହୋଇ ଯାଉଛି। ଏପ୍ରିଲରେ ପରିସୀମନ ବିଲ ବିରୋଧରେ ୫୨୮ ସାଂସଦ ଭୋଟ ଦେଇଥିଲ ଓ ସେତେବେଳେ ଦୁଇ ତୃତିୟାଂଶ ସଂଖ୍ୟା ୩୫୨ ଥିଲା। ସେତେବେଳେ ସରକାରଙ୍କୁ ୨୯୮ ସାଂସଦଙ୍କ ସମର୍ଥନ ଥିଲା ଓ ବିପକ୍ଷଙ୍କ ସମର୍ଥନରେ ୨୩୦ଟି ଭୋଟ ମିଳିଥିଲା। ସେତେବେଳେ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିଲେ ଓ ତୃଣମୂଳ କଂଗ୍ରେସ, ଶିବସେନା (ଉଦ୍ଧବ)ରେ ବିଭାଜନ ପରେ ଏବେ ସେହି ସଂଖ୍ୟା ୩୧୯ ଅଛି।

ଏଥିରେ ଯଦି ଏନସିପି(ଶରଦ) ବିଧେୟକକୁ ସମର୍ଥନ କରିଦିଏ ଏନଡିଏର ସଂଖ୍ୟା ବଢି ୩୨୭ ହୋଇଯିବ। ଏହା ଦୁଇ ତୃତିୟାଂଶ ସଂଖ୍ୟାରୁ ୩୩ କମ୍। ଏଣୁ ବିଜେପି ଆକଳନ କରିଛି ଅଧିକ ଦଳଙ୍କ ସମର୍ଥନ ଓ କିଛି ସାଂସଦ ଯଦି ଅନୁପସ୍ଥିତ ରହନ୍ତି ତେବେ ହେବାକୁ ଥିବା ଅନ୍ତରକୁ ଦୂର କରିହେବ। ରାଜ୍ୟସଭାର ୨୪୫ ଆସନରୁ ୨୪୨ଟିରେ ସଦସ୍ୟ ଅଛନ୍ତି। ଏଥିରେ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଜୁଲାଇ ୨୪ରେ ଉପନିର୍ବାଚନ ହେବ। ଏହି ୩ଟିଜାକ ଆସନ ଏନଡିଏ ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ। ଏହାପରେ ସଦନରେ ଦୁଇତୃତିୟାଂଶ ବହୁମତ ସଂଖ୍ୟା ୧୬୪ ହେବ।

ଯଦି ସବୁ ସାଂସଦ ମତଦାନ କରନ୍ତି ଓ ଏନଡିଏକୁ ୧୫୫ ଆସନ ମିଳେ ତେବେ ସଂଖ୍ୟାଗରିଷ୍ଠ ମତରୁ ଏହା ୯ କମ୍। ଏଥିରେ ଯଦି ଏନସିପି(ଶରଦ)ର ସମର୍ଥନ ମିଳିଯାଏ ତେବେ ଏହା ବହୁମତ ସଂଖ୍ୟା ପାର କରି ୧୫୬କୁ ପହଞ୍ଚିଯିବ। ସରକାରଙ୍କ ସୂତ୍ର ଅନୁସାରେ ଆଞ୍ଚଳିକ ଦଳଙ୍କ ଦ୍ୱାରା ଦାବି କରାଯାଉଥିବା ପରିବର୍ତ୍ତନ ୫୦% ସାମିଲ କରାଯିବା ପରେ ବିଧେୟକକୁ ଦ୍ୱିତୀୟବାର ସଂସଦରେ ଉପସ୍ଥାପନ କରାଯିବ। ତେବେ ଶୀର୍ଷ ମନ୍ତ୍ରୀମାନେ କହିଛନ୍ତି ଯେ ଉଭୟ ସଦନରେ ଦୁଇ ତୃତିୟୀଂଶ ସଂଖ୍ୟାଗରିଷ୍ଠତା ସୁନିଶ୍ଚିତ କରାଯିବା ପରେ ଏ ଦିଗରେ ପଦକ୍ଷେପ ନିଆଯିବ।

ସୂତ୍ର ଅନୁସାରେ ବାଚସ୍ପତି ଓମ ବିରଳା ଜୁଲାଇ ୨୦ ତାରିଖରେ ସଂସଦ ବୈଠକ ପୂର୍ବରୁ ଲୋକସଭାରେ ଶିବସେନା(ଉଦ୍ଧବ) ଓ ଟିଏମସିରୁ ପୃଥକ ହୋଇଥିବା ଗୋଷ୍ଠୀଙ୍କୁ ଅଧିକାରୀକ ମାନ୍ୟତା ଦେଇ ପାରନ୍ତି। ତେବେ କିଛି ବିପକ୍ଷ ଦଳ ନେତାଙ୍କ ତର୍କ ସୁଲେଙ୍କ ଟିପ୍ପଣୀ କେବଳ ଶିବସେନା (ୟୁବିଟି)ରେ ନିକଟରେ ହୋଇଥିବା ବିଭାଜନ ପରେ ନିଜ ପାର୍ଟିର ଅସନ୍ତୁଷ୍ଟଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଥିଲା। ଏଥିରେ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ‘ଯଦି ସଂଶୋଧିତ ବିଧେୟକରେ ସବୁ ରାଜ୍ୟର ଆସନ ସଂଖ୍ୟାରେ ଏକ ସମାନ ବୃଦ୍ଧି ଅର୍ଥାତ ୫୦% ଆସନ ସୁନିଶ୍ଚିତ କରାଯାଏ ତେବେ ଏହାକୁ ବିରୋଧ କରିବାର ଆଉ ଆବଶ୍ୟକତା ହିଁ ନାହିଁ’। ତେବେ ସେ କହିଛନ୍ତି ଯେ ତାଙ୍କ ପାର୍ଟି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ ଓ ଏବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କ ପାର୍ଟି ଏବଂ ଇଣ୍ଡିଆ ବ୍ଲକରେ ଆଲୋଚନା ପରେ ନିଆଯିବ। ଏଥିରୁ ସୁଲେଙ୍କ ବାର୍ତ୍ତା ନିଜ ସାଂସଦଙ୍କୁ ଏହା ଜଣାଇବା ପାଇଁ ଥିଲା ଯେ ସେମାନଙ୍କୁ ଏନଡିଏ ଆଡ଼କୁ ନଇଁବାର କୌଣସି ଆବଶ୍ୟକତା ନାହିଁ।

ତେବେ ବିରୋଧୀଙ୍କୁ ଏବେ ଏ କଥାର ଚିନ୍ତା ଯେ ଅନ୍ୟ ଦଳ ମଧ୍ୟ ଏବେ ଏହି ରାୟରେ ଆସୁଛନ୍ତି। ଜନୈକ ନେତା କହିଛନ୍ତି ଯେ ଅନେକ ଆଞ୍ଚଳିକ ଦଳ ବିଶେଷ କରି ହିନ୍ଦୀ ଭାଷୀ କ୍ଷେତ୍ରିୟ ଦଳ ସିଟରେ ଏକ ସମାନ ବୃଦ୍ଧିରେ ସହମତ ଥିଲେ। ତେବେ ଏ କ୍ଷେତ୍ରରେ ସମାଜବାଦୀ ପାର୍ଟି ଓ ଜେଏମଏମ ପ୍ରସଙ୍ଗରେ ଏବେ କେଉଁ ଆଭିମୁଖ୍ୟ ଆପଣେଇବେ। ଏ ସମ୍ପର୍କରେ ପଚରା ଯିବାରେ ସପା ସାଂସଦ କହିଛନ୍ତି ଯେ ପାର୍ଟି ବିଜେପି ନେତୃତ୍ୱାଧୀନ ସରକାରକୁ ସମର୍ଥନ କରି ନ ପାରେ। କାରଣ ଆଗାମୀ କିଛି ମାସ ମଧ୍ୟରେ ୟୁପି ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଅନ୍ୟ ଜଣେ ନେତା କହିଛନ୍ତି ଯେ ଦ୍ୱିତୀୟ ବିକଳ୍ପ ମଧ୍ୟ ପାର୍ଟି ପାଇଁ ଅନୁକୂଳ ନୁହେଁ। କାରଣ ସାଂସଦ ସାଂସଦ ଏପରି ଆଇନକୁ ବିରୋଧ କରିବେନି ଯେଉଁଥିରେ ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ ବଢିବ। ଏଣୁ ସପା ହୁଏତ ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରିପାରେ।

ତେବେ ଜନୈକ ବିରୋଧୀ ଦଳ ନେତା କହିଛନ୍ତି ଯେ ‘କକ୍ଷ୍ୟତ୍ୟାଗ’ ଭଳି ରଣନୈତିକ ବିକଳ୍ପ ମଧ୍ୟ ରହିଛି। ସମ୍ବିଧାନ ସଂଶୋଧନ ବିଧେୟକକୁ ଗୃହୀତ କରିବା ପାଇଁ ଉପସ୍ଥିତ ଓ ଭୋଟ ଦେବାକୁ ଥିବା ସଦସ୍ୟଙ୍କୁ ମିସାଇ ମୋଟ ସଂଖ୍ୟାକୁ କମ୍ କରିବା। ତେବେ ଏହା ଦ୍ୱାରା ମଧ୍ୟ ସରକାରଙ୍କୁ ବିଧେୟକ ଗୃହିତ କରିବାକୁ ସୁଯୋଗ ମିଳିଯିବ। ସରକାରଙ୍କ ସୂତ୍ର ଅନୁସାରେ ଡିଏମକେ ଭଳି ପାର୍ଟି ଆମ ଚର୍ଚ୍ଚାରେ ପ୍ରସ୍ତାବକୁ ନେଇ ସହମତ ହୋଇଯାଇଥିଲା। ତେବେ କଂଗ୍ରେସ ଚାପରେ ଡିଏମକେ ବିଧେୟକ ବିପକ୍ଷରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା। ଏବେ ଡିଏମକେ, ସପା, ଜେଏମଏମ ଓ ଆରଜେଡି ସମେତ ଅଧିକାଂଶ ଆଞ୍ଚଳିକ ଦଳ ଆଉ କଂଗ୍ରେସ ସହିତ ରହିବା ମୁଡରେ ନାହାନ୍ତି। ଏଥିରେ ଯଦି ୫୦% ପ୍ରାବଧାନ ଯୋଡି ଦିଆଯାଏ ତେବେ ବିଧେୟକକୁ ବିରୋଧ କରିବାକୁ କୌଣସି କାରଣ ରହିବନି।