LIVE TV

ନିବେଶକଙ୍କୁ ମାଲାମାଲ କଲା ସରକାରୀ ସୁନା, ମିଳିଲା ୩୨୫%ର ବମ୍ପର ରିଟର୍ଣ୍ଣ

NEWS7
gfx

ନୂଆଦିଲ୍ଲୀ ୨୩।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋଭରେନ ଗୋଲ୍ଡ ବଣ୍ଡ (ଏସଜିବି) ୨୦୧୭-୧୮ ସିରିଜ-୪ର ଫାଇନାଲ ରିଡିମ୍ପସନ ପ୍ରାଇସ୍ ଘୋଷଣା କରିଛନ୍ତି। ଏହି ସିରିଜ ଅନୁସାରେ ଜାରି ଗୋଲ୍ଡ ବଣ୍ଡର ଶେଷ ରିଡିମ୍ପସନ ତାରିଖ ୨୩ ଅକ୍ଟୋବର ୨୦୨୫ ନିର୍ଦ୍ଧାରଣ କରାଯାଇଛି। ଏହାର ଅର୍ଥ ନିବେଶକ ଗୋଲ୍ଡବଣ୍ଡରେ କରିଥିବା ସେମାନଙ୍କ ନିବେଶ ବାବଦ ଅର୍ଥର ପୁରା ପଇସା ଏହି ତାରିଖ ପରେ ଫେରସ୍ତ ନେଇ ପାରିବେ।

ଏସଜିବି ଏକ ସରକାରୀ ଯୋଜନା, ଯେଉଁଥିରେ ଆପଣ ସୁନାରେ ନିବେଶ କରନ୍ତି ହେଲେ ଅସଲି ସୁନା କିଣନ୍ତିନି। ଏହା ବଦଳେ ଆପଣଙ୍କୁ ବଣ୍ଡ ମିଳିଥାଏ ଯାହାର ମୂଲ୍ୟ ସୁନା ମୂଲ୍ୟ ସହ ତୁଳନା ହୁଏ। ଏହି ବଣ୍ଡ ୮ ବର୍ଷ ଅବଧି ନିମନ୍ତେ ଜାରି କରାଯାଏ, ହେଲେ ନିବେଶକଙ୍କୁ ୫ ବର୍ଷରେ ରିଡିମ୍ପସନ କରିବାର ବିକଳ୍ପ ମଧ୍ୟ ଦିଆଯାଇ ଥାଏ। ଆରବିଆଇଙ୍କ ଅନୁସାରେ ୨୩ ଅକ୍ଟୋବର ୨୦୨୫ରେ ଏହି ସିରିଜର ବଣ୍ଡ ରିଡିମ୍ପସନ ପ୍ରାଇସ୍ ପ୍ରତି ୟୁନିଟ୧୨,୭୦୪ ଟଙ୍କା ହେବ। ଏହି ମୂଲ୍ୟ ସୁନାର ବଜାର ଦର ଆଧାରରେ ନିର୍ଦ୍ଧାରଣ କରାଯାଇଛି।

ଏହା ଅକ୍ଟୋବର ପ୍ରଥମ ୩ ଦିନର ହାରାହାରି ସୁନା ମୂଲ୍ୟ ଉପରେ ଆଧାରିତ। ଏହି ସିରିଜ ଆରମ୍ଭରେ ପ୍ରତି ଗ୍ରାମ ପିଛା ୨,୯୭୧ ଟଙ୍କାରେ ବଣ୍ଡ ଜାରି କରାଯାଇଥିଲା। ଅର୍ଥାତ ନିବେଶକଙ୍କୁ ଏହି ୮ ବର୍ଷରେ ନିବେଶ ୩୨୫% ରିଟର୍ଣ୍ଣ ଦେଇଛି। ଏହି ରିଟର୍ଣ୍ଣ ସୁଧକୁ ବାଦ ଦେଇ ନିର୍ଦ୍ଧାରିତ ହୋଇଛି। ଏହାର ଅର୍ଥ ହେଉଛି ସୁନାରେ ନିବେଶକାରୀ ଦୀର୍ଘ ଅବଧିରେ ବେଶ୍ ଲାଭ ପାଇଛନ୍ତି। ଏସଜିବିରେ ନିବେଶକାରୀ ୮ ବର୍ଷ ପର୍ଯ୍ୟନ୍ତ ବଣ୍ଡ ରଖି ପାରିବେ। ହେଲେ ୫ ବର୍ଷ ପୂରଣ ହେଲେ ସମୟ ପୂର୍ବରୁ ରିଡିମ୍ପ ମଧ୍ୟ କରିପାରିବେ। ଆରବିଆଇ ନିୟମ ଅନୁସାରେ ଏହି ରିଡିମ୍ପସନ ପ୍ରକ୍ରିୟା ବେଶ୍ ସହଜରେ ପୂରା ହୁଏ।

ଯଦି ନିବେଶକ ଏହି ଅବଧିରେ ମୃତ୍ୟୁବରଣ କରିଥାନ୍ତି ତାଙ୍କ ନୋମିନୀଙ୍କୁ ବଣ୍ଡ ବାବଦ ଅର୍ଥ ଦିଆଯିବାର ମଧ୍ୟ ସୁବିଧା ରହିଛି ଓ ସେ ସରକାରୀ ନିୟମ ଅନୁସାରେ କ୍ଲେମ ଉପସ୍ଥାପନ କରିପାରିବେ। ଯଦି ନୋମିନେସନ ନ ହୋଇଥାଏ ତେବେ ତାଙ୍କ ଉତ୍ତରାଧିକାରୀ ବଣ୍ଡ ଆଧାରରେ ମଧ୍ୟ କ୍ଲେମ କରିପାରିବେ। ଏହି ନିୟମ ନାବାଳକ ନିବେଶକଙ୍କ ଲାଗି ମଧ୍ୟ ପ୍ରଯୁଜ୍ୟ। ଏସଜିବିରେ ସୁନାର ବଜାର ମୂଲ୍ୟ ସହ ସୁଧ ମଧ୍ୟ ମିଳିଥାଏ। ଯାହା କ୍ରେତାଙ୍କୁ ସୁନା କ୍ରୟଠାରୁ ମଧ୍ୟ ଅଧିକ ଲାଭ ଦେଇଥାଏ। ଏହା ଛଡା ଏହାକୁ ରଖିବା ବେଶ୍ ସହଜ ଓ ଚୋରିର ଭୟ ମଧ୍ୟ ନାହିଁ। ଏହା ସରକାରୀ ଗ୍ୟାରେଣ୍ଟି ନିବେଶ ଓ ଆପଣଙ୍କ ପଇସା ସୁରକ୍ଷିତ ରହେ।