ନୂଆଦିଲ୍ଲୀ: କୌଣସି କମ୍ପାନିର ସିଇଓଙ୍କ ସ୍ଥାନ ନେଇପାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) । ଏକଥା ଖୋଦ ଗୁଗଲ ସିଇଓ ସୁନ୍ଦର ପିଚାଇ କହିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ସୁନ୍ଦର ପିଚାଇ ଆଜି (ଶନିବାର) ନିଜ କମ୍ପାନିର କର୍ମଚାରୀଙ୍କୁ ଏଆଇକୁ ନେଇ ଆଗକୁ ଆସୁଥିବା ଆହ୍ବାନ ସଂପର୍କରେ ଚେତାବନୀ ଦେଇଛନ୍ତି । ଏଆଇ କ୍ଷେତ୍ରରେ ପ୍ରତିଯୋଗୀତା ଲାଗି ୨୦୨୬ ବେଶ ଆହ୍ବାନପୂର୍ଣ୍ଣ ବୋଲି ଅଲ-ହ୍ୟାଣ୍ଡସ୍ ବୈଠକରେ ଉପସ୍ଥିତ କମ୍ପାନିର ସବୁ ବିଭାଗର କର୍ମଚାରୀଙ୍କୁ କହିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ ।

ଆଗକୁ ଆସୁଥିବା ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଲାଗି କମ୍ପାନୀର କର୍ମଚାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ସୁନ୍ଦର ପିଚାଇ କହିଛନ୍ତି, ୨୦୨୬ ଆହ୍ବାନ ଭରା ବର୍ଷ ହେବାକୁ ଯାଉଛି । ଏହି ସମୟରେ ଏଆଇକୁ ନେଇ ପ୍ରତିଯୋଗୀତା ଏବଂ କ୍ଲାଉଡ୍ କମ୍ପ୍ୟୁଟିଂର ଚାହିଦା ପୂରଣ ଲାଗି ଚାପ ବୃଦ୍ଧି ପାଇବ । ଏହି ସମୟରେ ପିଚାଇ ସମ୍ଭାବ୍ୟ ଏଆଇ ନିବେଶ ବବଲ୍ ବିଢ଼ୁଥିବା ଚିନ୍ତାକୁ ନେଇ ମଧ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏଆଇ ଇନଭେଷ୍ଟମେଣ୍ଟ ବବଲ୍କୁ ନେଇ ସିଲିକନ ଭ୍ୟାଲିରେ ପ୍ରବଳ ଚର୍ଚ୍ଚା । ଏଆଇରେ ନିବେଶ ଆଶାତୀତ ବୃଦ୍ଧି ପାଇବାକୁ ନେଇ ଚିନ୍ତା ବଢ଼ିଛି । ବବଲ୍ ବର୍ଷ୍ଟ ବା କ୍ରାସ୍ ହେବା ନେଇ ମଧ୍ୟ ସନ୍ଦେହ କରୁଛନ୍ତି ବିଶେଷଜ୍ଞ । ଏଆଇ କ୍ଷେତ୍ରରେ ଟ୍ରିଲିୟନ୍ ଡଲାର ନିବେଶର ଯଥାର୍ଥ ମାନ ରହିପାରିବ କି ନାହିଁ ତାକୁ ନେଇ ଚର୍ଚ୍ଚା ହେଉଛି । ଏହା ଉପରେ ଚିନ୍ତା ଜାହିର କରି ଜଣେ କର୍ମଚାରୀ ପିଚାଇଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଏହାକୁ ଏକ ଭଲ ପ୍ରଶ୍ନ ବୋଲି ପିଚାଇ କହିଛନ୍ତି । ସେ କହିଛନ୍ତି, ଅତ୍ୟଧିକ ନିବେଶ କରିବା ଅପେକ୍ଷା ଆକ୍ରମଣାତ୍ମକ ଭାବରେ ନିବେଶ କରିବା ବେଶୀ ବିପଦ । ଏହା ସହ ସେ ଗୁଗଲ କ୍ଲାଉଡ୍ର ଉଦାହରଣ ଦେଇଛନ୍ତି । ଏହା ପ୍ରଭାବଶାଳୀ ଢ଼ଙ୍ଗରେ ବାର୍ଷିକ ୩୫ ପ୍ରତିଶତ ହାରରେ ରାଜସ୍ବ ବୃଦ୍ଧି ସହ ଆଗକୁ ବଢ଼ୁଛି । ସେହିଭଳି ନିବେଶ କରିବା ସମୟରେ କିଛି ବି ଆକଳନ କରିବା କଷ୍ଟକର ।

ପିଚାଇ ଗୁଗଲର ଶୃଙ୍ଖଳିତ ନିବେଶ ଆଭିମୁଖ୍ୟ ଏବଂ ଦୃଢ଼ ଆର୍ଥିକ ଭିତ୍ତିଭୂମିକୁ ଦର୍ଶାଇ କର୍ମଚାରୀଙ୍କୁ ଆଶ୍ବସ୍ତ କରିଛନ୍ତି । ଏହା ସହ ସେ କହିଛନ୍ତି, କମ୍ପାନୀ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତୁଳନାରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ଭଲ ଭାବରେ ମୁକାବିଲା କରିପାରିବ। ପିଚାଇ କହିଛନ୍ତି, ଆମେ ଅନ୍ୟ କମ୍ପାନୀଗୁଡ଼ିକ ତୁଳନାରେ କ୍ଷତି ସହିବା ପାଇଁ ଭଲ ସ୍ଥିତିରେ ଅଛୁ । ଆଗାମୀ ବର୍ଷ ମାର୍କେଟ ଉପଳ ତଳ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ପିଚାଇ କର୍ମଚାରୀଙ୍କୁ ଆହୁରି କହିଛନ୍ତି, ଏହା ଏକ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ମୁହୂର୍ତ୍ତ । ତେଣୁ ଆମେ ନିଜର ପ୍ରତିଷ୍ଠା ଉପରେ ନିର୍ଭର କରିପାରିବା ନାହିଁ। ଆମର ଆଗକୁ ବହୁତ କଠିନ ପରିଶ୍ରମ ଅଛି । କିନ୍ତୁ ମୁଁ ଭାବୁଛି ଆମେ ଏହି ମୁହୂର୍ତ୍ତରେ ଭଲ ସ୍ଥିତିରେ ଅଛୁ । ଗୁଗୁଲ୍ ଓପନଏଆଇ, ମାଇକ୍ରୋସଫ୍ଟ ଏବଂ ଆନ୍ଥ୍ରୋପିକ ଭଳି ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଏଆଇ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଗୁଗଲ ସିଇଓ ।