ନୂଆଦିଲ୍ଲୀ: ପିୟୁ ରିସର୍ଚ୍ଚ ସେଣ୍ଟର (Pew Research Center) ପକ୍ଷରୁ ବିଶ୍ୱର ୩୬ଟି ଦେଶରେ କରାଯାଇଥିବା ଏକ ନୂତନ ସର୍ଭେରୁ ଜଣାପଡ଼ିଛି ଯେ, ଭାରତ ପ୍ରତି ବିଶ୍ୱବାସୀଙ୍କ ଧାରଣା ବେଶ୍ ସକାରାତ୍ମକ ରହିଛି। ଏହି ସର୍ଭେରେ କେତେକ ଦେଶ ଭାରତକୁ ବହୁତ ପସନ୍ଦ କରୁଥିବା ବେଳେ କିଛି ଦେଶରେ ମତ ବିଭାଜିତ ରହିଛି। ୟୁରୋପ, ଏସିଆ ଏବଂ ଆଫ୍ରିକାର ଅନେକ ଦେଶରେ ଭାରତ ପ୍ରତି ସମର୍ଥନ ଓ ସୁସମ୍ପର୍କ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଶ୍ରୀଲଙ୍କା (୭୯%):


ଏହି ସର୍ଭେରେ ଶ୍ରୀଲଙ୍କାରେ ଭାରତ ପ୍ରତି ସବୁଠାରୁ ଅଧିକ ସକାରାତ୍ମକ ମନୋଭାବ (୭୯ ପ୍ରତିଶତ) ଦେଖିବାକୁ ମିଳିଛି। ଦ୍ୱିପାକ୍ଷିକ ଆଞ୍ଚଳିକ ସମ୍ପର୍କ, ସାଂସ୍କୃତିକ ସମ୍ବନ୍ଧ ଏବଂ ଆର୍ଥିକ ସହଯୋଗ କାରଣରୁ ଶ୍ରୀଲଙ୍କାବାସୀଙ୍କ ମନରେ ଭାରତ ପାଇଁ ବିଶେଷ ସ୍ଥାନ ରହିଛି।

ବ୍ରିଟେନ (୭୧%):


ବ୍ରିଟେନରେ ୭୧ ପ୍ରତିଶତ ଲୋକ ଭାରତ ପ୍ରତି ସକାରାତ୍ମକ ମତ ରଖିଛନ୍ତି। ବ୍ରିଟେନରେ ରହୁଥିବା ପ୍ରବାସୀ ଭାରତୀୟ, ଶିକ୍ଷାଗତ ଆଦାନପ୍ରଦାନ, ବିନିଯୋଗ ଏବଂ ମଜଭୁତ ରାଜନୈତିକ ସମ୍ପର୍କ ଏହି ଭଲ ପାଇବାର ମୁଖ୍ୟ କାରଣ।

କେନ୍ୟା (୭୧%):
ଆଫ୍ରିକୀୟ ଦେଶ କେନ୍ୟାରେ ମଧ୍ୟ ୭୧ ପ୍ରତିଶତ ଲୋକ ଭାରତକୁ ସମର୍ଥନ କରିଛନ୍ତି। ବାଣିଜ୍ୟ, ସ୍ୱାସ୍ଥ୍ୟସେବା ସହଯୋଗ, ଶିକ୍ଷା ଏବଂ ଭାରତୀୟ ସମୁଦାୟର ସକ୍ରିୟ ଯୋଗଦାନ ଯୋଗୁଁ କେନ୍ୟାରେ ଭାରତର ସୁନାମ ବଢ଼ିଛି ।

ଜର୍ମାନୀ (୬୩%):
ଜର୍ମାନୀରେ ୬୩ ପ୍ରତିଶତ ଲୋକ ଭାରତ ସପକ୍ଷରେ ମତ ଦେଇଛନ୍ତି।  ବ୍ୟବସାୟିକ ସହଭାଗିତା, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଶିକ୍ଷାଗତ ଆଦାନପ୍ରଦାନ ବୃଦ୍ଧି ପାଇବା ଯୋଗୁଁ ଜର୍ମାନୀରେ ଭାରତ ପ୍ରତି ସମର୍ଥନ ବଢ଼ିଛି।

ଇସ୍ରାଏଲ୍ (୬୦%):


ଭାରତର ପ୍ରମୁଖ କୂଟନୈତିକ ଏବଂ ରଣନୈତିକ ଭାଗିଦାରୀ ଦେଶ ଇସ୍ରାଏଲରେ ୬୦ ପ୍ରତିଶତ ଲୋକ ଭାରତକୁ ପସନ୍ଦ କରନ୍ତି। ପ୍ରତିରକ୍ଷା ସହଯୋଗ, ନବସୃଜନ ଏବଂ ସୁଦୃଢ଼ ନୀତିଗତ ସମ୍ପର୍କ ଏହାର ପ୍ରମୁଖ ଭିତ୍ତିଭୂମି।

ଇଟାଲୀ (୫୬%):
ଇଟାଲୀରେ ୫୬ ପ୍ରତିଶତ ନାଗରିକ ଭାରତ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରନ୍ତି। ବାଣିଜ୍ୟ, ଉତ୍ପାଦନ କ୍ଷେତ୍ର ଏବଂ ବ୍ୟବସାୟିକ ଆଦାନପ୍ରଦାନ ଦ୍ୱାରା ଦୁଇ ଦେଶ ମଧ୍ୟରେ ଆସ୍ଥା ବୃଦ୍ଧି ପାଇଛି।

ଜାପାନ (୫୫%):

​​​​​​​
ଏସିଆର ମହତ୍ତ୍ୱପୂର୍ଣ୍ଣ ସହଯୋଗୀ ଜାପାନରେ ୫୫ ପ୍ରତିଶତ ଲୋକ ଭାରତକୁ ସମର୍ଥନ କରନ୍ତି। ଭିତ୍ତିଭୂମି ପ୍ରକଳ୍ପ, ନିବେଶ, ପ୍ରତିରକ୍ଷା ସହଯୋଗ ଏବଂ ସପ୍ଲାଇ ଚେନ୍ ସହଭାଗିତା ଦ୍ୱାରା ବିଗତ ଦଶନ୍ଧିରେ ଦୁଇ ଦେଶର ସମ୍ପର୍କ ଅଧିକ ନିବିଡ଼ ହୋଇଛି।

ପାକିସ୍ତାନ (୭%)
ଏହି ଗ୍ଲୋବାଲ ସର୍ଭେରେ ପାକିସ୍ତାନରେ ଭାରତ ପ୍ରତି ସବୁଠାରୁ କମ୍ ସମର୍ଥନ (ମାତ୍ର ୭ ପ୍ରତିଶତ) ମିଳିଛି। ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ରାଜନୈତିକ ତିକ୍ତତା ଏବଂ ସୀମାନ୍ତ ସୁରକ୍ଷା ସମ୍ବନ୍ଧୀୟ ବିବାଦ ଯୋଗୁଁ ସେଠାକାର ଜନସାଧାରଣଙ୍କ ମନୋଭାବ ଅତ୍ୟନ୍ତ ପ୍ରତିକୂଳ ରହିଛି।