LIVE TV

ନୀତିଶ ସିଏମ ଥିଲେ, ଆଉ ରହିବେ; ପ୍ରଚଣ୍ଡ ବିଜୟ ପରେ JDUର ଟୁଇଟ୍, ପୁଣି କଲା ଡିଲିଟ୍

NEWS7
giant-asteroid-is-heading-towards-earth

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ନେତୃତ୍ଵାଧୀନ ଏନଡିଏ ମେଣ୍ଟ ଐତିହାସିକ ବିଜୟ ହାସଲ କରିଛି। ପୁଣି ଥରେ ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ଯାଉଛି। ଅପରାହ୍ଣ ୪ଟା ସୁଦ୍ଧା ଏନଡିଏ ୨୦୮ ସିଟରେ ଆଗୁଆ ଚାଲିଛି। ମହାମେଣ୍ଟ ଶୋଚନୀୟ ଭାବେ ପରାଜିତ ହୋଇଛି। ବିଜେପି ୯୦ରୁ ଅଧକ ସିଟରେ ଆଗୁଆ ରହି ପ୍ରଥମରେ ରହିଛି। ଜେଡିୟୁ ୮୫ ସିଟରେ ଆଗରେ ଚାଲିଛି। ଏହା ମଧ୍ୟରେ ଜେଡିୟୁ ଏକ୍ସରେ ଏମିତି ଏକ ଟୁଇଟ୍ କରିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଜେଡିୟୁ ଲେଖିଛି, ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଆଗକୁ ମଧ୍ୟ ରହିବେ। ହେଲେ କିଛି ସମୟ ପରେ ପାର୍ଟି ଟୁଇଟକୁ ଡିଲିଟ୍ କରି ଦେଇଛି।

ଜେଡିୟୁ ଏକ୍ସରେ ଲେଖିଛି, ନା ଅତୀତ, ନା ଭବିଷ୍ୟତ... ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ରହିବେ। ପାର୍ଟି ଏହି ପୋଷ୍ଟ କରିବା ପରେ ପୁଣି ଏହାକୁ ହଟାଇ ଦେଇଛି। ଏହାକୁ ନେଇ ଏବେ ଅନେକ ପ୍ରକାରର କଳ୍ପନା ଜଳ୍ପନା କରାଯାଉଛି। ଉଲ୍ଲେଖନୀୟ ବିହାରରେ ଏନଡିଏ ନୀତିଶ କୁମାରଙ୍କ ନେତୃତ୍ଵରେ ନିର୍ବାଚନ ଲଢିଥିଲା। ଏନଡିଏର ନେତା ମଧ୍ୟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ, ମାତ୍ର କେବେ ବି ଖୋଲାଖୋଲି ପାର୍ଟି କହିନାହିଁ ଯେ, ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିବେ। ଗତ ନିର୍ବାଚନରେ ବିଜେପି ତୁଳନାରେ ଜେଡିୟୁ ବହୁତ କମ ସିଟ୍ ଜିତିଥିଲା। ତଥାପି ବିଜେପି ନୀତିଶ କୁମାରଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିଥିଲା। ଏଥର ବିଜେପି ରାଜ୍ୟରେ ସବୁଠୁ ବଡ଼ ପାର୍ଟି ହୋଇ ଏନଡିଏ ମେଣ୍ଟରେ ବଡ଼ ଭାଇ ଭୂମିକାରେ ରହିଛି।

ପ୍ରଚଣ୍ଡ ବିଜୟ ଅଭିମୁଖେ ଏନଡିଏ

ବିହାର ନିର୍ବାଚନରେ ଭାରତୀୟ ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ରାଜ୍ୟରେ ୨୪୩ ବିଧାନସଭା ସିଟରୁ ୧୯୯ ସିଟରେ ଆଗୁଆ ରହି ପ୍ରଚଣ୍ଡ ବିଜୟ ଆଡ଼କୁ ଅଗ୍ରସର ହେଉଛି। ବିଜେପି ଏକ ନମ୍ବର ପାର୍ଟି ଭାବେ ସାମ୍ନାକୁ ଆାସିଥିବା ବେଳେ ଦ୍ଵିତୀୟରେ ରହିଛି ଜେଡିୟୁ। ଏହା ବ୍ୟତୀତ ଚିରାଗ ପାସଓ୍ଵାନଙ୍କ ପାର୍ଟି ମଧ୍ୟ ୨୧ ସିଟରେ ଆଗରେ ରହିଛି। ହମ, ଆରଏଲଏମ ଚାରି-ଚାରି ସିଟରେ ଆଗୁଆ ରହିଛନ୍ତି।

ଅନ୍ୟପଟେ ମହାମେଣ୍ଟ ଶୋଚନୀୟ ଭାବେ ପରାଜିତ ହୋଇଛି। ଆରଜେଡି ମାତ୍ର ୨୮ଟି ସିଟରେ ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ଛଅଟି ଓ ବାମଦଳ ୫ଟି ସିଟରେ ଆଗୁଆ ରହିଛନ୍ତି। ବିଜେପିର ଏହି ପ୍ରଦର୍ଶନ ଦଳକୁ ରାଜନୈତିକ ଭାବେ ଆହୁରି ମଜବୁତ କରିବ। ଗତ ବର୍ଷ ଲୋକସଭା ନିର୍ବାଚନରେ ମିଳିଥିବା ଝଟକାକୁ ଦଳ କିଛି ମାତ୍ରାରେ ଭରଣା କରିବ। ଦିଲ୍ଲୀ, ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ଲଗାତାର ପ୍ରଦର୍ଶନ ପରେ ବିହାରରେ ମଧ୍ୟ ଦଳକୁ ଆଶାତୀତ ସଫଳତା ମିଳିଛି।