ନୂଆଦିଲ୍ଲୀ: ନବରାତ୍ରି ପାଇଁ ଭାରତ ଉତ୍ସବମୁଖର ହୋଇଉଠିଛି । ପାର୍ବଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ଯୁବପିଢ଼ି ମଧ୍ୟ ପୂଜାକୁ ନେଇ ମଧ୍ୟ ଉତ୍ସାହିତ ଅଛନ୍ତି । ପୂଜାକୁ ନେଇ ଯୁବପିଢ଼ି, ବିଶେଷ କରି ଜେନ୍‌ ଜିଙ୍କ ଗହଣରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ନବରାତ୍ରିରେ ଯେମିତି ଚେହେରା ମଳିନ ନପଡ଼େ ଏବଂ ଶରୀରର ଶକ୍ତି ନକମିବ, ସେଥିପାଇଁ ସେମାନେ ବିଭିନ୍ନ କ୍ଲିନିକ୍‌ରେ ଭିଡ଼ ଜମାଉଛନ୍ତି । ତେବେ ଚେହେରା ଚମକାଇବା ପାଇଁ ସେମାନେ ଏକପ୍ରକାର ଥେରାପି  IV Drip ପ୍ରତି ଆକୃଷ୍ଟ ହେଉଛନ୍ତି ।

ନବରାତ୍ରିରେ ଲଗାତାର ୯ ରାତି ଗରବା ନାଚିବା ପାଇଁ ଆବଶ୍ୟକ ଶାରୀରିକ ଶକ୍ତି ଏବଂ ତ୍ବଚାର ଉଜ୍ଜ୍ବଳତା ପାଇଁ ଜେନ-ଜି ଭିଟାମିନ୍‌-ସି, ବି-କଂପ୍ଲେକ୍ସ, ଜିଙ୍କ ଏବଂ ଗ୍ଲୁଟାଥାୟୋନ୍‌ ଭଳି ଜରୁରୀ ପୋଷକତତ୍ତ୍ବକୁ ଭେନ୍‌ ମାଧ୍ୟମରେ ଗ୍ରହଣ କରୁଛନ୍ତି । ଏହି ଟ୍ରେଣ୍ଡ ଏବେ ଗୁଜରାଟର ଅହମ୍ମଦାବାଦରେ ଦେଖିବାକୁ ମିଳୁଛି ।

ସ୍ବତନ୍ତ୍ର ଆଇଭି ଡ୍ରିପ୍‌ର ଗୋଟିଏ ସେସନ୍‌ ପାଇଁ ୪୦୦୦ରୁ ୧୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସଂପୂର୍ଣ୍ଣ ପ୍ୟାକେଜ୍‌ର ମୂଲ୍ୟ ୧୫,୦୦୦ ଟଙ୍କା ରହିଛି । ଏହି ପୂରା ପ୍ରକ୍ରିୟା ଲାଗି ୪୫ ମିନିଟ୍‌ ସମୟ ଲାଗେ । କେବଳ ଯୁବକ ଯୁବତୀ ନୁହଁନ୍ତି, ୩୦ରୁ ୪୦ ବୟସ୍କ ଲୋକେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । 

ଜଣେ ୨୪ ବର୍ଷୀୟ ଯୁବତୀ ନାମ ଗୋପନ ରଖି ଏନଡିଟିଭିକୁ କହିଛନ୍ତି, ରାତି ସାରା ଗରବା ପ୍ରାକ୍ଟିସ କରିବାରୁ ତ୍ବଚା ମଳିନ ପଡ଼ିଯାଉଛି । ତେଣୁ ସେ ପ୍ରଥମ ଥର ପାଇଁ ଆଇଭି ଡ୍ରିପ୍‌ ଲାଗି ବୁକ୍‌ କରିଛନ୍ତି । ତାଙ୍କ ବନ୍ଧୁଙ୍କ ପରାମର୍ଶକ୍ରମେ ସେ ଏହି ସେସନ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଫଳରେ ୯ ରାତିରେ ଗରବା କରିବାକୁ ହେଲେ ତାଙ୍କୁ କିଛି ଅସୁବିଧା ହେବ ନାହିଁ । ସେପଟେ ଡାକ୍ତରଙ୍କ ବିନା ପରାମର୍ଶରେ ଆଇଭି ଡ୍ରିପ୍‌ କରାଇବା ହାନୀକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।