ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ପୁଣି ଥରେ ଦୁନିଆରେ ନିଜ ଦମ ଦେଖାଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ମାସରେ ଦେଶର ଜିଡିପି ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଗତ ଛଅ କ୍ୱାର୍ଟରରେ ସବୁଠୁ ଅଧିକ ଅଟେ । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଏହା ୫.୬ ପ୍ରତିଶତ ଥିଲା ।ଏହି ଅଭିବୃଦ୍ଧି କେବଳ ଅନୁମାନଠାରୁ ଉପରେ ନୁହେଁ, ବରଂ ଘରୋଇ ଚାହିଦା, ଗ୍ରାମଣୀ ଅର୍ଥବ୍ୟବସ୍ଥା ଓ ସରକାରୀ ଖର୍ଚ୍ଚର ମଜଭୁତିକୁ ପ୍ରତିଫଳିତ କରୁଛି ।

ଗତ ତ୍ରୈମାସରେ ଦେଶର ଜିଡିପି ୭.୮ ପ୍ରତିଶତ ରହିଥିଲା, କିନ୍ତୁ ଦ୍ୱିତୀୟ ତ୍ରୈମାସରେ ଏହା ବଢି ୮.୨ ପ୍ରତିଶତ ହୋଇଛି । ଆର୍ଥିକ ବିଶେଷଜ୍ଞମାନେ ୭.୩ ପ୍ରତିଶତ ଯାଏ ବୃଦ୍ଧି ଅନୁମାନ ଥିଲା । କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ୭ ପ୍ରତିଶତର ଅଭିବୃଦ୍ଧି ଅନୁମାନ କରିଥିଲା । ସରକାରଙ୍କ ଦ୍ୱାରା ଜିଏସଟି ସ୍ଲାବ ହ୍ରାସ, ପାର୍ବଣ ପୂର୍ବରୁ ଷ୍ଟକିଂ ବଢାଇବା ଓ ଗ୍ରାମୀଣ କ୍ଷେତ୍ରରେ ପୁଣି ଥରେ ଚାହିଦା ବୃଦ୍ଧି କରିବା ଏହି ଅଭିବୃଦ୍ଧିର ଏକ ପ୍ରମୁଖ କାରଣ ରୂପେ ସାମନାକୁ ଆସିଛି ।

ଦ୍ୱିତୀୟ ତ୍ରୈମାସରେ ଜିଡିପି ବୃଦ୍ଧି ହାର ଗତ ତିନି ମାସର ୭.୮ ପ୍ରତିଶତ ଓ ପୂର୍ବ ବର୍ଷ ସମାନ ଅବଧିର ୫.୬ ପ୍ରତିଶତଠାରୁ ଭଲ ରହିଛି । ବିନିର୍ମାଣ (ଯାହା ଦେଶର ସକଳ ଘରୋଇ ଉତ୍ପାଦର ୧୪ ପ୍ରତିଶତ) ଦ୍ୱିତୀୟ ତ୍ରୈମାସରେ ୯.୧ପ୍ରତିଶତ ବଢିଛି । ପୂର୍ବ ବର୍ଷ ସମାନ ତ୍ରୈମାସରେ ଏହା ୨.୨ ପ୍ରତିଶତ ଥିଲା ।

ଅନ୍ୟପଟେ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ଭାରତର ରାଜସ୍ୱ ନିଅଣ୍ଟ ୮.୨୫ ଲକ୍ଷ କୋଟି ଟଙ୍କା ରହିଛି । ଏହା ବାର୍ଷିକ ଅନୁମାନର ୫୨.୬ ପ୍ରତିଶତ । ଚଳିତ ବର୍ଷ ରାଜସ୍ୱ ନିଅଣ୍ଟ ଗତ ବର୍ଷର ୪୬.୫ ପ୍ରତିଶତ ଅଧିକ । ସରକାରଙ୍କ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ନିଅଣ୍ଟକୁ ଜିଡିପିର ୪.୪ ପ୍ରତିଶତ କମ କରିବା । ପୂର୍ବ ବର୍ଷରେ ଏହା ୪.୮ ପ୍ରତିଶତ ଥିଲା ।

ସରକାର ସୂଚନା ଦେଇଛନ୍ତି ଯେ ଭାରତର ଅକ୍ଟୋବର ୨୦୨୫ର ଉଦ୍ୟୋଗୀକ ଉତ୍ପାଦାନ ଡାଟା ଡିସେମ୍ୱର ୧ରେ ଜାରି କରାଯିବ । ଆଇଆଇପିର ଡାଟା ସାଧାରଣତଃ ପ୍ରତିମାସ ୨୮ ତାରିଖରେ ଜାରି କରାଯାଇଥାଏ । ସରକାର ଏକ ଆନୁଷ୍ଠାନିକ ବୟାନରେ କହିଛନ୍ତି, ଅକ୍ଟୋବର ୨୦୨୫ ପାଇଁ ଆଇଆଇପି ନଭେମ୍ୱର ୨୮ରେ ଜାରି କରାଯାଇଥାନ୍ତା । କିନ୍ତୁ ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସ ପାଇଁ ଜିଡିପିର ତ୍ରୈମାସିକ ଅନୁମାନର ପ୍ରକାଶନ ଆଇଆଇପି ରିଲିଜ ସହ ହେବାର ଥିଲା । ଏହି କାରଣରୁ ୨୦୨୫ ଅକ୍ଟୋବର ପାଇଁ ଆଇଆଇପିର ରିଲିଜ୍ ତାରିଖ ବଦଳାଯାଇଛି । ଏବେ ଏହି ଡାଟା ୨୦୨୫ ଡିସେମ୍ୱର ୧ ସଂଧ୍ୟା ୪ଟାରେ ଜାରି କରାଯାଇଛି ।

ଜିଡିପି କ'ଣ ?

ଅର୍ଥନୀତିର ସ୍ୱାସ୍ଥ୍ୟକୁ ଟ୍ରାକ୍ କରିବା ପାଇଁ ଜିଡିପିକୁ ଦେଖାଯାଏ । ଏହା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକ ଦେଶ ମଧ୍ୟରେ ଉତ୍ପାଦିତ ସମସ୍ତ ସାମଗ୍ରୀ ଏବଂ ସେବାର ମୂଲ୍ୟକୁ ଦର୍ଶାଏ । ଏଥିରେ ଦେଶର ସୀମା ମଧ୍ୟରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନିଗୁଡ଼ିକ ଦ୍ୱାରା ଉତ୍ପାଦନ ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ ।