ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ଜବାବ ତଲବ, OERC ଓ ଶକ୍ତି ସଚିବଙ୍କୁ ମଧ୍ୟ ନୋଟିସ୍‌

NEWS7
gas-sylinder-price-today

କଟକ ୧୩।୧: ଅତିରିକ୍ତ ବିଦ୍ୟୁତ ସୁରକ୍ଷା ଜମା ଆଦାୟ ପ୍ରସଙ୍ଗରେ ଟାଟା ପାୱାରକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଏହାସହିତ ଓଇଆରସି ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଆଜି ନୋଟିସ୍ ଜାରି ହୋଇଛି । ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତିନି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଜି ଦିନ ଧାର୍ଯ୍ୟ ହୋଇଛି ।

ଭଏସ ଅଫ କଟକ ପକ୍ଷରୁ ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ଅଭିଯୋଗ ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଛି  । ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ତୁରନ୍ତ ପ୍ରତ୍ୟାହାର କରିବା ନେଇ ଆବଦେନରେ ଦର୍ଶାଯାଇଛି ।

ସୁରକ୍ଷା ଜମା ଥାଇ ମଧ୍ୟ ପୁଣି ଥରେ ହଜାର ହଜାର ଟଙ୍କା ମାଗିବା ଓ ବିଦ୍ୟୁତ କାଟିବାକୁ ଧମକ ଦେବା ବେଆଇନ ବୋଲି ଆବେଦନକାରୀ ମାମଲାରେ ଦର୍ଶାଯାଇଛନ୍ତି । ପୂର୍ବରୁ ଟାଟା ପାୱାର ୭,୨୧୫ କୋଟିର ଅତିରିକ୍ତ ଶୁଳ୍କ ଆଦାୟ କରି ବ୍ୟାଙ୍କରେ ରଖିଥିବା ମଧ୍ୟ ମାମଲାରେ ଦର୍ଶାଯାଇଛି । ବିନା ଗ୍ରାହକ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ସ୍ଥାପନ କରିବା ବେଆଇନ ବୋଲି ପିଟିସନରେ ଉଲ୍ଲେଖ କରିଥିଲେ ଆବଦେନକାରୀ । ଏହି ପ୍ରକ୍ରିୟା ବିଦ୍ୟୁତ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ମାମଲାରେ ଦର୍ଶାଯାଇଛି ।