News7 Logo

୫୦ ଦିନ ପରେ ମୁହଁ ଖୋଲିଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଦେଲେ ସାର୍ବଜନିକ ବୟାନ

NEWS7
gfx

ନୂଆଦିଲ୍ଲୀ ୧୦।୯:  ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରଠାରୁ ଚୁପ ରହିଥିଲେ ଜଗଦୀପ ଧନଖଡ଼। ସେ ଏବେ ମୁହଁ ଖୋଲିଛନ୍ତି ଓ ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧନଖଡ଼ କହିଛନ୍ତି ଯେ ସି.ପି.ରାଧାକୃଷ୍ଣନଙ୍କ ‘ବିଶାଳ ଅନୁଭବ’ କାରଣରୁ ଉପରାଷ୍ଟ୍ରପତି ପଦବୀ ଆହୁରି ଗୌରବାନ୍ୱିତ ହେବ। ଜୁଲାଇ ୨୧ ତାରିଖରେ ପଦରୁ ଇସ୍ତଫା ଦେବା ପରଠାରୁ ଧନଖଡ଼ଙ୍କ ଏହା ପ୍ରଥମ ସାର୍ବଜନିକ ବୟାନ।

ରାଧାକୃଷ୍ଣନଙ୍କୁ ଲେଖିଥିବା ପତ୍ରରେ ଧନଖଡ଼ କହିଛନ୍ତି ଯେ ‘ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ତଥା ୬ଭାଗ ମାନବତାର ଘର ମନେ କରାଯାଉଥିବା ଭାରତର ଉପରାଷ୍ଟ୍ରପତି ଭାବେ ଆପଣଙ୍କ ନିର୍ବାଚନରେ ହାର୍ଦ୍ଦିକ ବଧାଇ’। ରାଧାକୃଷ୍ଣନଙ୍କୁ ଲେଖିଥିବା ପତ୍ରରେ ଧନଖଡ଼ କହିଛନ୍ତି ଯେ ‘ଏହି ପ୍ରତିଷ୍ଠିତ ପଦକୁ ଆପଣଙ୍କ ପଦୋନ୍ନତୀ ଆମ ରାଷ୍ଟ୍ରର ପ୍ରତିନିଧିଙ୍କ ବିଶ୍ୱାସ ଓ ଭରସାକୁ ଦର୍ଶାଉଛି।’ ସେ ଏହା ବି ଲେଖିଛନ୍ତି ଯେ ସାର୍ବଜନିକ ଜୀବନରେ ରାଧାକୃଷ୍ଣନଙ୍କ ‘ବିଶାଳ ଅନୁଭବ’କୁ ଦେଖି ତାଙ୍କ ନେତୃତ୍ୱରେ ଏହି ପଦବୀ ନିଶ୍ଚିତ ରୂପେ ଆହୁରିଅଧିକ ସମ୍ମାନ ଓ ଗୌରବ ପ୍ରାପ୍ତ କରିବ।

ଜଗଦୀପ ଧନଖଡ଼ ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅଚାନକ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କର ଏପରି ଆତର୍କିତ ପଦକ୍ଷେପ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା। ତାଙ୍କର ଏପରି ଇସ୍ତଫାରେ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ। ଇସ୍ତଫା ଦେବା ପରଠାରୁ ଧନଖଡ଼ ସମ୍ପୂର୍ଣ୍ଣ ନିରବ ଥିଲେ। ଏଣୁ ବିରୋଧୀ ଦଳ ତାଙ୍କ ନୂଆ ଠିକଣା ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଥିଲେ। ସେ ଦୀର୍ଘ ସମୟ ଧରି ନିରବ ରହିବା ଘଟଣାରୁ ଅନେକ ପ୍ରକାରର ଆକଳନ କରାଯାଉଥିଲା। ଏବେ ତାଙ୍କ ପ୍ରତିକ୍ରିୟା ଆସିବା ପରେ ଏହା ଉପରେ ବିରାମ ଲାଗିଛି।