ଇସଲାମାବାଦ: ଟି-୨୦ ବିଶ୍ବକପ୍ ୨୦୨୬ ଆରମ୍ଭ ହୋଇସାରିଛି । ପ୍ରତ୍ୟେକ ଦଳ ଏବେ ନିଜ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି । ସେହିଭଳି ଆଜି ଆମେରିକାକୁ ଭେଟିବ ପାକିସ୍ତାନ । ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ ବିପକ୍ଷରେ ବଡ଼ କଷ୍ଟରେ ମ୍ୟାଚ୍ ଜିତିଥିବା ପାକିସ୍ତାନ, ଆମେରିକା ବିପକ୍ଷରେ ମଧ୍ୟ ସମାନ ସ୍ଥିତି ଭୋଗିପାରେ। ଏମିତି ମଧ୍ୟ ହୋଇପାରେ, ୨୦୨୪ ଭଳି ଏଥର ପାକିସ୍ତାନ ଆମେରିକା ବିପକ୍ଷରେ ମ୍ୟାଚ୍ ହାରି ଯାଇପାରେ । ଏକଥା ଆମେ କହୁନାହୁଁ, ବରଂ ପାକିସ୍ତାନର କ୍ରିକେଟ ଟିମ୍ର ପୂର୍ବତନ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଆସିଫ କହିଛନ୍ତି । ଟିମ୍ ଏବେ ଯେଉଁଭଳି ସ୍ଥିତିରେ ରହିଛି, ପୁଣି ଥରେ ଆମେରିକା ହରାଇଦେବ ବୋଲି ଆସିଫ କହିଛନ୍ତି ।

ସେ କହିଛନ୍ତି, ‘ଯେଉଁଭଳି ସ୍ଥିତି ଅଛି, ପାକିସ୍ତାନକୁ ଆମେରିକା ହରାଇ ଦେବ । ୨୦୨୬ ବିଶ୍ବକପରେ ଏହା ସମ୍ଭବ ହେବ ବୋଲି ଲାଗୁଛି । ୨୦୨୬ ଟି-୨୦ ବିଶ୍ବକପରେ ପାକିସ୍ତାନକୁ ଆମେରିକା ଦ୍ବିତୀୟ ଥର ପାଇଁ ପରାସ୍ତ କରିବ, ଗ୍ୟାରେଣ୍ଟି ।’ ତେବେ ମଙ୍ଗଳବାର ସନ୍ଧ୍ୟା ୭ଟାରେ କଲମ୍ବୋର ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବରେ ହେବ ପାକିସ୍ତାନ ଆମେରିକା ମୁକାବିଲା ।

ଏହା ପୂର୍ବରୁ ୨୦୨୪ ଟି-୨୦ ବିଶ୍ବକପ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବା ସମୟରେ ଆମେରିକା ପାକିସ୍ତାନକୁ ହରାଇଥିଲା । ଏକ ନାଟକୀୟ ପ୍ରତିଯୋଗିତାରେ ପାକିସ୍ତାନକୁ ଚକିତ କରିଦେଇଥିଲା ଆମେରିକା । ଏକ ସାଧାରଣ ଟାର୍ଗେଟର ପିଛା କରି ଆମେରିକାକୁ ଶେଷ ଓଭରରେ ୧୫ ରନ ଆବଶ୍ୟକ ଥିଲା । ହାରିସ ରଉଫ ୧୪ ରନ ଦେଇ ମ୍ୟାଚ୍କୁ ସୁପର ଓଭରକୁ ଠେଲି ଦେଇଥିଲେ। ବରିଷ୍ଠ ପେସର ମହମ୍ମଦ ଆମିର ସୁପର ଓଭରରେ ତିନୋଟି ୱାଇଡ୍ ସହ ୧୮ ରନ ଦେଇଥିଲେ । ଜବାବରେ ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୧୩ ରନ କରିପାରିଥିଲା । ଫଳରେ ଆମେରିକା ଏକ ବଡ଼ ବିଜୟ ହାସଲ କରିଥିଲା ।

ଅନ୍ୟପକ୍ଷରେ, ଶନିବାର ନେଦରଲାଣ୍ଡ ବିପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚରେ ଅଳ୍ପକେ ବଞ୍ଚି ଯାଇଥିଲା। ୨୦୦୯ ଚାମ୍ପିଅନ ଦଳ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତା । ଶେଷ ଦୁଇ ଓଭରରୁ ୨୯ ରନ ଆବଶ୍ୟକ କରୁଥିବା ବେଳେ ଫହିମ ଆସରଫ ପାକିସ୍ତାନର ମାନ ରଖି ଦେଇଥିଲେ । ଆଜି ଆମେରିକା ସହ ମ୍ୟାଚ୍ ପରେ ଫେବୃଆରୀ ୧୫ରେ ଭାରତକୁ ଭେଟିବ ପାକିସ୍ତାନ ।