ଇସ୍ଲାମାବାଦ: ମେ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ଛବି ଏବେ ଧିରେ ଧିରେ ସ୍ପଷ୍ଟ ହେଉଛି। ନିକଟରେ ପାକିସ୍ତାନ ଏୟାରଫୋର୍ସର ଅବସରପ୍ରାପ୍ତ ଏୟାର କମୋଡୋର ଖାଲିଦ ଚିସ୍ତି ଏକ ଗୁରୁତ୍ୱପୂର୍ଣ୍ଣ କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଭାରତର ଅପରସନ ସିନ୍ଦୂର କାଳରେ ପାକିସ୍ତାନ ନିଜର ପୁରା ଏଫ-୧୬ ଫ୍ଲିଟ୍ କୁ ଗ୍ରାଉଣ୍ଡ କରିଦେଇଥିଲା। ଏହା ପାକିସ୍ତାନର ସାବଧାନତା ନଥିଲା ବରଂ ଭୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଭାରତର ରାଫେଲ ଫାଇଟର ଜେଟ୍ ର ମେଟିୟୋର ମିଜାଇଲ ଯୋଗୁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଥିଲା।

ମେଟିୟୋର ମିଜାଇଲର ଦୀର୍ଘ ରେଞ୍ଜ ଓ କ୍ଷମତାକୁ ଡରିଯାଇଥିଲେ ପାକିସ୍ତାନୀ ପାଇଲଟ। ସେମାନେ ଭାବିଲେ ଯୁଦ୍ଧ ଆରମ୍ଭରୁ ହିଁ ମେଟିୟୋର ମିଜାଇଲ ସବୁ ଶେଷ କରିଦେବ। ପାକିସ୍ତାନ ଏଫ-୧୬ରେ ଏଏମଆରଏଏଏମ ମିଜାଇଲ ଉପଯୋଗ କରେ। ଏହାର ରେଞ୍ଜ ୭୦ରୁ ୧୦୦ କିଲୋମିଟର ମଧ୍ୟରେ। ଏଣୁ ଆକାଶରେ ଭାରତର ରାଫେଲକୁ ମୁକାବିଲା କରିବା ଅସମ୍ଭବ ବୋଲି ପାକିସ୍ତାନ ପାଇଲଟ ଜାଣିସାରିଥିଲେ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏବେକା ଯୁଦ୍ଧ ଆଉ ପାଇଲଟଙ୍କ କୁଶଳତା ଅଥବା ବିମାନର ଚପଳତା ମଧ୍ୟରେ ସୀମିତ ନାହିଁ। ଏବେକା ଯୁଦ୍ଧ ରେଞ୍ଜ, ଫାଷ୍ଟ ସର୍ଟ ଆଡଭାଣ୍ଟେଜ ଓ ମିଜାଇଲର ନୋ ଏସ୍କେପ ଜୋନ ଭଳି ଟେକନିକ୍ ଉପରେ ନିର୍ଭର କରୁଛି।

ମେଟିୟୋର ମିଜାଇଲକୁ ୟୁରୋପୀୟ କମ୍ପାନୀ ଏମବିଡିଏ ତିଆରି କରିଛି। ଏହାର ଖାସ କଥା ହେଉଛି ଏଥିରେ ଥିବା ରାମଜେଟ୍ ଇଞ୍ଜିନ। ତେବେ ସାଧାରଣ ମିଜାଇଲ କଠିନ ଇନ୍ଧନର ରକେଟ ମୋଟରରେ ଚାଲେ, ଯାହା ଲଞ୍ଚ ହେବାର କିଛି ସେକେଣ୍ଡ ମଧ୍ୟରେ ଜଳି ଯାଏ। ଏହାପରେ ମିଜାଇଲ ନିଜ ବେଗ ଉପରେ ନିର୍ଭର କରେ। ତେବେ ମେଟିୟୋର ରାମଜେଟ୍ ଇଞ୍ଜିନ ସମ୍ପୂର୍ଣ୍ଣ ଉଡାଣରେ ନିଜର ଥ୍ରଷ୍ଟ କାୟମ ରଖିଥାଏ। ଏଣୁ ବେଶ୍ ଦୂର ପର୍ଯ୍ୟନ୍ତ ଉଚତା ଓ ବେଗ କାୟମ ରଖେ। ଏହାର ଫଳାଫଳ ନୋ ଏସ୍କେପ ଜୋନରେ ଦେଖାଯାଇଥାଏ। ନୋ ଏସ୍କେପ ଜୋନ ସେହି କ୍ଷେତ୍ର ଯେଉଁଠି ଲକ୍ଷ୍ୟ ମିଜାଇଲରୁ ନିଜକୁ ରକ୍ଷା କରି ପାରିନଥାଏ। ମେଟିୟୋରର ଏହି ଜୋନ ୬୦ କିଲୋମିଟରରୁ ବି ଅଧିକ ବୋଲି କୁହାଯାଉଛି।

ରାଫେଲ ବିମାନର ପାଇଲଟ ଶତ୍ରୁ କୁ ଲକ୍ କରି ଫାୟାର କରିପାରେ ଓ ନିଜକୁ ଏଏମଆରଏଏଏମ ରେଞ୍ଜରୁ ସୁରକ୍ଷିତ ଦୂରରେ ରଖି ପାରେ। ଏଥିରେ ପାକିସ୍ତାନର ଏଫ-୧୬ ବିମାନ ଯଦି ରାଫେଲର ମୁକାବିଲା କରିବାକୁ ଉଠିଥାନ୍ତେ କୌଣସି ଜବାବ ଦେବା ପୂର୍ବରୁ ଟାର୍ଗେଟ୍ ହୋଇଯାଇଥାନ୍ତେ। ଏହି ଟେକ୍ନୋଲଜି ଅଭିବୃଦ୍ଧିକୁ ଭାରତ ଏବେ ଆହୁରି ମଜଭୁତ କରିଛି। ଏସ୍-୪୦୦ ମିଜାଇଲ ଡିଫେନ୍ସ ସିଷ୍ଟମର କଭରେଜ ଓ ଦୀର୍ଘ ଦୂରଗାମୀ ଷ୍ଟାଣ୍ଡଅଫ ଅସ୍ତ୍ରଶସ୍ତ୍ର ପାକିସ୍ତାନ ଏୟାରସ୍ପେସ୍ କୁ ପାଖାପାଖି ବନ୍ଦ କରିଦେଇଛନ୍ତି। ଭାରତର ଏସ୍-୪୦୦ ପାକିସ୍ତାନୀ ଏୟାର କ୍ରାଫ୍ଟ ଏପରିକି କିଛି ହାଇଭାଲ୍ୟୁ ଟାର୍ଗେଟ୍ କୁ ନିଜର ଲକ୍ଷ୍ୟ କରିଥିଲା।

ଏଣୁ ଅପରେସନ ସିନ୍ଦୂରରେ ପାକିସ୍ତାନୀ ଯୁଦ୍ଧ ବିମାନଙ୍କୁ ନିଜର ଆଡ୍ଡା ଏପରିକି ପଶ୍ଚିମ ଦିଗକୁ ପଛକୁ ହଟିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଏଫ-୧୬ ଯୁଦ୍ଧ ବିମାନ ଉପଯୋଗ ପାକିସ୍ତାନ ଲାଗି ଅତ୍ୟଧିକ ବିପଦପୂର୍ଣ୍ଣ ଥିଲା। ଅପରେସନ ସିନ୍ଦୂର ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ଜବାବରେ ହାତକୁ ନିଆଯାଇଥିଲା। ଏଥିରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଭାରତ ସଠିକ ଟାର୍ଗେଟ କରିଥିଲା। ଏହାପରେ ବିମାନ ଓ ମିଜାଇଲ ଆକ୍ରମଣ ଆରମ୍ଭ କରିଥିଲା ପାକିସ୍ତାନ। ଏହାର ଜବାବରେ ଭାରତ ରାଫେଲ, ଏସୟୁ-୩୦ ଏମକେଆଇ ଓ ଅନ୍ୟ ପ୍ଲାଟଫର୍ମରୁ ଷ୍ଟାଣ୍ଡଅପ ୱିପନ ଉପଯୋଗ କରିଥିଲା। ଫଳରେ ପାକିସ୍ତାନର କିଛି ବାୟୁସେନା ଘାଟି କ୍ଷତିଗ୍ରସ୍ତ ହୋଇଥିଲା ଓ ଜ୍ୟୋକବାବାଦ ଘାଟିରେ ଏଫ-୧୬ ହ୍ୟାଙ୍ଗର କ୍ଷତିଗ୍ରସ୍ତ ହୋଇଥିଲା। ଖାଲିଦ ଚିସ୍ତିଙ୍କ ଅନୁସାରେ ଏଫ-୧୬ର ମିଜାଇଲ ରେଞ୍ଜ କାରଣରୁ ଏହାକୁ ଫ୍ରଣ୍ଚ ଲାଇନକୁ ପଠା ଯାଇ ପାରିଲାନି।

କିଛି ରିପୋର୍ଟରେ କୁହାଯାଇଥିଲା ଯେ ପାକିସ୍ତାନର ଜେଏଫ-୧୭ ଓ ଜେ-୧୦ ଭଳି ପ୍ଲାଟଫର୍ମରେ ଚୀନ୍ ମିଜାଇଲ ଥିଲା। ହେଲେ ଏଫ-୧୬ ଯାହାକୁ ପାକିସ୍ତାନ ବାୟୁସେନାର ମେରୁଦଣ୍ଡ ମନେ କରାଯାଏ ତାହା ଯୁଦ୍ଧରେ କୌଣସି କାମରେ ଆସିଲା ନାହିଁ । ଏହି ଘଟଣାରୁ ଜଣା ପଡୁଛି ଯେ ପୁରୁଣା ପିଢୀର ବିମାନ ଓ ମିଜାଇଲ ନୂଆ ଟେକ୍ନୋଲଜି ଆଗରେ କିପରି ପଛରେ ପଡି ଯାଉଛନ୍ତି। ଏହି ଘଟଣା ଆଧୁନିକ ଏୟାରଫାଇଟ୍ ସିଦ୍ଧାନ୍ତକୁ ଦୋହରାଉଛି। ପୂର୍ବରୁ ଡଗ୍ ଫାଇଟ୍ ଓ ପାଇଲଟଙ୍କ ସ୍କିଲ ଉପରେ ଗୁରୁତ୍ୱ ଦିଆଯାଉଥିଲା। ଏବେ ବେୟଣ୍ଡ ଭିଜୁଆଲ ରେଞ୍ଜ ଯୁଦ୍ଧରେ ମୁଖ୍ୟ ଭୂମିକା ନିର୍ବାହ କରୁଛି। ଏଥିରେ ଯାହା ପ୍ରଥମେ ଫାୟାର ଓ ସୁରକ୍ଷିତ ରହେ ସେହିଁ ଜିତେ। ମେଟିୟୋର ଭଳି ମିଜାଇଲ ଏହି ସିଦ୍ଧାନ୍ତରେ ତିଆରି ହୋଇଛି। ସେହିପରି ଏସ-୪୦୦ଗ୍ରାଉଣ୍ଡ ବେସଡ୍ ସିଷ୍ଟମ ଆକାଶ ମାର୍ଗକୁ ନିୟନ୍ତ୍ରିତ କରେ।

ମୋଟ ଉପରେ ଖାଲିଦ ଚିସ୍ତିଙ୍କ ବୟାନ କେବଳ ଏକ ସ୍ୱୀକାରୋକ୍ତି ନୁହେଁ, ଟେକ୍ନୋଲଜି କିପରି ରଣନୀତିକୁ ଆକାର ଦିଏ ସେ ତାହା ଜଣାଇ ଦେଇଛନ୍ତି। ଅପରେସନ ସିନ୍ଦୂରରେ ମିଜାଇଲ ରେଞ୍ଜର ଅନ୍ତର ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଭବିଷ୍ୟତରେ ଜେ-୧୦ ସିଇ ଓ ପିଏଲ-୧୫ ଏହି ଅନ୍ତରକୁ କମ କରିପାରନ୍ତି। ତେବେ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରିବା ପାଇଁ ସମୟ ଓ ସଂସାଧନ ଉଭୟର ଆବଶ୍ୟକତା ରହିଛି। ତେବେ ଏଥିରେ ଭାରତର ବାୟୁସେନା କ୍ଷମତା ଢେର ମଜଭୁତ ଥିବା ପ୍ରମାଣିତ ହୋଇଛି।