ପୂର୍ବତନ IPS ସଞ୍ଜିବ ଭଟ୍ଟଙ୍କୁ ୨୦ ବର୍ଷ ଜେଲ, ୨୮ ବର୍ଷ ପୁରୁଣା NDPS ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | March 28, 2024 IST

ଅହମଦାବାଦ ୨୮।୩: ପାଲନପୁରର ୧୯୯୬ ଏନଡିପିଏସ୍ ମାମଲାରେ ପୂର୍ବତନ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ କୋର୍ଟ ଗୁରୁବାର ଦଣ୍ଡାଦେଶ କରିଛନ୍ତି। ପାଲନପୁର ଦ୍ୱିତୀୟ ଅତିରିକ୍ତ ଦୈରାଜଜ୍ ଙ୍କ କୋର୍ଟ ସଞ୍ଜିବ ଭଟ୍ଟଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜରିମନା ଆଦେଶ ଦେଇଛନ୍ତି। ଏହା ପରେ ସଞ୍ଜିବ ଭଟ୍ଟଙ୍କୁ ପୋଲିସ ହେପାଜତରେ ପାଲନପୁର ଉପକାରାଗାରକୁ ନିଆଯାଇଛି। 

ଏନଡିପିଏସ୍ ମାମଲାରେ ପାଲନପୁର କୋର୍ଟ ଭଟ୍ଟଙ୍କୁ ବୁଧବାର ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଗୁରୁବାର ଦଣ୍ଡାଦେଶ ନିମନ୍ତେ ତାଙ୍କୁ ପାଲନପୁର ଦୈରାଜଜ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଦଣ୍ଡ ଶୁଣାଣି କାଳରେ ସଞ୍ଜିବ ଭଟ୍ଟଙ୍କ ପତ୍ନୀ ଶ୍ୱେତା ଭଟ୍ଟ ମଧ୍ୟ ଉପସ୍ଥିତ ଥିଲେ। ଦଣ୍ଡ ଘୋଷଣା ପରେ ସେ କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ପ୍ରଥମେ ଆଜୀବନ କାରାଦଣ୍ଡାଦେଶ କରାଯାଇଥିଲା ତା ପରେ ୨୦ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ଏହା କେଉଁ ପ୍ରକାରର ନ୍ୟାୟ ବୋଲି ସେ ପ୍ରଶ୍ନ କରିଥିଲେ। 

ସେ କହିଛନ୍ତି ଯେ ଆମକୁ ନିରପେକ୍ଷ ଟ୍ରାୟଲ ନିମନ୍ତେ ସୁଯୋଗ ଦିଆଯାଇ ନାହିଁ। ଡ୍ରଗସ୍ ଧରିବା ପାଇଁ ଯିଏ ପୁରସ୍କାର ନେଲେ, ତାଙ୍କୁ ଆପ୍ରୁଭର କରି ଆମ ଉପରେ ଅଭିଯୋଗ ଥୋପିଥିଲେ। ଏ ସମସ୍ତ ପ୍ରସଙ୍ଗ ଆମେ ଉଠାଇଥିଲୁ ହେଲେ ଆମର କୌଣସି କଥା ଶୁଣା ଯାଇ ନାହିଁ। ଏହି କେସ୍‌ ରେ ଆମେ କେଉଁଠି ହେଲେ ନଥିଲୁ, ଏହା ଭୁଲ ବୋଲି ଶ୍ୱେତା ଭଟ୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସଞ୍ଜିବ ଭଟ୍ଟ ସେହି ଆଇପିଏସ ଅଫିସର ଯିଏ ୨୦୦୨ ଗୁଜରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ଥିଲେ ବୋଲି ଆରୋପ ଲଗାଇଥିଲେ ଓ ଏହି ଆରୋପରେ ସେ ସୁପ୍ରିମକୋର୍ଟରେ ଆଫିଡେଭିଟ ମଧ୍ୟ ଦାଖଲ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.