LIVE TV

୨୬/୧୧ ଆକ୍ରମଣକୁ ନେଇ ପୂର୍ବତନ ଗୃହମନ୍ତ୍ରୀଙ୍କ ସ୍ୱୀକାରୋକ୍ତି, କହିଲେ-ଆମେରିକା ଚାପରେ ପାକିସ୍ତାନ ବିରୋଧରେ ହୋଇ ନଥିଲା କାର୍ଯ୍ୟାନୁଷ୍ଠାନ

NEWS7
gfx

ନୂଆଦିଲ୍ଲୀ ୩୦।୯: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ ସ୍ୱୀକାର କରିଛନ୍ତି ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ବିରୋଧରେ ଭାରତ କାର୍ଯ୍ୟାନୁଷ୍ଠାନ କରିପାରିନଥିଲା। ସେ କହିଛନ୍ତି ଯେ ଆମେ ବି ପ୍ରତିଶୋଧ ଚାହୁଁଥିଲୁ, ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଚିଦାମ୍ବରମ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି।

ସେ କହିଛନ୍ତି ଯେ ପାକ୍ ଉଗ୍ରବାଦୀଙ୍କ ମୁମ୍ବାଇ ଆକ୍ରମଣ ପରେ ସାରା ବିଶ୍ୱର ଦେଶମାନେ ଚାହୁଁଥିଲେ ପାକିସ୍ତାନ ବିରୋଧରେ ଭାରତ ଯୁଦ୍ଧ ନ କରୁ। ସେ କହିଛନ୍ତି ସେତେବେଳେ ଆମେରିକା ବିଦେଶମନ୍ତ୍ରୀ ତୁରନ୍ତ ଭାରତ ଚାଲିଆସିଥିଲେ। ସେ ପ୍ରଧାନମନ୍ତ୍ରୀ ଓ ମୋ ସହ ଭେଟ କରିଥିଲେ। ସେ କହିଥିଲେ ଦୟାକରି କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ତେବେ ମୁଁ ଆମେରିକା ବିଦେଶ ମନ୍ତ୍ରୀଙ୍କୁ  ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ମନସ୍ତ କରିସାରିଥିବା କହିଥିଲି। ଆମେ ପୁରା ମନସ୍ତ କରିସାରିଥିଲୁ ଯେ ପାକିସ୍ତାନଠାରୁ ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ।

ଚିଦାମ୍ବରମ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ମନ୍ଥନ ଆରମ୍ଭ କରିଥିଲେ। ମୁଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଥା ହୋଇଥିଲି। ତେବେ ଶେଷରେ ନିଷ୍ପତ୍ତି ହୋଇଥିଲା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୬ ନଭେମ୍ବର ୨୦୦୮ରେ ପାକ୍ ଆତଙ୍କବାଦୀ ମୁମ୍ବାଇର ହୋଟେଲ ତାଜ, ହୋଟେଲ ଓବେରୟେ, ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ ଓ ଟାୱାର ହୋଟେଲ ଉପରେ ଆକ୍ରମଣ କରିଦେଇଥିଲେ। ଏଥିରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁମାନଙ୍କ ମଧ୍ୟରେ କେତେକ ବିଦେଶୀ ମଧ୍ୟ ଥିଲେ।

ତେବେ ସୁରକ୍ଷା ବଳଙ୍କ କାର୍ଯ୍ୟାନୁଷ୍ଠାନରେ କେବଳ ଜଣେ ଆତଙ୍କବାଦୀକୁ ଛାଡି ଅନ୍ୟ ସବୁ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଜୀବନ୍ତ ଧରାପଡିଥିବା ଆତଙ୍କବାଦୀ ଅଜମଲ କସବକୁ ୨୦୧୨ ମସିହାରେ ଫାଶୀ ଦଣ୍ଡ ହୋଇଥିଲା। ତତ୍କାଳୀନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଘଟଣା ପାଇଁ ନିଜକୁ ନୈତିକ ଦାୟି କରି ଇସ୍ତଫା ଦେଇଥିଲେ। ଏହା ପରେ ପି.ଚିଦାମ୍ବରମଙ୍କୁ ଗୃହମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଥିଲା।

ଚିଦାମ୍ବରମ କହିଛନ୍ତି ଯେ ମୋତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଥିଲା ଓ କୁହାଯାଇଥିଲା ଆପଣଙ୍କୁ ଅର୍ଥମନ୍ତ୍ରାଳୟରୁ ଗୃହ ମନ୍ତ୍ରାଳୟକୁ ସିଫ୍ଟ କରାଯାଇଛି, ଏହା ସମସ୍ତଙ୍କର ନିଷ୍ପତ୍ତି। ତେବେ ମୁଁ ଅର୍ଥମନ୍ତ୍ରାଳୟ ଛାଡିବାକୁ ଚାହୁଁନଥିଲି, କାରଣ ମୁଁ ହିଁ ବଜେଟ ଉପସ୍ଥାପନ କରିଥିଲା ଓ ସେହିବର୍ଷ ନିର୍ବାଚନ ହେବାର ଥିଲା। ଚିଦମ୍ବରମଙ୍କ ବୟାନ ଉପରେ ବିଜେପିର ପ୍ରହ୍ଲାଦ ଯୋଶୀ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମରୁ ଜଣାଥିଲା ମୁମ୍ବାଇ ଆକ୍ରମଣକୁ ଠିକ୍ ରେ ତୁଲା ଯାଇ ନଥିଲା। ସେତେବେଳେ ୟୁପିଏ ସରକାରଙ୍କ ବିଦେଶ ନୀତି ଅତ୍ୟନ୍ତ ଦୁର୍ବଳ ଥିଲା।