ବେଜିଂ: ଚୀନ୍ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଆର୍ଥିକ ସୁଧାରର ମୁଖ୍ୟ ସୂତ୍ରଧର ଝୁ ରୋଙ୍ଗଜୀଙ୍କ ବୁଧବାର ପରଲୋକ ହୋଇଛି। ଝୁ ସରକାରୀ ମାଲିକାନାଧୀନ ଉଦ୍ୟୋଗମାନଙ୍କରେ ବ୍ୟାପକ ସୁଧାର କରିବା ସହିତ ଚୀନ୍ କୁ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲୁଟିଓ)ରେ ସାମିଲ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ସରକାରୀ ସମ୍ବାଦ ସରବରାହ ସଂସ୍ଥା ‘ସିହ୍ନୁଆ’ ସୂଚନା ଅନୁସାରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ପରଲୋକ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା।

ସେ ୧୯୯୮ରୁ ୨୦୦୩ମସିହା ପର୍ଯ୍ୟନ୍ତ ଚୀନ୍ ପ୍ରଧାନମନ୍ତ୍ରୀ ଥିଲେ। ସେ ଦେଶରେ ଦୁର୍ନୀତି ବିରୋଧରେ କଡ଼ା ଅଭିଯାନ ହାତକୁ ନେଇଥିଲେ। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୧ ମସିହାରେ ଝୁ ଚୀନ କୁ ଡବ୍ଲୁଟିଓରେ ସାମିଲ କରିଥିଲେ। ଏହା ତାଙ୍କର ଏକ ଐତିହାସିକ ପଦକ୍ଷେପ ଥିଲା। ଯାହା ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ଚୀନ୍ କୁ ସାମିଲ କରିବାରେ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ସେ କ୍ଷମତାସୀନ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି) ପଲିଟିବ୍ୟୁରୋ କମିଟି ସ୍ଥାୟୀ ସଦସ୍ୟ ରୂପେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଏହା ଛଡା ସେ ଭାରତ-ଚୀନ ସମ୍ପର୍କ ମଜଭୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ସେ ୨୦୦୨ ମସିହାରେ ଭାରତକୁ ଐତିହାସିକ ଯାତ୍ରାରେ ଆସିଥିଲେ। ତାଙ୍କର ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ଆର୍ଥିକ ସହଯୋଗ ବଢାଇବା ଓ ଦୁଇ ଦେଶଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା । ଏହି ଯାତ୍ରା କାଳରେ ଝୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ଅନ୍ୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଭରତ ଗସ୍ତ ସମୟରେ ସେ ଦିଲ୍ଲୀ, ଆଗ୍ରା, ମୁମ୍ବାଇ ଓ ବେଙ୍ଗାଲୁର ପରିଦର୍ଶନ ମଧ୍ୟ କରିଥିଲେ।

ଚୀନ୍ ହୁନାନ ପ୍ରାନ୍ତର ଚାଙ୍ଗସାରେ ୧୯୨୮ ମସିହାରେ ଝୁଙ୍କ ଜନ୍ମ ହୋଇଥିଲା। ସେ ସିନ୍ଧୁଆ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜନିୟରିଂରେ ଡିଗ୍ରି ହାସଲ କରିଥିଲେ। ୧୯୪୮ ଡିସେମ୍ବର ଆନ୍ଦୋଳନରେ ସାମିଲ ହୋଇ ସକ୍ରିୟ ରାଜନୀତିକୁ ପ୍ରବେଶ କରିଥିଲେ। ୧୯୮୭-୯୧ ପର୍ଯ୍ୟନ୍ତ ସେ ସାଂଘାଇ ମେୟର ଥିଲେ। ପେ ସିପିପି ସଚିବ ରୂପେ କାମ କରିବା ପରେ ତାଙ୍କୁ ୧୯୯୧ରେ ଉପ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଥିଲା। ୧୯୯୨ରୁ ୨୦୦୨ ପର୍ଯ୍ୟନ୍ତ ପଲିଟି ବ୍ୟୁରୋ ସ୍ଥାୟୀ କମିଟିରେ ଥିଲେ ଓ ୧୯୯୮ ମସିହାରେ ଦେଶର ପ୍ରଧାମନ୍ତ୍ରୀ ହୋଇଥିଲେ।