News7 Logo

GST କଟ୍ ପରେ FMCG କମ୍ପାନୀ ହ୍ରାସ କରିବେ ପ୍ରଡକ୍ଟ ଦାମ, ଜାଣନ୍ତୁ କେଉଁଥିରେ କମିବ କେତେ?

NEWS7
FMCG

ମୁମ୍ବାଇ ୧୩।୯: ଦେଶରେ ଜିଏସଟି ସଂଶୋଧନର ପ୍ରଭାବ ଏବେ ଦେଖାଗଲାଣି। ଅଟୋ କମ୍ପାନୀଙ୍କ ପରେ ଏଫଏମସିଜି କମ୍ପାନୀମାନେ ସେମାନଙ୍କ ପ୍ରଡକ୍ଟର ନୂଆ ଦର ଜାରି କରୁଛନ୍ତି। ଏଥିରେ ଦେଶର ସବୁଠୁ ବଡ଼ ଏଫଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ନିଜର ଲୋକପ୍ରୀୟ ପ୍ରଡକ୍ଟ ମାନଙ୍କ ଦାମ ହ୍ରାସ ଘୋଷଣା କରିଛନ୍ତି। ଏହି ସବୁ ପ୍ରଡକ୍ଟର ମୂଲ୍ୟ ହ୍ରାସର ଲାଭ ଗ୍ରାହକଙ୍କୁ ସେପ୍ଟେମ୍ବର ୨୨ ତାରିଖରୁ ମିଳିବା ଆରମ୍ଭ ହେବ।

କମ୍ପାନୀ ଖବର କାଗଜରେ ପ୍ରକାଶିତ ବିଜ୍ଞାପନରେ ଜିଏସଟି ହାର ହ୍ରାସ ପରେ ନୂଆ ଦର ଜାରି କରିଛି। କମ୍ପାନୀ କହିଛି ନୂଆ ପ୍ରାଇସ୍ ଟ୍ୟାଗ ସହିତ ପ୍ରଡକ୍ଟ ଷ୍ଟକ ଖୁବ୍ ଶୀଘ୍ର ମାର୍କେଟକୁ ପହଞ୍ଚିବ। ତେବେ ଆସନ୍ତୁ ଜାଣିବା କମ୍ପାନୀ କେଉଁ କେଉଁ ଜିନିଷ ଉପରେ କେତେ ଟଙ୍କା ହ୍ରାସ କରିଛି।

କମ୍ପାନୀ ବିକ୍ରି କରୁଥିବା ୩୪୦ ଏମଏଲ ଡୋଭ ସାମ୍ପୁ ମୂଲ୍ୟ ୪୯୦ ଟଙ୍କାରୁ ହ୍ରାସ କରି ୪୩୫ ଟଙ୍କା କରିବ। ସେହିପରି ୨୦୦ ଗ୍ରାମ ହର୍ଲିକ୍ସ ଜାରର ମୂଲ୍ୟ ୧୩୦ ଟଙ୍କାରୁ ହ୍ରାସ ହୋଇ ୧୧୦ ଟଙ୍କା ହେବ। ଏବେ ୯୦ ଟଙ୍କାରେ ମିଳୁଥିବା ୨୦୦ ଗ୍ରାମ କିସାନ ଜାମ ସେପ୍ଟେମ୍ବର ୨୨ ତାରିଖରୁ ୮୦ ଟଙ୍କାରେ ମିଳିବାକୁ ଲାଗିବ। ସେହିପରି ୬୮ ଟଙ୍କା ଦରରେ ବିକ୍ରି ହେଉଥିବା ୭୫X୪ ଲାଇଫବୟ ସାବୁନ ମୂଲ୍ୟ ୬୦ ଟଙ୍କା ହେବ। ୩୯୩ ଟଙ୍କାରେ ବିକ୍ରି ହେଉଥିବା ୩୫୫ ଏମଏଲ କ୍ଲିନିକ୍ ପ୍ଲସ୍ ସାମ୍ପୁ ଆଗକୁ ୩୪୦ ଟଙ୍କାରେ ମିଳିବ। ସନସିଲ୍କ ବ୍ଲାକ୍ ସାଇନ ସାମ୍ପୁ୩୫୦ ଏମଏଲ ଦାମ ୪୩୦ରୁ ହ୍ରାସ ହୋଇ ୩୭୦ ଟଙ୍କା ହୋଇଯିବ।

ସେହିପରି ଲକ୍ସ ସାବୁନ ୭୫X୪ ଯାହାର ଏବେକା ମୂଲ୍ୟ ୯୬ ଟଙ୍କା ରହିଛି ତାହା  ୮୫ ଟଙ୍କାରେ ମିଳିବ। ୧୫୪ ଟଙ୍କାରେ ମିଳୁଥିବା ୧୫୦ ଗ୍ରାମ କ୍ଲୋଜଅପ ଟୁଥପେଷ୍ଟ ମୂଲ୍ୟ ୨୨ ସେପ୍ଟେମ୍ବର ପରେ ୧୨୯ ଟଙ୍କା ହୋଇଯିବ। ସେହିପରି ଲାକମେ ୯ଟୁ୫ ପିଏମ ୯ଗ୍ରାମ ୬୭୫ଟଙ୍କାରୁ ହ୍ରାସ ହୋଇ ୫୯୯ ଟଙ୍କା ହୋଇଯାଇଛି। ୮୫୦ଗ୍ରାମ କିସାନ କେଚଅପ୍ ୧୦୦ ଟଙ୍କାରୁ ହ୍ରାସ ହୋଇ ୯୩ ଟଙ୍କା ହୋଇଯାଇଛି। ୪୦୦ ଗ୍ରାମ ୱମେନ ହର୍ଲିକ୍ସ ୩୨୦ ଟଙ୍କାରୁ ହ୍ରାସ ହୋଇ ୨୮୪ ଟଙ୍କା କରିଦିଆଯାଇଛି।

୭୫ ଗ୍ରାମ ବୃ କଫି ମୂଲ୍ୟ ୩୦୦ ଟଙ୍କାରୁ ହ୍ରାସ କରି ୨୭୦ ଟଙ୍କା କରିଦିଆଯାଇଛି। ୬୭ ଗ୍ରାମ ନର ଟମାଟୋ ସୁପ୍ ୬୫ ଟଙ୍କାରୁ ହ୍ରାସ ହୋଇ ୫୫ ଟଙ୍କା ହୋଇଯାଇଛି। ଜିଏସଟି କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟିରେ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏବେ ଜିଏସଟିରେ ଥିବା ୪ଟି ସ୍ଲାବକୁ ୨ଟିରେ ୫ ଓ ୧୮%ରେ ସୀମିତ କରିଦିଆଯାଇଛି। ଏହି ପରିବର୍ତ୍ତନ କାରଣରୁ ଖାଦ୍ୟପଦାର୍ଥଠୁ ଆରମ୍ଭ କରି ସାମ୍ପୁ, ସାବୁନ, ଟୁଥପେଷ୍ଟ ସମେତ ସବୁପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦର ହ୍ରାସ ହୋଇଛି। ଏହାର ଲାଭ ଏବେ ସିଧା ଗ୍ରାହକଙ୍କୁ ମିଳିବ। ଏଣୁ ଏଚୟୁଏଲ ପ୍ରଡକ୍ଟ ମୂଲ୍ୟରେ ବଡ଼ ହ୍ରାସ ଘୋଷଣା କରିଛନ୍ତି।