ଏଠି ୧୪ରୁ କମ୍‌ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌, ମାତା-ପିତାଙ୍କୁ ନେବାକୁ ପଡିବ ଅନୁମତି

Published By : Prameya-News7 Bureau | March 28, 2024 IST

ମୁମ୍ଵାଇ ୨୮।୦୩: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍‌ ବୟସର ପିଲା ସୋସିଆଲ ମିଡିଆ  ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍‌ ଡି ସେଣ୍ଟିସ୍‌ ଏହି ବିଲ୍‌ରେ ମୋହର  ମାରିଛନ୍ତି । ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୫ ମସିହାରୁ ଏହି ନିୟମ ଲାଗୁ ହେବ । ନିୟମ ଅନୁସାରେ,  ଫ୍ଲୋରିଡାରେ ୧୪ରୁ ୧୫ ବର୍ଷ ବୟସର ପିଲା ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ବ୍ୟବହାର  ସେତେବେଳେ କରିପାରିବେ,  ଯଦି ସେମାନଙ୍କ ଅଭିଭାବକ  ଏହାର ଲିଖିତ ମଞ୍ଜୁରି ପ୍ରଦାନ କରିବେ । ୧୪ରୁ କମ୍‌ ବୟସ୍କ  ପିଲାଙ୍କ ସୋସିଆଲ ମିଡିଆ  ଆକାଉଣ୍ଟ ଡିଲିଟ୍‌ କରିବାକୁ  କମ୍ପାନିଗୁଡ଼ିକୁ ରାଜ୍ୟପାଳ ନିର୍ଦ୍ଦେଶ  ଦେଇଛନ୍ତି ।

ୟୁଜର୍‌ଙ୍କ ବୟସ ଯାଞ୍ଚ୍‌  ପରେ ଆକାଉଣ୍ଟ୍‌ ଆକ୍ଟିଭ୍‌ କରିବାକୁ ସମସ୍ତ  ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ  ଦିଆଯାଇଛି । ଯଦି କୌଣସି କମ୍ପାନି ୧୪ରୁ କମ୍‌ ବୟସ୍କ ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଡିଲିଟ୍‌ ନ କରେ, ତେବେ ସେହି ପିଲାକୁ ୧୦ ହଜାର ଡଲାର  ଜରିମାନା ଦେବାକୁ ପଡ଼ିବ । ଏଥିସହ ଉକ୍ତ କମ୍ପାନି ଉପରେ ମଧ୍ୟ ୫୦ ହଜାର ଡଲାର ଜରିମାନା ଲାଗୁ ହୋଇପାରେ ।  

ଫ୍ଲୋରିଡା ରାଜ୍ୟ ସରକାର ଆସନ୍ତା ବର୍ଷ ଜାନୁଆରୀରେ ଏହି ନିୟମ ଲାଗୁ କରିବେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌  କରାଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଫ୍ଲୋରିଡାର ରିପବ୍ଲିକାନ୍‌ ସିନେଟର ପଲ ରିନର୍‌ କହିଛନ୍ତି, ଏହି   ବିଲ୍‌କୁ ପାସ୍‌ କରାଇବା ମୋର ସ୍ୱପ୍ନ ଥିଲା । ଯେଉଁ ବୟସରେ ପିଲାଙ୍କ ମସ୍ତିଷ୍କର ବିକାଶ ହୁଏ, ସେହି ବୟସରେ ସେମାନେ  ସୋସିଆଲ ମିଡିଆ ନିଶାରେ ପଡୁଛନ୍ତି । ଏଥିରୁ ରକ୍ଷା ପାଇବା ଅତ୍ୟନ୍ତ ଜରୁରୀ । ସୋସିଆଲ ମିଡିଆର ବ୍ୟବହାର  ପିଲାଙ୍କ ମସ୍ତିଷ୍କ ଉପରେ କି ପ୍ରଭାବ ପକାଉଛି, ସେ ବିଷୟରେ ଏହି ବିଲ୍‌ରେ ସ୍ପଷ୍ଟ ଉଲ୍ଲେଖ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.