ଆମେରିକାରେ ଇସ୍ରାଏଲ୍ ବିରୋଧୀ ଆନ୍ଦୋଳନ; ୫୫୦ରୁ ଅଧିକ ଛାତ୍ରଛାତ୍ରୀ ଗିରଫ

Published By : Prameya-News7 Bureau | April 28, 2024 IST

ୱାଶିଂଟନ,୨୮/୪: ଆମେରିକା ବିଶ୍ବବିଦ୍ୟାଳୟଗୁଡ଼ିକରେ ତେଜୁଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ । ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା  ସହ ଇସ୍ରାଏଲକୁ ସମର୍ଥନ ନ କରିବାକୁ ଆମେରିକା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଆନ୍ଦୋଳନ ଅଧିକ ବ୍ୟାପକ ହେବାରୁ ଏ ପର୍ଯ୍ୟନ୍ତ ୫୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଇଛି । ଆନ୍ଦୋଳନରତ  ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ  ପୋଲିସ ଟେଜର୍‌ ଗନ୍‌ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବା ଜଣାପଡ଼ିଛି । 

କଲମ୍ବିଆ ୟୁନିଭର୍ସିଟିକୁ ଇସ୍ରାଏଲ୍  ବିରୋଧୀ ଆନ୍ଦୋଳନର କେନ୍ଦ୍ରସ୍ଥଳ ବିବେଚନା କରାଯାଉଛି । ଏଠାରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ  ଗିରଫ କରାଗଲାଣି । ତଥାପି ଆନ୍ଦୋଳନ ଥମିବା ନାଁ ଧରୁନାହିଁ । ଏହାପରେ କଲମ୍ବିଆ ୟୁନିଭର୍ସିଟି ସଭାପତି ନେମତ୍‌ ମିନୋଶେ ଶାଫିକ୍‌ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ  ଆନ୍ଦୋଳନରୁ ଓହରିବା ପାଇଁ ନିର୍ଦ୍ଦିଷ୍ଟ  ସମୟସୀମା ଦେଇଛନ୍ତି । ବିଶ୍ୱବିଦ୍ୟାଳୟ  ପରିସରରେ ଲାଗିଥିବା ଟେଣ୍ଟଗୁଡ଼ିକୁ ତୁରନ୍ତ ହଟାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ଟେଣ୍ଟଗୁଡ଼ିକରେ ଏବେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା କୁହାଯାଉଛି । 

ଆମେରିକାରେ ଆନ୍ଦୋଳନ ଜାରି  ରହିଥିବା ବେଳେ କଲମ୍ବିଆ ୟୁନିଭର୍ସିଟିରର  ଛାତ୍ର ନେତା ଖ୍ୟମାନି ଜେମ୍‌ସଙ୍କୁ ବହିଷ୍କାର କରାଯାଇଛି । ଚଳିତବର୍ଷ ଜାନୁଆରୀରେ  ହୋଇଥିବା ଏକ ବିକ୍ଷୋଭ ବେଳେ ସେ  କହିଥିଲେ କି ଜାୟୋନିଷ୍ଟମାନଙ୍କୁ ବଞ୍ଚିବାର ଅଧିକାର ନାହିଁ । ସେମାନଙ୍କୁ ମାରିଦେବା ଆବଶ୍ୟକ । ଜାୟୋନିଷ୍ଟ ସେହିମାନଙ୍କୁ  କୁହାଯାଉଛି, ଯେଉଁମାନେ ପାଲେଷ୍ଟାଇନ୍‌ରେ   ଇସ୍ରାଏଲ୍‌ର ପ୍ରଭୁତ୍ୱ ବଢ଼ାଇବା ପାଇଁ   ଅଭିଯାନ ଆରମ୍ଭ କରିଥିଲେ । ଏଥିସହ   ଜାୟୋନିଷ୍ଟମାନଙ୍କ ବିଶ୍ୱାସ ଯେ ପାଲେଷ୍ଟାଇନ୍‌ ଉପରେ ଇହୁଦୀମାନଙ୍କର ଅଧିକାର ରହିଛି । 

ଜାନୁଆରୀରେ ପ୍ରସ୍ତୁତ ହୋଇଥିବା ଖ୍ୟମାନିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇତିମଧ୍ୟରେ ୟୁନିଭର୍ସିଟି ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଶ୍ୱବିଦ୍ୟାଳୟରେ ଏକ ଶୁଣାଣି ପରେ ଖ୍ୟମାନିଙ୍କୁ ବରିଷ୍କାର ନିମନ୍ତେ ନିଷ୍ପତ୍ତି ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.