ନୂଆଦିଲ୍ଲୀ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ କରିଛି। ଏହାକୁ ‘ଜିହାଦୀ ଡ୍ରଗସ୍’ ନାମରେ ମଧ୍ୟ ଜଣାଯାଏ। ଜବତ ଟାବଲେଟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପାଖାପାଖି ୧୮୨ କୋଟି ଟଙ୍କା ହେବ। ଏହି ମାମଲାରେ ଜଣେ ବିଦେଶୀ ନାଗରିକକୁ ଗିରଫ କରାଯାଇଛି। ଏହି କନସାଇନମେଣ୍ଟ ପଶ୍ଚିମ ଏସିଆ ପଠାଯାଉଥିଲା। ଏହାକୁ ଅପରେସନ ‘ରେଜପିଲ୍’ରେ ଧରାଯାଇଛି।

ଏହି ଡ୍ରଗ କନସାଇନମେଣ୍ଟ ମୁନ୍ଦ୍ରା ପୋର୍ଟ ଓ ଦିଲ୍ଲୀର ନେବ ସରାୟରୁ ଜବତ ହୋଇଛି। ଏହି ଡ୍ରଗ ଚାଲାଣରେ ଜଣେ ସିରିୟା ନାଗରିକ ଧରାପଡିଛି। ସେ ଏହାକୁ ଚାପତି ବାକ୍ସ ରେ ଲୁଚାଇ ନେଇଯାଉଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି କଣ୍ଟେନର ମୁନ୍ଦ୍ରା ପୋର୍ଟକୁ ଆସିଥିଲା, ଯାହାକୁ ସିରିୟା ନାଗରିକ ନିଜର ବୋଲି କହିଥିଲା। କ୍ୟାପଟାଗନ ଏକ ଶକ୍ତିଶାଳୀ ସିନ୍ଥେଟିକ୍ ଏମଫେଟେମିନ ଟାଇପ୍ ଷ୍ଟିମୁଲେଣ୍ଟ ଅଟେ। ଏହାକୁ ଆଇଏସଆଇଏସ ଓ ବୋକୋହରାମ ଭଳି ଆତଙ୍କବାଦୀ ସଙ୍ଗଠନମାନେ ସେମାନଙ୍କ ସଦସ୍ୟଙ୍କୁ ଅଧିକ ଶକ୍ତିଶାଳୀ ଓ ସହନଶକ୍ତି ପ୍ରଦାନ ପାଇଁ ଉପଯୋଗ କରନ୍ତି।ଏଣୁ ଏହାକୁ ‘ଜିହାଦୀ ଡ୍ରଗ’ ବା ଗରିବଙ୍କ କୋକେନ କୁହାଯାଏ।

ଭାରତୀୟ ଏଜେନ୍ସୀ ଏବେ ସିରିୟ ନାଗରିକର ସମ୍ଭାବିତ ଆତଙ୍କବାଦୀ ସମ୍ପର୍କ ଯାଞ୍ଚ କରୁଛନ୍ତି, ଯାହା ନୂଆଦିଲ୍ଲୀରୁ ସଞ୍ଚାଳିତ ହେଉଥିଲା ଓ ଏହାକୁ ପଶ୍ଚିମ ଏସିଆ ପଠାଯାଉଥିଲା। ଜନୈକ ଅଧିକରୀ କହିଛନ୍ତି ଯେ ଏହି ଜବତ ଦିଲ୍ଲୀ ଓ ମୁନ୍ଦ୍ରା ପୋର୍ଟରେ ହୋଇଛି। ପାଖାପାଖି ୨୦୦ ଟନ କ୍ୟାପଟାଗନ ସିରିଆରୁ ଆସିଥିଲା ଓ ଏହାକୁ ସାଉଦୀ ଆରବ ପଠାଯାଉଥିଲା। ତେବେ ଭାରତରେ ଏପରି ନିଶା ସାମଗ୍ରୀ ଜବତ ହେବାର ଏହା ପ୍ରଥମ ଘଟଣା, ଯାହାକୁ ଆତଙ୍କବାଦୀ ଚା ପତି ବାକ୍ସରେ ପ୍ୟାକ୍ କରି କଣ୍ଟେନର ମାଧ୍ୟମରେ ସାଉଦୀ ଆରବ ପଠାଉଥିଲେ।