LIVE TV

ପ୍ରଥମଥର ରେଳ ଲଞ୍ଚରରୁ ଅଗ୍ନି-ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ, ୨୦୦୦କିମି ରହିଛି ରେଞ୍ଜ

NEWS7
agni

ନୂଆଦିଲ୍ଲୀ ୨୫।୦୯: ଭାରତ ନେଇଛି ଏକ ବଡ଼ ପଦକ୍ଷେପ । ମଧ୍ୟମ-ପରିସର ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି  ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ​​​​​​​। ଏହି ନୂତନ ପିଢ଼ିର କ୍ଷେପଣାସ୍ତ୍ରକୁ ଏକ ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚରରୁ ନିକ୍ଷେପ କରାଯାଇଥିଲା । 

ଓଡ଼ିଶା ଚାନ୍ଦିପୁରରେ ଏକ ରେଳ ମୋବାଇଲ୍ ଲଞ୍ଚରରୁ ଏହାକୁ ନିକ୍ଷେପ କରିଛି ଡିଆରଡିଓ । ଏହା ନୂ ପିଢ଼ିର କ୍ଷେପଣାସ୍ତ୍ର ଯାହାର ରେଞ୍ଜ ୨୦୦୦ କିଲୋମିଟର । ଏହା ସଠିକତା ସହିତ ଲକ୍ଷ ଭେଦ କରିଥାଏ । ଏହା ଦ୍ରୁତଗତିରେ ଲଞ୍ଚ ହୋଇଥାଏ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଭାରତ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରକୁ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ସଫଳତାର ସହ ପରୀକ୍ଷଣ କରିଛି । ଏହି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରାଇକ୍ ରେଞ୍ଜ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ରହିଛି।

ଏହି କ୍ଷେପଣାସ୍ତ୍ରଟି ଏକ ବଡ଼, ଦୃଢ଼ କ୍ୟାନିଷ୍ଟରରେ ରଖାଯାଇଛି । ଏହା ପାଣିପାଗ ପ୍ରତିରୋଧୀ। ଏହା ପ୍ୟାକ୍ ହୋଇ ରହିଥିବାରୁ ଏହାକୁ କମ୍ ଥର ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ।ସେନା ପାଇଁ ଏହି ନୂତନ ପ୍ରଯୁକ୍ତିର ସୁବିଧା ହେଉଛି ଯେ,ଏହି କ୍ଷେପଣାସ୍ତ୍ରକୁ ରେଳ ନେଟୱାର୍କ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନକୁ ପରିବହନ କରାଯାଇପାରିବ ଓ ବହୁତ କମ ସମୟ ମଧ୍ୟରେ ନିକ୍ଷେପ କରାଯାଇପାରିବ। ଏହା ଶତ୍ରୁକୁ ଅଜଣା ରଖିପାରିବ ଏବଂ ଭାରତ ତୁରନ୍ତ ଜବାବ ଦେଇପାରିବ।

ଏହା ପ୍ରଥମଥର ପାଇଁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ରେଳ ଲଞ୍ଚରରୁ ନିକ୍ଷେପ କରାଯାଇଛି । ଏପରି କରି ଭାରତ ସେହି କିଛି ଦେଶ ମଧ୍ୟରୁ ଗୋଟିଏ ହୋଇଛି ଯେଉଁଠାରେ କ୍ୟାନିଷ୍ଟରାଇଜ୍ଡ ଲଞ୍ଚ ସିଷ୍ଟମ୍ ଅଛି ଯାହା ରେଳ ନେଟୱାର୍କରେ ଯାତ୍ରା କରିବା ସମୟରେ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ।