ୱାସିଂଟନ: ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟହାଉସ୍ ରେ ପ୍ରେସ୍ ଡିନର କାଳରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଗିରଫ ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ନାମ କୋଲ ଟୋମାସ ଏଲେନ (୩୧) ଓ ସେ କାଲିଫର୍ଣ୍ଣିୟା ଟୋରେନ୍ସ ର ବାସିନ୍ଦା। ସେ ଜଣେ ଟ୍ୟୁଟର ଓ ସଫ୍ଟୱେର ଡେଭଲପର ଅଟନ୍ତି। ତଦନ୍ତକାରୀ ଏବେ ତାଙ୍କର ପୃଷ୍ଠଭୂମି ଓ ତାଙ୍କ ଉଦ୍ଦେଶ୍ୟର ଯାଞ୍ଚ କରୁଛନ୍ତି। ଅଭିଯୋଗ ହୋଇଛି ଯେ ଏଲନ ୱାସିଂଟନ ଡିସିରେ ଅନୁଷ୍ଠିତ ପ୍ରେସ୍ ଡିନରରେ ଗୁଳିକାଣ୍ଡ କରିଛନ୍ତି, ଯେଉଁଥି ପାଇଁ କାର୍ଯ୍ୟକ୍ରମ ସ୍ଥଳରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଅନ୍ୟମାନଙ୍କୁ ବାହାର କରାଯାଇଥିଲା।

ଆମେରିକା ଗୁଇନ୍ଦା ସେବା ଦ୍ୱାରା ଧରାପଡିବା ପୂର୍ବରୁ ଏଲେନ ୱାସିଂଟନ ହିଲ୍ଟନ ହୋଟେଲରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେ ଜଣେ ଅଧିକାରୀଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲା। ତେବେ ଅଧିକାରୀ ବଡି ଆର୍ମର ପିନ୍ଧିଥିବାରୁ ତାଙ୍କ ପ୍ରାଣ ରକ୍ଷା ହୋଇଯାଇଛି। ପରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଅପରାଧୀ ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲା ବୋଲି କହିଛନ୍ତି। ଏବେ ଅଭିଯୁକ୍ତକୁ ହାଜତରେ ରଖା ଯାଇଛି, ତା ବିରୋଧରେ ସୋମବାର ଔପଚାରିକ ଅଭିଯୋଗ ଅଣାଯାଇପାରେ।

କୋଲ ଟୋମାସ ଏଲନ କିଏ?
ଅନଲାଇନ ପ୍ରୋଫାଇଲ ଅନୁସାରେ କୋଲ ଏଲନ କାଲିଫର୍ଣ୍ଣିୟା ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜି (କ୍ୟାଲଟେକ୍)ର ସ୍ନାତକ। ଏଠାରୁ ସେ ୨୦୧୭ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରି ହାସଲ କରିଥିଲା। ତାର ଲିଂକଡ୍ ଇନ୍ ପ୍ରୋଫାଇଲ ଅନୁସାରେ ସେ ପରେ ୨୦୨୫ ମସିହାରେ କାଲିଫର୍ଣ୍ଣିୟା ଷ୍ଟେଟ୍ ୟୁନିଭର୍ସିଟି, ଡେମିଂଗୁଏଜ ହିଲସ୍ କମ୍ପ୍ୟୁଟର ସାଇନସ୍ ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲା। ତା ପ୍ରୋଫାଇଲ ଅନୁସାରେ ସେ ଶିକ୍ଷାରେ ମେକାନିକାଲ ଇଞ୍ଜିନିୟର ଓ କମ୍ପ୍ୟୁଟର ବୈଜ୍ଞାନି, ହେଲେ ଅଭିଜ୍ଞତାରେ ଜଣେ ଗେମ ଡେଭଲପର ଓ ପେଷାରେ ଜଣେ ଶିକ୍ଷକ।

ଟ୍ୟୁଟର ଓ ଶିକ୍ଷକ
ଖବର ଅନୁସାରେ ଏଲନ କିଛି ବର୍ଷ ପର୍ଯ୍ୟନ୍ତ ସି-ଟୁ ଏଜୁକେସନ ନାମକ ଏକ ଘରୋଇ ଟ୍ୟୁସନ ଓ କଲେଜ ପ୍ରବେଶିକା ପ୍ରସ୍ତୁତି କମ୍ପାନୀରେ ପାର୍ଟଟାଇମ ଶିକ୍ଷକ ଭାବେ କାମ କରିଛି। କମ୍ପାନୀର ୨୦୨୪ ସୋସିଆଲ ମିଡିଆ ପୋଷ୍ଟରେ ଏଲେନଙ୍କୁ ଟେରେନ୍ସ କାର୍ଯ୍ୟାଳୟରେ ‘ମାସର ସର୍ବଶ୍ରେଷ୍ଠ ଶିକ୍ଷକ’ ଭାବେ ସୂଚୀବଦ୍ଧ କରାଯାଇଥିଲା। ଏଲେନଙ୍କ ସମ୍ପର୍କିତ ଫେସବୁକ୍ ପୋଷ୍ଟରୁ ଏହା ବି ଜଣାପଡିଛି ଯେ ସେ କଲେଜ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି କରୁଥିବା ହାଇସ୍କୁଲ ଛାତ୍ରଙ୍କୁ ମଧ୍ୟ ଟ୍ୟୁସନ ଦେଉଥିଲା।

ଜଣେ ଗେମ ଡେଭଲପର ଓ ନାସା ଫେଲୋ
ଏଲନର ଅନଲାଇନ ‘ରିଜ୍ୟୁମେ’ ଅନୁସାରେ ସେ ଜଣେ ଇଣ୍ଡିପେଣ୍ଡେଣ୍ଟ ଗେମ୍ ଡେଭଲପର ଭାବେ ମଧ୍ୟ କାମ କରିଛି। କୁହାଯାଉଛି ସେ ଷ୍ଟିମ୍ ପ୍ଲାଟଫର୍ମରେ ଆଣବିକ ରସାୟନ ବିଜ୍ଞାନ ଉପରେ ଆଧାରିତ ଏକ ଭିଡିଓ ଗେମ ତିଆରିଥିଲା। ଜଣେ ଶିକ୍ଷକ ଭାବେ କାମ ଆରମ୍ଭ କରିବା ପୂର୍ବରୁ ଏଲେନ କଥିତ ରୂପେ ସାଉଥ୍ ପାସାଡେନାର ଆଇଜାକ କଣ୍ଟ୍ରୋଲସରେ ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ମେକାନିକାଲ ଇଞ୍ଜିନିୟର ରୂପେ କାମ କରିଥିଲା। ସେ କାଲିଫର୍ଣ୍ଣିୟା ଇନିଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜି (କାଲିଫର୍ଣ୍ଣିୟା ଟେକ୍ନିକାଲ ଟେକ୍ନୋଲଜି) ଟିଚିଂ ଆସିଷ୍ଟାଣ୍ଟ ରୂପେ ମଧ୍ୟ ସେବା ଦେଇଥିଲା। ଏହା ଛଡା ୨୦୧୪ ମସିହାରେ ଏଲେନ ନାସାର ଜେଟ୍ ପ୍ରୋପଲସନ ଲାବୋରେଟରୀରେ ଗ୍ରୀଷ୍ମ କାଳୀନ ସ୍ନାତକ ଅନୁସନ୍ଧାନ ଫେଲୋସିପ୍ ରେ ମଧ୍ୟ ଅଂଶଗ୍ରହଣ କରିଥିଲା।

ହ୍ୱାଇଟହାଉସ୍ ଗୁଳିକାଣ୍ଡ
ଅଧିକାରୀଙ୍କ ଅନୁସାରେ ଗୁଳିକାଣ୍ଡ ଘଟଣା ସମୟରେ ଏଲେନ ୱାସିଂଟନ ହିଲ୍ଟନ ହୋଟେଲରେ ହ୍ୱାଇଟହାଉସ୍ କରସପୋଣ୍ଡେସ୍ ଡିନରରେ ସାମିଲ ଥିଲା। କୁହାଯାଉଛି ସେ ସେହି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଅତିଥି ରୂପେ ଉପସ୍ଥିତ ଥିଲେ। ସିକ୍ରେଟ ସର୍ଭିସ ଅନୁସାରେ ସେ ପାଖରେ ଏକ ସଟ୍ ଗନ ରଖିଥିଲେ ଓ ହୋଟେଲ ବାଙ୍କୱେଟ ହଲ ନିକଟରେ ଜଣେ ଏଜେଣ୍ଟଙ୍କ ଉପରକୁ ଗୁଳି ଚଳାଇଥିଲା। ଘଟଣା ପରେ ତାକୁ କାବୁ କରି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲେନିଆ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେ.ଡି.ଭାନ୍ସଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ଉପସ୍ଥିତ ଥିଲେ।