ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ତୋଟାପଡ଼ା କେତକୀଝର ଗେଟ୍ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଆନ୍ଧ୍ର ଟ୍ରକକୁ ଦ୍ରୁତ ଗତିରେ ଆସୁଥିବା ମକା ବୋଝେଇ ଏକ ପିକ୍‌ଅପ୍ ଭ୍ୟାନ୍ ପଛପଟୁ ଜୋରଦାର ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ପିକଅପ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ଅତ୍ୟନ୍ତ ଭୟାବହ ହୋଇଥିବାରୁ ପିକଅପ୍ ଗାଡ଼ିର ସମ୍ମୁଖ ଭାଗଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ମକା ବୋଝେଇ ପିକ୍‌ଅପ୍ ଭ୍ୟାନଟି ବ୍ରହ୍ମପୁର ଦିଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ତୋଟାପଡ଼ା କେତକୀଝର ଗେଟ୍ ନିକଟରେ ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ଆନ୍ଧ୍ରା ଟ୍ରକକୁ ପିକଅପଟି ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ପିକଅପ୍ ଗାଡ଼ିର ଚାଳକ ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି ଗାଡ଼ି ମଧ୍ୟରୁ ଚାଳକଙ୍କ ମୃତଦେହ ବାହାର କରିଛନ୍ତି ।