ନୂଆଦିଲ୍ଲୀ,୧୦|୦୭:ଯେତେ ଯାହା ହେଲେ ବି ସୁଧୁରୁନି ପାକିସ୍ତାନ । ନିଜର କର୍ମ ପାଇଁ ବାରମ୍ବାର ଅପଦସ୍ତ ହେଉଛି । ହେଲେ ଚେତା ପଶୁନି । ଅତର୍ଜାତୀୟ ମଞ୍ଚରେ ନିନ୍ଦିତ ହେବା ଆତଙ୍କବାଦୀ ଦେଶ ପାଇଁ ଅଭ୍ୟାସ ହୋଇଗଲାଣି । ସେଠାକାର ନ୍ୟାୟ ବ୍ୟବସ୍ଥା କଥା ବି ନକହିବା ଭଲ । ପାକିସ୍ତାନରେ ଏମିତି କିଛି ହୋଇଛି ଯାହାକୁ ନିନ୍ଦା କରିଛି ୟୁରୋପୀୟ ସଙ୍ଘ । ଏହାସହ ଏକ ଚିଠା ମଧ୍ୟ ପାରିତ କରିଛି । ପାକ୍ ଭଳି ଦେଶରେ ମହିଳା ତଥା ଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସଙ୍ଘ ଆକଟ କରିଛି ।

ରିପୋର୍ଟ ଅନୁସାରେ, ପାକିସ୍ତାନରେ ୧୩ ବର୍ଷର ଜଣେ ଖ୍ରୀଷ୍ଟିଆନ୍ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ତାଙ୍କୁ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରିବାକୁ କୁହାଯାଇଥିଲା । ଆହୁରି ଅନେକ ନାବାଳିକା ପାକିସ୍ତାନରେ ନିର୍ଯାତନାର ଶିକାର ହେଉଛନ୍ତି ।

ୟୁରୋପୀୟ ସଙ୍ଘ ସଂସଦରେ କୁହାଯାଇଛି ଯେ, ପାକିସ୍ତାନରେ ଯାହା ଘଟୁଛି ତାହା ଠିକ୍ ନୁହେଁ । ନାବାଳିକାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ଅପରାଧ । ଯାହା ଆଗକୁ ସଙ୍କଟ ସୃଷ୍ଟି କରିବ । ସେଠାକାର ସରକାର ଏପରି ସଙ୍ଗୀନ ଘଟଣାକୁ ଅଣଦେଖା କରୁଛନ୍ତି । ମାରିୟା ସେହଓ୍ୱାଜ ନାମକ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଘରୁ ଅପହରଣ କରି ନିଆଯାଇଥିଲା । ୨୦୨୫ ଜୁଲାଇରେ ଏହି ଘଟଣା ଘଟିଥିଲା । ତାଙ୍କୁ ବଳପୂର୍ବକ ଇସଲାମ ହେବାକୁ କୁହାଯାଇଥିଲା ।

ସବୁଠାରୁ ବଡ କଥା ହେଉଛି ଅପହରଣ କରିନେଇଥିବା ବ୍ୟକ୍ତି ଜଣଙ୍କ ୩୦ ବର୍ଷର ଥିଲେ । ନାବାଳିକାର ପରିବାର ଲୋକେ ଘଟଣାକୁ ନେଇ କୋର୍ଟ ଯାଇଥିଲେ । କିନ୍ତୁ କୌଣସି ସୁଫଳ ମଳିନଥିଲା । ଏବେବି ନାବାଳିକା ଜଣଙ୍କ ଅପହରଣକାରୀ ତଥା ଦୁଷ୍କର୍ମକାରୀ ପାଖରେ ରହିଛି ।

ୟୁରୋପୀୟ ଅଧିକାରୀଙ୍କ କହିବା କଥା ହେଲା, ଏହା କେବଳ ଗୋଟିଏ ଘଟଣା । ଏମିତି ହଜାର ହଜାର ଘଟଣା ଘଟୁଛି । ନାବାଳିକାଙ୍କୁ ଆଇନଗତ ସାହାଯ୍ୟ ଦରକାର ହେଉଛି । ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବ । ତେଣୁ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ । ସଂଖ୍ୟାଲଘୁଙ୍କ ବିରୋଧରେ ଅଧିକ ଅପରାଧ ହେଉଛି । ଯାହା ମୈଳିକ ଅଧିକାରକୁ ହନନ କରୁଛି ।

ସେହିପରି ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅଙ୍କୁ ଟାର୍ଗେଟ୍ କରାଯାଉଛି । ବଳପୂର୍ବକ ଧର୍ମାନ୍ତୀକରଣ କରାଯାଉଥିବା ୭୫ ଭାବ ନାବାଳିକା ହିନ୍ଦୁ ଅଟନ୍ତି । ୨୫ ଭାଗ ହେଉଛନ୍ତି ଖ୍ରୀଷ୍ଟିଆନ୍ । ଏସବୁକୁ ରୋକାଯିବା ଦରକାର । ନ୍ୟାୟ ବ୍ୟବସ୍ଥା ସୁଦୃଢ ହେବାର ଆବଶ୍ୟକତା ରହିଥିବା ୟୁରୋପୀୟନ ସଙ୍ଘର ସଂସଦରେ କୁହାଯାଇଛି ।