ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟର ହ୍ୟାରି ବ୍ରୁକଙ୍କୁ IPLରୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି । ୨୦୨୫ ଆଇପିଏଲ୍ ନିଲାମରେ ବିକ୍ରି ହେବା ସତ୍ତ୍ୱେ ହ୍ୟାରି ବ୍ରୁକ୍ ଲିଗରେ ଖେଳିବାକୁ ମନା କରିଦେଇଛନ୍ତି । ଫଳରେ ନୂଆ ନିୟମ ଅନୁଯାୟୀ, ବ୍ରୁକଙ୍କୁ ଏହି ଲିଗ୍ରେ ଦୁଇ ବର୍ଷ ପାଇଁ ଖେଳିବା ପାଇଁ ବ୍ୟାନ୍ କରାଯାଇଛି । ଇଂଲଣ୍ଡ କ୍ରିକେଟ୍ ଟିମ୍ ପାଇଁ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା ଲାଗି ହ୍ୟାରି ବ୍ରୁକ୍ ଲିଗରୁ ଓହରିଛନ୍ତି । ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ନିଲାମରେ ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ କିଣିଥିଲା ।
ଇଂଲଣ୍ଡର ଏହି ବିସ୍ଫୋରକ ବ୍ୟାଟରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ କିଣିଥିଲା । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ଉପଅଧିନାୟକ ଥିବା ହ୍ୟାରି ବ୍ରୁକଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା । ଏହାପରେ ସେ ନିଜ ଜାତୀୟ ଦଳକୁ ପ୍ରାଥମିକତା ଦେଉଥିବାରୁ ଲିଗ୍ ଖେଳିବାକୁ ମନା କରିଛନ୍ତି ।
ଆଇପିଏଲ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କ ପାଇଁ କିଛି କଠୋର ନିୟମ ଲାଗୁ କରାଯାଇଛି । ଏହା ଅନୁସାରେ ଯଦି କୌଣସି ଖେଳାଳି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି ଏବଂ ତାଙ୍କୁ କୌଣସି ଟିମ୍ କିଣନ୍ତି କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଯଦି ସେ ନିଜ ନାଁ ଫେରାଇ ନିଅନ୍ତି ତେବେ ତାଙ୍କୁ ଦୁଇ ବର୍ଷର ବ୍ୟାନ୍ ସାମନା କରିବାକୁ ପଡ଼ିବ ।
ତେବେ ଏହି ନିୟମରେ କିଛି ଛାଡ଼ ଦିଆଯାଇଛି । ଆଇପିଏଲ୍ ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି ଆଘାତ କିମ୍ବା ଚିକିତ୍ସା କାରଣରୁ ବାହାରେ ଥାଆନ୍ତି, ତେବେ ଏପରି ପରିସ୍ଥିତିରେ ଖେଳାଳିଙ୍କ ଉପରେ ଏହି କଟକଣା ଲାଗୁ ହେବନି । ଯାହା ହ୍ୟାରି ବ୍ରୁକ୍ଙ୍କ କ୍ଷେତ୍ରରେ ଘଟିନାହିଁ । ହ୍ୟାରି ବ୍ରୁକ୍ ଟୁର୍ଣ୍ଣାମେଣ୍ଟରୁ ନାଁ ଫେରାଇ ନେବା ବେଳେ କହିଥିଲେ, 'ଇଂଲଣ୍ଡ କ୍ରିକେଟ୍ ପାଇଁ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ମୁଁ ଆଗାମୀ ସିରିଜ୍ ପ୍ରସ୍ତୁତି ପାଇଁ ଶତ ପ୍ରତିଶତ ଦେବାକୁ ଚାହୁଁଛି।'