News7 Logo

ନିଆଁରେ ଘିଅ ଢାଳିଲା ଇସ୍ରାଏଲ ଆକ୍ରମଣ , ଆରବ-ଇସଲାମୀ ଦେଶକୁ ନେଇ କତାର କରିବ ଏମର୍ଜେନ୍ସି ବୈଠକ

NEWS7
-

ନୂଆଦିଲ୍ଲୀ – ଇସ୍ରାଏଲର ଦୋହାରେ ଆକ୍ରମଣ ପରେ କତାରର ରାଜଧାନୀ ଆସନ୍ତା ରବିବାର ଓ ସୋମବାରରେ ଏକ ଜରୁରୀକାଳୀନ ଆରବ-ଇସଲାମୀ ଶିଖର ସମ୍ମିଳନୀର ଆୟୋଜନ କରିବ। ଏହି ବୈଠକରେ ଦୋହାରେ ଇସ୍ରାଏଲୀୟ ଆକ୍ରମଣକୁ ନେଇ ଆଲୋଚନା ହେବ। କାତାର ନ୍ୟୁଜ୍‌ ଏଜେନ୍ସି (କ୍ୟୁଏନଏ) ଅନୁସାରେ , ଶିଖର ସମ୍ମିଳନୀର ଉଦ୍ଦେଶ୍ୟ କତାରର ମାଟିରେ ହମାସ ନେତାଙ୍କୁ ଟାର୍ଗେଟ୍‌ କରି କରାଯାଇ ଥିବା ଇସ୍ରାଏଲ ହମାଲର ପରିଣାମରେ ବିଚାର କରିବା ଓ ଏହି ଗମ୍ଭୀର ଘଟଣାକ୍ରମରେ ଏକିକୃତ ଆରବ-ଇସଲାମୀ ପ୍ରତିକ୍ରିୟାର ସମନ୍ୱୟ କରିବା। ଏହି ଘୋଷଣା ଦୋହାରେ ହୋଇଥିବା ଏୟାର ହମଲାର ଦୁଇ ଦିନ ପରେ ଆସିଛି।

କହି ରଖୁଛୁ କି , କତାର ଏହି କାର୍ଯ୍ୟାନୁଷ୍ଠାନକୁ ହମାସ ରାଜନୈତିକ ବ୍ୟୁରୋର ଅନେକ ସଦସ୍ୟଙ୍କ ଆବାସୀୟ କାର୍ଯ୍ୟାଳୟକୁ ଟାର୍ଟେଟ୍‌ କରି କରାଯାଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣର ଆଖ୍ୟା ଦେଇଛି। ଇସ୍ରାଏଲୀୟ ସେନା ହମଲାର ଦାୟିତ୍ୱ ନେଇଛି , ଯେଉଁଥିରେ କୁହାଯାଇଛି ଯେ, ସେ ସିନ୍‌ ବେଟ୍‌( ଇସ୍ରାଏଲ ସୁରକ୍ଷା ଏଜେନ୍ସି) ସହ ମିଶି ଦୋହାରେ ହମାସ ନେତୃତ୍ୱକୁ ଟାର୍ଗେଟ୍‌ କରିଛି। ହମାସ ସ୍ପଷ୍ଟ କରିଛି ଯେ, ଖଲିଲ ଅଲ-ହାୟାଙ୍କ ନେତୃତ୍ୱରେ ଏହାର ଆଲୋଚନା ପ୍ରତିନିଧି ଦଳ ହତ୍ୟା ଉଦ୍ୟମରୁ ବଞ୍ଚି ଯାଇଛି, ଯଦିଓ ଆକ୍ରମଣରେ ସଙ୍ଗଠନର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

କତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍‌ ଅବଦୁଲ ରହମାନ ଅଲ୍ ଥାନି କହିଛନ୍ତି ଯେ, ଇସ୍ରାଏଲ ଦ୍ୱାରା ଦୋହାରେ ହମାସ ନେତାଙ୍କ ଉପରେ କରାଯାଇଥିଲା ଆକ୍ରମଣରେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ୍‌ ନେତନ୍ୟାହୁ  ଗାଜାରେ ବନ୍ଧକଙ୍କର ମୁକ୍ତିର ସବୁ ଆଶାକୁ ଶେଷ କରି ଦେଇଛନ୍ତି। ଶେଖ୍‌ ମହମ୍ମଦ ଏହି କଡ଼ା ବିବୃତ୍ତି ଜାତିସଂଘ ସାଧାରଣା ସଭାରେ ନିଜର ଉପସ୍ଥିତି ପୂର୍ବରୁ ଦେଇଛନ୍ତି। ଏହି ବିବୃତ୍ତି ଉପସାଗରୀୟ ଦେଶ , ବିଶେଷକରି ଆରବ ଦେଶ ଗୁଡ଼ିକରେ ଇସ୍ରାଏଲୀୟ ହମଲା ପ୍ରତି ଅସନ୍ତୋଷ ବୃଦ୍ଧିକୁ ଦର୍ଶାଉଛି। ଯେଉଁଥିରେ ପାଖାପାଖି ଛଅ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶେଖ୍‌ ମହମ୍ମଦ ଆହୁରି କହିଛନ୍ତି ଯେ, ଆକ୍ରମଣ ଦିନ ସକାଳେ ଜଣେ ବନ୍ଧକଙ୍କ ପରିବାରକୁ ଭେଟି ଥିଲେ। ସେମାନେ ସଂପୂର୍ଣ୍ଣ ଭାବେ ଯୁଦ୍ଧବିରତି ଓ ମଧ୍ୟସ୍ଥତା ଉପରେ ନିର୍ଭରଶୀଳ ଥିଲେ। ସେମାନଙ୍କର ଅନ୍ୟ କୌଣସି ଆଶା ନଥିଲା। କିନ୍ତୁ ମୋତେ ଲାଗୁଛି ଯେ, ନେତନ୍ୟାହୁ ନିଜର ଏହି ପଦକ୍ଷେପରେ ବନ୍ଧକଙ୍କ ମୁକ୍ତିର ସବୁ ସମ୍ଭାବନା ଶେଷ କରି ଦେଇଛନ୍ତି।

କତାର ଓ ମିଶର ଗାଜାରେ ଯୁଦ୍ଧ ବିରତି ପାଇଁ ମଧ୍ୟସ୍ଥତାର ପ୍ରମୁଖ ପ୍ରୟାସରେ ସାମିଲ ହୋଇଛନ୍ତି। ଆମେରିକାର ଆହ୍ୱାନରେ , କତାର ଅନେକ ବର୍ଷରୁ ଦୋହାରେ ହମାସର ରାଜନୈତିକ ନେତୃତ୍ୱକୁ ଆଶ୍ରୟ ଦେଇଛି , ଯାହାକି ଇସ୍ରାଏଲ ଓ ହମାସ ମଧ୍ୟରେ ଆଲୋଚନାର ସମ୍ଭାବନାକୁ ଜାରି ରଖିବ। ନେତନ୍ୟାହୁ ଶେଖ୍‌ ମହମ୍ମଦଙ୍କ ଟିପ୍ପଣୀ ଉପରେ କୌଣସି ତତ୍କାଳ ପ୍ରତିକ୍ରିୟା ଦେଇ ନାହାନ୍ତି।ହେଲେ , ସେ ଆକ୍ରମଣକୁ ସମର୍ଥନ  କରି କହିଛନ୍ତି , ଯଦି କୌଣସି ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଏ , ତେବେ ସେମାନଙ୍କୁ ବାହାର କରିବା ଉଚିତ୍‌  କିମ୍ୱା ନ୍ୟାୟ ପାଇଁ ଆଣିବା ଉଚିତ୍‌ , ନଚେତ୍‌ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।