ମଧ୍ୟରାତ୍ରିରୁ ଏବେ କେବଳ ୮୫ ସେକେଣ୍ଡ ଦୂର; ପ୍ରଳୟର ସବୁଠୁ ନିକଟରେ ପହଞ୍ଚିଲା ଡୁମ୍ସଡେ ଘଣ୍ଟା

NEWS7
elephant-damage-crop-and-house-in-patna-range

ନୂଆଦିଲ୍ଲୀ: ଦୁନିଆର ପରମାଣୁ ବୈଜ୍ଞାନିକମାନେ ଡୁମ୍ସଡେ କ୍ଲକ୍ ଅର୍ଥାତ୍ ପ୍ରଳୟର ଘଣ୍ଟାକୁ ଆଜି ଯାଏରେ ସବୁଠୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚାଇଛନ୍ତି । ବୈଜ୍ଞାନିକମାନେ ପ୍ରଳୟର ଘଣ୍ଟାର ସମୟକୁ ମଧ୍ୟରାତ୍ରିର ଆହୁରି ନିକଟତର କରିଛନ୍ତି । ଏହା ଏକ ସଂକେତ ଯେ ମାନବତା ବିନାଶର ନିକଟରେ ପହଞ୍ଚୁଛି । ବୈଜ୍ଞାନିକମାନେ ଏହି ପ୍ରଳୟର ଘଣ୍ଟାକୁ ମଧ୍ୟରାତ୍ରିରୁ ୮୫ ସେକେଣ୍ଡ ପୂର୍ବରେ ସେଟ୍ କରିଛନ୍ତି, ଯାହା ଗତ ୮୦ ବର୍ଷର ଇତିହାସରେ ସବୁଠୁ ନିକଟବର୍ତ୍ତୀ ଅଟେ । ବୁଲେଟିନ୍ ଅଫ୍ ଆଟମିକ୍ ସାଇଣ୍ଟିଷ୍ଟ ମଙ୍ଗଳବାର ଏହି ଘୋଷଣା କରିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ପରମାଣୁ ଯୁଦ୍ଧର ବିପଦ ଓ ଦ୍ରୁଗ ଗତିରେ ବଢୁଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ଭୟ ବିପଦଜ୍ଜନକ ସ୍ଥିତିରେ ପହଞ୍ଚାଇଛି ।

ୱାଶିଂଟନ୍ ଡି.ସି.ରେ ଘଣ୍ଟାକୁ ଚାରି ସେକେଣ୍ଡ ଆଗକୁ ଅପଡେଟ୍ କରାଯିବା ପରେ ବୁଲେଟିନ୍ ଅଫ୍ ଆଟମିକ୍ ସାଇଣ୍ଟିଷ୍ଟସର ଅଧ୍ୟକ୍ଷ ଆଲେକଜାଣ୍ଡ୍ରା ବେଲ୍ କହିଛନ୍ତି "ଡୁମ୍ସଡେ ଘଣ୍ଟାର ବାର୍ତ୍ତା ଏହାଠାରୁ ସ୍ପଷ୍ଟ ହୋଇପାରିବ ନାହିଁ । ବିପର୍ଯ୍ୟୟ ଆଶଙ୍କା ବଢ଼ୁଛି, ସହଯୋଗ ହ୍ରାସ ପାଉଛି ଏବଂ ଆମର ସମୟ ସରିଯାଉଛି ।"

ସେ କହିଛନ୍ତି ଯେ ପରିବର୍ତ୍ତନ ଆବଶ୍ୟକ ଏବଂ ସମ୍ଭବ । କିନ୍ତୁ ବିଶ୍ୱ ସମୁଦାୟ ଏହାର ନେତାମାନଙ୍କଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ପଡିବ । ବେଲ୍ କହିଛନ୍ତି ଯେ ବୁଲେଟିନର ସାଇନ୍ସ ଏବଂ ସିକ୍ୟୁରିଟି ବୋର୍ଡ ବିଶ୍ୱାସ କରେ ଯେ ମାନବତା ଆମ ସମସ୍ତଙ୍କୁ ବିପଦରେ ପକାଇଥିବା ପ୍ରମୁଖ ବିପଦ ଉପରେ ଅଗ୍ରଗତି କରିନାହିଁ । ତେଣୁ ଆମେ ଘଣ୍ଟାକୁ ଆଗକୁ ବଢ଼ାଉଛୁ । ଆଣବିକ ଅସ୍ତ୍ରଶସ୍ତ୍ର, ଜଳବାୟୁ ପରିବର୍ତ୍ତନ ଏବଂ କ୍ଷତିକାରକ ପ୍ରଯୁକ୍ତିବିଦ୍ୟାରୁ ଆମେ ସମ୍ମୁଖୀନ ହେଉଥିବା ବିପଦ ସବୁ ବୃଦ୍ଧି ପାଉଛି । ପ୍ରତ୍ୟେକ ସେକେଣ୍ଡ ମୂଲ୍ୟବାନ ଓ ଆମ ପାଖରେ ସମୟ କମ ହେବାରେ ଲାଗିଛି । ଏହା ଏକ କଠୋର ବାସ୍ତବତା ।

ସାଇନ୍ସ ଏବଂ ସିକ୍ୟୁରିଟି ବୋର୍ଡର ଅଧ୍ୟକ୍ଷ ଡାନିଏଲ୍ ହୋଲଜ୍ ଚେତାବନୀ ଦେଇଛନ୍ତି ଯେ ଏକ ବିଭାଜିତ ବିଶ୍ୱ ମାନବତାକୁ ଆହୁରି ଦୁର୍ବଳ କରିପାରେ । ବୋର୍ଡ କହିଛି ଯେ ବିଶ୍ୱର ପ୍ରମୁଖ ଶକ୍ତିଗୁଡ଼ିକ ଅଧିକ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ହୋଇପଡୁଛନ୍ତି, ଯାହା ଫଳରେ କଷ୍ଟରେ ହୋଇଥିବା ଚୁକ୍ତିନାମା ଭାଙ୍ଗିଯାଉଛି । ଏହା ଏକ ବିପଦ ସୃଷ୍ଟି କରୁଛି । ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ ଯଦି ସ୍ଥିତି ଅପରିବର୍ତ୍ତିତ ରହେ, ତେବେ ବିପର୍ଯ୍ୟୟର ସମ୍ଭାବନା ବୃଦ୍ଧି ପାଇବ ।

ପ୍ରଳୟର ଘଣ୍ଟା ଏକ ପ୍ରତୀକାତ୍ମକ ଭାବେ ଦୁନିଆକୁ ଦର୍ଶାଉଛି ଯେମାନବତା ମଣିଷ ଦ୍ୱାରା ନିର୍ମିତ ବିନାଶରେ ନିଜକୁ ଶେଷ କରିବାକୁ କେତେ ନିକଟରେ ରହିଛି । ମଧ୍ୟରାତ୍ରି ସେହି ସମୟକୁ ସୂଚିତ କରେ ଯେତେବେଳେ ପୃଥିବୀ ଆଉ ମଣିଷ ପାଇଁ ବାସଯୋଗ୍ୟ ରହିବ ନାହିଁ । ଯଦି ଘଣ୍ଟାଟି ମଧ୍ୟରାତ୍ରି ପାଖକୁ ଘୁଞ୍ଚିଯାଏ, ତେବେ ଏହାର ଅର୍ଥ ହେଉଛି ଯେ ମାନବଜାତି ନିଜର ଧ୍ୱଂସର ନିକଟତର ହେଉଛି । ଗତ ବର୍ଷ, ବୈଜ୍ଞାନିକମାନେ ଘଣ୍ଟାକୁ ମଧ୍ୟରାତ୍ରିଠାରୁ ୮୯ ସେକେଣ୍ଡ ଦୂରରେ ରଖିଥିଲେ । ମଙ୍ଗଳବାର ଏହାକୁ ଆଉ ଚାରି ସେକେଣ୍ଡ ହ୍ରାସ କରାଯାଇଥିଲା ।