ନିର୍ବାଚନ ଆୟୋଗରୁ ବିଜେପିକୁ ଝଟକା, ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଏକ୍ସକୁ ଆଦେଶ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ବିଜେପିକୁ ବଡ଼ ଝଟକା। ବିବାଦୀୟ ବିଜ୍ଞାପନ ହଟାଇବାକୁ ବିଜେପିକୁ ନିର୍ବାଚନ ଆୟୋଗଙ୍କ  ନିର୍ଦ୍ଦେଶ । ଆୟୋଗ ମାଇକ୍ରୋବ୍ଲଗିଂ ଓ୍ବେବସାଇଟ ଏକ୍ସକୁ ମଧ୍ୟ ନିର୍ଦ୍ଦେଶ ଦେବାସହ କର୍ଣ୍ଣାଟକ ବିଜେପି ତରଫରୁ ପୋଷ୍ଟ ହୋଇତିବା ଆପତ୍ତିଜନକ ବିଜ୍ଞାପନକୁ ହଟାଇବାକୁ କୁହାଯାଇଛି। ପ୍ରକୃତରେ କର୍ଣ୍ଣାଟକରେ ବିଜେପି, ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ପରେ ମଧ୍ୟ ଏହାକୁ ହଟାଇନଥିଲା। ଏହି ଆପତ୍ତିଜନକ ପୋଷ୍ଟକୁ ନେଇ ପୂର୍ବରୁ ହିଁ ଏଫଆଇଆର ରୁଜୁ ହୋଇସାରିଛି। କଂଗ୍ରେସ ଏହାକୁ ମୁଦ୍ଦା କରିଥିଲା। 

ସୂଚନାଯୋଗ୍ୟ, କଂଗ୍ରେସ, କର୍ଣ୍ଣାଟକ ବିଜେପି ମୁଖ୍ୟ ବିଓ୍ବାଇ ବିଜୟେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲେ। ଏଥିରେ ତାଙ୍କ ଉପରେ ଅପମାନଜନକ ପୋଷ୍ଟ କରିବା ଅଭିଯୋଗ ଆଣିଥିଲେ। ଏହା ସହ କୁହାଯାଇଥିଲା ଯେ, ଏଭଳି ପୋଷ୍ଟ ଦ୍ବାରା ଆଇନ ଶୃଙ୍ଖଳା ସମସ୍ୟା ଉପୁଜିପାରେ।

ଭିଡିଓରେ କଂଗ୍ରେସ ଉପରେ କଟାକ୍ଷ କରି କିଛି ଅଭିଯୋଗ ହୋଇଥିଲା। କୁହାଯାଇଥିଲା ଯେ, କେନ୍ଦ୍ରରେ ବିରୋଧୀ ପାର୍ଟୀ ସଂରକ୍ଷଣ ଏବଂ ଫଣ୍ଡ ଆବଣ୍ଟନରେ ପଛୁଆ ବର୍ଗଙ୍କ ତୁଳନାରେ ମୁସଲମାନଙ୍କୁ ପକ୍ଷ ନେଉଛି। ଆଉ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଏହାକୁ ନେଇ ପୋଲିସ ଏବଂ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ।

ଏଥିରେ ଅଭିଯୋଗ ହୋଇଥିଲା ଯେ, ଭିଡିଓରେ ଆଦର୍ଶ ଆଚରଣ ସଂହିତାର ଉଲ୍ଲଘଂନ କରାଯାଇଛି। ବେଙ୍ଗାଲୁରୁ ପୋଲିସ ଏହି ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ଏବଂ ପ୍ରଦେଶ ଅଧ୍ୟକ୍ଷ ବିଓ୍ବାଇ ବିଜୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.