ବ୍ରହ୍ମପୁର: ବୟସ ୬୫ ବର୍ଷରୁ ଉର୍ଦ୍ଧ୍ବ ହେବ। ଭଲଭାବେ ଚାଲି ପାରୁନାହାନ୍ତି କି’ ଠିକ୍ ଭାବେ ଛିଡ଼ା ବି ହୋଇପାରୁନାହାଁନ୍ତି। ଚାଲିବେ ବି କେମିତି, ତାଙ୍କର ଗୋଡ଼ ଯେ ଭାଙ୍ଗିଯାଇଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ସେହି ଗୋଡ଼ର ଚିକିତ୍ସା ପାଇଁ ଟ୍ରାଇ ସାଇକେଲରେ ନୟାଗଡ଼ରୁ ଶରଣକୁଳ ଥାନା ବରସାହି ଅଞ୍ଚଳରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଆସିଛନ୍ତି ବୃଦ୍ଧ ଶୁକଦେବ ନାହାକ। ନିଜେ ହିଁ ଦୀର୍ଘ ୧୩୦ କିଲୋମିଟର ରାସ୍ତା ଟ୍ରାଇ ସାଇକେଲ ଚଳେଇ ଆସିଛନ୍ତି। ଦୀର୍ଘ ବର୍ଷ ହେଲା ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଉତ୍ତମ ଚିକିତ୍ସା ପାଇବା ଆଶାରେ ବ୍ରହ୍ମପୁର ବଡ଼ ମେଡିକାଲ ଆସିଛନ୍ତି।

ସୂଚନା ଅନୁସାରେ, ୨୦୨୨ ମସିହାରେ ଗ୍ରାମରକ୍ଷୀ ଚାକିରିରୁ ଅବସର ନେବା ପରେ ଶୁକଦେବ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଦୁଇ ଝିଅ ବାହା ହୋଇ ସାରିଥିବା ବେଳେ ଗୋଟିଏ ମାତ୍ର ପୁଅ ମାନସିକ ରୋଗରେ ପୀଡ଼ିତ ଥିବା କହିଛନ୍ତି ଶୁକଦେବ। ଏମିତି ସମୟରେ ଶୁକଦେବ ଏକୁଟିଆ ଆସି ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚିଛନ୍ତି। ନର୍ସ ଦିଦିଙ୍କ ସହାୟତା, ଡାକ୍ତରଙ୍କ ଚିକିତ୍ସା ଓ କିଛି ସ୍ବେଛାସେବୀ କର୍ମୀଙ୍କ ସାହାର୍ଯ୍ୟରେ ଏବେ ଶୁକଦେବ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି ସାଂସଦ ପ୍ରତିନିଧି। ନିଶ୍ଚିତ ଭାବେ ଶୁକଦେବ ଭଲ ହୋଇ ଘରକୁ ଫେରିବା ଆଶା ରଖିଥିବା କହିଛନ୍ତି।