କୋଲକାତା, ୦୩/୦୫: ପଶ୍ଚିମବଙ୍ଗରେ ହେବ ସାନି ମତଦାନ । ବ୍ୟାପକ ହିଂସାକାଣ୍ଡ ଏବଂ ଇଭିଏମ ହେରଫେର ମାମଲାକୁ ନେଇ ଏକ ବିଧାନସଭା ଆସନରେ ସାନି ମତଦାନ ହେବା ନେଇ ନିର୍ବାଚନ କମିଶନ କହିଛନ୍ତି । କମିଶନ ଶନିବାର ପଶ୍ଚିମବଙ୍ଗର ଫାଲତା ବିଧାନସଭା ଆସନରେ ହୋଇଥିବା ମତଦାନକୁ ରଦ୍ଦ କରିଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମରେ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋଟିଏ ବୁଥରେ ଇଭିଏମରେବିଜେପି ବଟନ ଉପରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ରଦ୍ଦ କରିବା ସହ ସାନି ଭୋଟ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି ।

Also Read :-ଖୁବ୍ ଶୀଘ୍ର ବଢିବ ପେଟ୍ରୋଲ ଏବଂ ଡିଜେଲ୍ ରେଟ୍ ! ଏତେ ଟଙ୍କା ବୃଦ୍ଧି ପାଇବ ଦାମ୍, ନିଷ୍ପତ୍ତି ନେବେ ସରକାର

ମେ୨୧ରେ ସାନି ମତଦାନ

ଆସନ୍ତା ୨୧ ତାରିଖରେ ଫାଲତା ବିଧାନସଭା ଆସନର ସମସ୍ତ ୨୮୫ଟି ବୁଥରେ ସାନି ମତଦାନ କରାଯିବ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମେ ୨୪ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଫାଲତା ଆସନ ଅଞ୍ଚଳରେ ଭୋଟରମାନେ ଟିଏମସି କର୍ମକର୍ତ୍ତାଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଅନୁସାରେ, ଭୋଟିଂ ପରେ ଟିଏମସିର ଲୋକମାନେ ଆସି ସେମାନଙ୍କୁ ମାରପିଟ୍ କରିଥିଲେ । ସେମାନେ ଏହାର ବିରୋଧ କରିବାରୁ ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏଥିରେ ଅନେକ ଲୋକଙ୍କ ଗୋଡ଼, ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି ।

ଶନିବାର ଅନେକ ବୁଥରେ ସାନି ମତଦାନ

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଡାଏମଣ୍ଡ ହାର୍ବର ଓ ମଗରାହାଟ ପଶ୍ଚିମ ବିଧାନସଭାର ମୋଟ ୧୫ ବୁଥରେ ଶନିବାର ସାନି ମତଦାନ ହୋଇଛି । ଏପ୍ରିଲ ୨୯ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଳେ ଏହିସବୁ ବୁଥରେ ବିଭିନ୍ନ ଅନିୟମିତତା ଅଭିଯୋଗ ହୋଇଥିଲା ।

ଶନିବାର ଅର୍ଥାତ ମେ ୨ ତାରିଖ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ଦୁଇଟି ବିଧାନସଭା ଆସନର ୧୫ ବୁଥରେ ୯୦ ପ୍ରତିଶତ ମତଦାନ ହୋଇଛି । ସାନି ମତଦାନ ବେଳେ ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରି ଉଭୟ ଗୋଷ୍ଠୀଙ୍କୁ ଶାନ୍ତ କରାଇଥିଲେ । ଫଳରେ ପରିସ୍ଥିତି ଅଧିକ ବିଗିଡ଼ି ନ ଥିଲା । ଅନ୍ୟପକ୍ଷରେ ମଗରାହାଟର ବୁଥ୍ ନମ୍ବର ୧୨୭ରେ ସୁରକ୍ଷା ବଳ ଟିଏମସି ଶିବିରରେ ଭଙ୍ଗାରୁଜା କରିଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସମୟରେ ଦଳୀୟ କର୍ମକର୍ତ୍ତାଙ୍କୁ ମାରପିଟ୍ କରାଯାଇଥିବା ନେଇ ମଧ୍ୟ ଟିଏମସି କହିଛି ।

୮୬ ପ୍ରତିଶତ ଭୋଟିଂ

ନିର୍ବାଚନ କମିଶନଙ୍କ ସୂତ୍ର ମୁତାବକ, ମଗରାହାଟ ପଶ୍ଚିମର ୧୧ ବୁଥରେ ୮୬.୧୧% ଏବଂ ଡାଏମଣ୍ଡ ହାର୍ବରର ୪ ବୁଥରେ ୮୭.୬୦% ମତଦାନ ହୋଇଛି । ନିର୍ବାଚନ କମିଶନ ରାଜ୍ୟରେ ଆଉ ୧୬୫ କାଉଣ୍ଟିଙ୍ଗ୍ ଅବଜର୍ଭର ଏବଂ ୭୭ ପୁଲିସ ଅବଜର୍ଭର ମୁତୟନ କରିଛନ୍ତି । ମେ ୪ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ ।