ନୂଆଦିଲ୍ଲୀ: ଇରାନ ସହ ଆମେରିକା ଶାନ୍ତି ଚୁକ୍ତି ହେବାର ସମ୍ଭାବନା କମ୍ । ଏନେଇ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସନ୍ଦେହ ପ୍ରକାଶ କରିଛନ୍ତି । ଇରାନ୍ ଯୁଦ୍ଧ କରିବାରେ ଦୁର୍ବଳ, କିନ୍ତୁ କଥା କହିବାରେ ଚତୁର ବୋଲି ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି ଯେ, ‘ମୁଁ ନୁହେଁ... ସେମାନେ(ଇରାନ) ଚୁକ୍ତି ପାଇଁ ଭିକ୍ଷା କରୁଛନ୍ତି।’ ଦୁଇ ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଆମେରିକା ଏବଂ ଇରାନ ଉଭୟ ଏକ ଚୁକ୍ତି ଚାହାଁନ୍ତି।

ଚୁକ୍ତି କର, ନଚେତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଇରାନ ସମଗ୍ର ମଧ୍ୟପ୍ରାଚ୍ୟକୁ ଦଖଲ କରିବାକୁ ଚାହୁଁଛି। ସେ ତେହେରାନକୁ ଏକ ଚୁକ୍ତିରେ ରାଜି ହେବା ପାଇଁ ନଚେତ୍ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ‘ଆମେ ସେମାନଙ୍କର ପ୍ରାୟ ୯୦ ପ୍ରତିଶତ ଲଞ୍ଚର ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିଦେଇଛୁ । ସେମାନେ ଏକ ଚୁକ୍ତି ପାଇଁ ଭିକ୍ଷା କରୁଛନ୍ତି... ମୁଁ ନୁହେଁ। ସେମାନେ ମୂର୍ଖ ନୁହଁନ୍ତି, ସେମାନେ ବହୁତ ଚତୁର। ମୁଁ ନିଶ୍ଚିତ ନୁହେଁ ଯେ, ଆମେ ଇରାନ ସହିତ ଏକ ଚୁକ୍ତି କରିପାରିବୁ । ଆମେ ସେମାନଙ୍କର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର କାରଖାନାକୁ ନଷ୍ଟ କରୁଛୁ ।’

ନାଟୋ ଉପରେ ରାଗିଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ସେ ନାଟୋକୁ ନେଇ ନିରାଶ ଅଛନ୍ତି । ଆମେ ନାଟୋକୁ ସାହାଯ୍ୟ କରୁ, କିନ୍ତୁ ସେମାନେ ଆମକୁ ସାହାଯ୍ୟ କରୁନାହିଁ । ନାଟୋ ଏବେ କହୁଛି ଯେ, ଯୁଦ୍ଧ ଶେଷ ହେଲେ ସେମାନେ ଆମକୁ ସାହାଯ୍ୟ କରିବେ। ଏହା ନାଟୋ ପାଇଁ ଏକ ପରୀକ୍ଷା ଥିଲା। ଆମେରିକାକୁ ନାଟୋ ଦେଶ ସାହାଯ୍ୟ କରୁଛନ୍ତି କି ନାହିଁ, ସେନେଇ ପରୀକ୍ଷାର ବେଳ ଥିଲା । ଯଦି ସାହାଯ୍ୟ କରିବନି, ତେବେ ଆମେରିକା ଏକଥାକୁ ମନେ ରଖିବ ।

ଚୁକ୍ତି ହେଲେ ହର୍ମୁଜ୍ ପ୍ରଣାଳୀ ଖୋଲିବ: ଟ୍ରମ୍ପ

ଟ୍ରମ୍ପଙ୍କ ଅନୁସାରେ, ଇରାନ ସ୍ୱୀକାର କରୁଛି ତେହେରାନ ଏକ ବଡ଼ ପରାଜୟର ସମ୍ମୁଖୀନ ହେଉଛି । ସେ କହିଛନ୍ତି, ‘ସେମାନେ ଲୋକଙ୍କୁ କହୁଛନ୍ତି ଯେ, ଏହା ଏକ ବଡ଼ ବିପର୍ଯ୍ୟୟ । ସେଥିପାଇଁ ସେମାନେ ଆମ ସହିତ କଥା ହେଉଛନ୍ତି । ସେମାନଙ୍କର ଏକ ବଡ଼ ସମସ୍ୟା ଅଛି। ସେମାନେ ହାରି ଯାଇଛନ୍ତି।’ ସେ ଆହୁରି କହିଛନ୍ତି, ଏକ ନିରପେକ୍ଷ ଚୁକ୍ତି କରିପାରିବୁ କି ନାହିଁ ତା ଉପରେ ନଜର ରଖିଛୁ । ଯଦି ଆମେ କରିପାରିବୁ, ତେବେ ହର୍ମୁଜ୍ ପ୍ରଣାଳୀ ପୁଣି ଖୋଲିବ। ଆମେ ଏକ ନିରପେକ୍ଷ ଚୁକ୍ତି କରିପାରିବୁ କି ନାହିଁ, ମୁଁ ନିଶ୍ଚିତ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି ।