ଖରା ବଢ଼ିଲେ ଆବଶ୍ୟକସ୍ଥଳେ ଜିଲ୍ଲାପାଳ ମାନେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ : ସୁରେଶ ପୂଜାରୀ

Published By : Prameya-News7 Bureau | April 22, 2025 IST

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି । ଏସ୍‌ଓପି ବାହାରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲପାଳ ମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳ ମାନେ ଅଧିକୃତ, ଯେଉଁ ସ୍ଥାନରେ ନିର୍ଦ୍ଧିଷ୍ଟ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ବଢିବ । ସେଠାରେ ଜିଲ୍ଲାପାଳମାନେ ଅନୁଭବ କରିବେ, ସେମାନେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ । 

ସାରା ଓଡ଼ିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବଶୀଘ୍ର ସମୀକ୍ଷା ହେବ । ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା କରାଯିବ ଏବଂ ଅଧିକ ନିର୍ଦ୍ଦେଶାବଳୀ ଜାରି କରାଯିବ । ରାଜ୍ୟ ପାଇଁ ଯେଉଁ ଏସ୍‌ଓପି ଜାରି ହୋଇଛି ତାର ବାହାରେ ଲୋକଙ୍କର ଜୀବନ ରକ୍ଷା ପାଇଁ ଯାହା ଯାହା ପଦକ୍ଷେପ ନେବାକଥା ନେଇପାରିବେ । ଆହୁରି ଅଧିକ କଟକଣା ମଧ୍ୟ ଲଗାଇ ପାରିବେ ଏବଂ ଏସ୍‌ଓପି ମଧ୍ୟ ଜାରି କରିପାରିବେ ।

ଆଗକୁ ଆହୁରି ତାପମାତ୍ରା ବଢ଼ିପାରେ । ୨୦ ଜିଲ୍ଲାରୁ ହିଟ୍‌ଷ୍ଟ୍ରୋକର ଅଭିଯୋଗ ଆସିଛି । ଏହାକୁ ନେଇ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଯତ୍ନ ନେଉଛି । ବିଭାଗ ମଧ୍ୟ ସେ ନେଇ ବ୍ୟବସ୍ଥା କରୁଛି ଯେମିତି କେହି ଅଂଶୁଘାତରେ ପୀଡିତ ହେବେ ନାହିଁ ଏବଂ ଯଦି ପୀଡିତ ହୁଅନ୍ତି ସେମାନଙ୍କୁ କିଭଳି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଶିକ୍ଷା ଏବଂ ଶ୍ରମ ବିଭାଗ ସହିତ ଆମ ବିଭାଗ ଯୋଗାଯୋଗରେ ଅଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ମଙ୍ଗଳବାର ଦିନ ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଟପିଛି ତାପମାତ୍ରା । ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୦ ଡିଗ୍ରୀ, ସମ୍ବଲପୁରରେ ୩୯.୬ ଡିଗ୍ରୀ, ରାଉରକେଲାରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ଚାନ୍ଦବାଲିରେ ୩୬.୪ ଡିଗ୍ରୀ, ଭୁବନେଶ୍ୱରରେ ୩୫.୪ ଡିଗ୍ରୀ ତାପମାତ୍ରା ରହିଛି ।

You Can Read:

ମା’କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ବଞ୍ଚାଇବାକୁ ଯାଇଥିଲା ପୁଅ, ଚାଲିଗଲା ଉଭୟଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.