IND vs SA: କମାଲ କଲେ ରୋହିତ-ଜୟସ୍ୱାଲ, ଶତକୀୟ ପାଳି ଖେଳି ୧୨ ବର୍ଷର ମରୁଡ଼ି କଲେ ଶେଷ

NEWS7
five-people-sentenced-to-life-imprisonment-in-the-case-of-death-of-a-young-woman-due-to-superstition-in-jharsuguda

ବିଶାଖାପାଟନମ୍: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୨୭୦ ରନର ଲକ୍ଷ୍ୟ ପିଛା କରୁଥିବା ଭାରତର ଦୁଇ ଓପନର ଦମଦାର ଆରମ୍ଭ ଦେଇଥିଲେ । ଯଶସ୍ୱୀ ଜୟସ୍ୱାଲ ଏବଂ ରୋହିତ୍ ଶର୍ମାଙ୍କ ମଧ୍ୟରେ ପ୍ରଥମ ଉଇକେଟ୍ ପାଇଁ ୧୫୫ ରନ୍ ପାର୍ଟନରଶିପ୍ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦଶମ ଶତକୀୟ ଓପନିଂ ଭାଗିଦାରୀ ଥିଲା । ଶେଷ ଥର ପାଇଁ କାର୍ଡିଫ୍‌ରେ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ ରୋହିତ୍‌ ଶର୍ମା ଏବଂ ଶିଖର ଧାୱନ ୧୨୭ ରନର ଶତକୀୟ ପାର୍ଟନରଶିପ୍ ହୋଇଥିଲା ।

ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦ୍ୱିତୀୟ ସର୍ବାଧିକ ଓପନିଂ ପାର୍ଟନରଶିପ୍ ଅଟେ । ୨୦୦୧ରେ ଜୋହାନ୍ସବର୍ଗରେ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ୧୯୩ ରନର ଭାଗିଦାରୀ ହୋଇଥିଲା ।

ଅନ୍ୟପଟେ ଏହା ରୋହିତଙ୍କ ଦିନିକିଆରେ ପ୍ରଥମ ୱିକେଟ ପାଇଁ ୩୫ତମ ୧୦୦ ରନ ପାର୍ଟନରଶିପ ଇନିଂସ ଥିଲା । ତାଙ୍କ ଉପରେ କେବଳ ସଚିନ ତେନ୍ଦୁଲକର ୪୦ ପାର୍ଟନରଶିପ୍ ସହିତ ଅଛନ୍ତି । ସେପଟେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୨୦,୦୦୦ ରନ ପୂରଣ କରିବାରେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି । ସେ ତାଲିକାରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡଙ୍କ ସହ ଅଛନ୍ତି ।

ଆଜି ମ୍ୟାଚରେ କୁଲଦୀପ ଯାଦବ (୪/୪୧) ଏବଂ ପ୍ରସିଦ୍ଧ କୃଷ୍ଣ (୪/୬୬) ବୋଲିଂ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୭୦ ରନରେ ଅଲଆଉଟ୍ କରିଥିଲା । ଦ.ଆଫ୍ରିକା ପାଇଁ କ୍ୱିଣ୍ଟନ ଡି କକ୍ ସର୍ବାଧିକ ୧୦୬ ରନ୍ କରିଥିଲେ । ଅଧିନାୟକ ଟେମ୍ବା ବାଭୁମା ୬୭ ବଲରୁ ୫ ଚୌକା ସହ ୪୮ ରନ୍ କରିଥିଲେ ।

କୁଲଦୀପ (୧୧) ପୂର୍ବତନ ସ୍ପିନର ଅନିଲ କୁମ୍ବଲେ (୧୦) ଏବଂ ପୂର୍ବତନ ଦ୍ରୁତ ବୋଲର ଜାଭଗଲ ଶ୍ରୀନାଥ (୧୦)ଙ୍କୁ ପଛରେ ପକାଇ ଦିନିକିଆରେ ସର୍ବାଧିକ ଚାରି ୱିକେଟ୍ ଅକ୍ତିଆର କରିଥିବା ତୃତୀୟ ଭାରତୀୟ ବୋଲର ହୋଇଛନ୍ତି ।