ବାଇକ ଇଞ୍ଜିନ ଆଗରେ ଫେଲ୍‌ ଆମେରିକାର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ, ଇରାନୀ ଅସ୍ତ୍ରକୁ ମାତ ଦେବାକୁ ଆମେରିକା ଖର୍ଚ୍ଚ କରୁଛି ୪ ମିଲିୟନ ଡଲାର

NEWS7
gold-looted-from-an-woman-in-choudwar-case-two-arrested-by-police

ନୂଆଦିଲ୍ଲୀ: ବାଇକ ଇଞ୍ଜିନକୁ ଡରୁଛି ଆମେରିକା। ଆକାଶରେ ହଠାତ୍ ଶୁଭୁଛି ମୋଟର ସାଇକେଲର ସାଉଣ୍ଡ। ମାଟିରେ ପଡ଼ିବା ମାତ୍ରେ ରଚୁଛି ଧ୍ୱସଂଲୀଳା। ହାଇଆଲର୍ଟରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର। ଏ ସାଉଣ୍ଡ କଣ ଜାଣିଛନ୍ତି- ଇରାନର ଶସ୍ତା ଡ୍ରୋନର ଶବ୍ଦ। ଯାହା ଆଗରେ ଫେଲ୍ ଫାଓ୍ୱାରଫୁଲ ଡିଫେନ୍ସ ସିଷ୍ଟମ। ମାତ୍ର ୨୦ ହଜାର ଡଲାରରେ ଇରାନୀ ଅସ୍ତ୍ରକୁ ମାତ ଦେବାକୁ ଆମେରିକା ଖର୍ଚ୍ଚ କରୁଛି ୪ ମିଲିୟନ ଡଲାର ଅର୍ଥାତ ୩୬ କୋଟି ଟଙ୍କା। ଏକଥା ଯେକେହିବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଟ୍ରମ୍ପଙ୍କ ଧମକକୁ ଶସ୍ତା ଡ୍ରୋନରେ ଜବାବ ଦେଉଛି ରିଭୋଲ୍ୟୁସନାରୀ ଗାର୍ଡ। ଇରାନର ଗୋଟିଏ ଅସ୍ତ୍ର ଶାହେଦ-136, ଯିଏ ଦୋହଲାଇ ଦେଇଛି ଆମେରିକାର ଅର୍ଥନୀତି।

ଓଲଟିଯାଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ଗଣିତ। ଇରାନର ଓ୍ୱାର ଟେକ୍ନୋଲୋଜିକୁ ବୁଝିପାରୁନି ଆମେରିକା। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଇରାନ ଫାଶରେ ବାନ୍ଧି ହୋଇଯାଇଛି ଆମେରିକା। ନାଟୋ ନିର୍ମିତ ମହଙ୍ଗା ଏୟାର ଡିଫେନ୍ସ ବି ଧ୍ୱଂସ। ଯେଉଁ THAADକୁ ନେଇ ଗର୍ବ କରୁଥିଲା ଆମେରିକା, ତାକୁ ଧ୍ବଂସ କରିଦେଇଛି ଇରାନ୍। ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷାର ମୁଖ୍ୟ THAAD ଗୁରୁତର କ୍ଷତି ସହିଛି। ଏକାବେଳକେ ଚାରି ଚାରିଟା ଥାଡ୍ ଧ୍ୱଂସ ପରେ ଆମେରିକାର ମୁଣ୍ଡ ଗୋଲ। ଶସ୍ତା, କମର୍ସିଆଲ ଇଲେକ୍ଟ୍ରୋନିକ୍ସରୁ ନିର୍ମିତ ଶାହେଦ-136 ବର୍ତ୍ତମାନ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ଭାରୀ କ୍ଷତି ପହଞ୍ଚାଉଛି। ମୋଟରସାଇକେଲ ଇଞ୍ଜିନକୁ ବ୍ୟବହାର କରି ଇରାନ ତିଆରି କରିଛି ଏହି ମାରାତ୍ମକ ଡ୍ରୋନ। ପ୍ରତିହତ କରିବା ପାଇଁ ୪ ମିଲିୟନ ଡଲାରର ଇଣ୍ଟରସେପ୍ଟର ମିସାଇଲ ନିକ୍ଷେପ କରିବାକୁ ବାଧ୍ୟ ହେଉଛି ଆମେରିକା। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଚେତାବନୀ- ଆମେରିକାକୁ ଦେବାଳିଆ କରିଦେବ ଇରାନର ଶାହେଦ-136 ଡ୍ରୋନ।

ଶାହେଦ୍-୧୩୬। ଆକାଶର "ଲନମାୱର୍। ଆତ୍ମଘାତୀ ମିଶନ ପାଇଁ ହୋଇଛି ଡିଜାଇନ୍। ଏହା ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ ବି ଏହି ଡ୍ରୋନ୍ ନିର୍ମାଣ ଅତି ସରଳ। ଏହା ପ୍ରାୟ ୩.୫ ମିଟର ଲମ୍ବା ଏବଂ ୨.୫ ମିଟର ଡେଣା ବିଶିଷ୍ଟ ଏକ ଡେଲ୍ଟା-ୱିଙ୍ଗ ବିମାନ, ଯାହାର ଓଜନ ପ୍ରାୟ ୨୦୦ କିଲୋଗ୍ରାମ। ଏହାର ଟେକ୍ନୋଲୋଜି ବଜାରରେ ଉପଲବ୍ଧ ଉପାଦାନଗୁଡ଼ିକରୁ ନିର୍ମିତ। ଏଥିରେ ଚାରି-ସିଲିଣ୍ଡର, ଡବଲ-ଷ୍ଟ୍ରୋକ୍ MD-550 ପିଷ୍ଟନ୍ ଇଞ୍ଜିନ୍। ଏହି ଇଂଜିନକୁ ଉଡ୍ ପୁସର୍-ପ୍ରପେଲର ଚଲାଏ। ନାଭିଗେସନ୍ ପାଇଁ ଏହା GPS/GLONASS ଏବଂ ନାଭିଗେସନ୍ ସିଷ୍ଟମ୍ ବ୍ୟବହାର କରେ। ଯାହା ପ୍ରାୟତଃ ଲଞ୍ଚ ପୂର୍ବରୁ ପ୍ରୋଗ୍ରାମିଂ ହୋଇଥାଏ। ଯେତେବେଳେ ଏହା ଗତି କରେ, ମୋଟର ସାଇକେଲ ଇଞ୍ଜିନ ପରି ଗର୍ଜନ କରେ। ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୮୫ କିଲୋମିଟର। ଏହାର ପରିସର ୨ ହଜାର ରୁ ୨,୫୦୦ କିଲୋମିଟର। ଏହାକୁ ବହୁତ ଦୂର ଲକ୍ଷ୍ୟସ୍ଥଳରେ ଟାର୍ଗେଟକୁ ପହଞ୍ଚିବାକୁ ଅନୁମତି ଦିଏ। ଶାହେଦ୍ ୩୦ ରୁ ୫୦ କିଲୋଗ୍ରାମର ଉଚ୍ଚ-ବିସ୍ଫୋରକ ଫ୍ରାଗମେଣ୍ଟେସନ୍ ୱାରହେଡ୍ ବହନ କରେ, ଯାହା ପଡ଼ିବା ମାତ୍ରକେ ବଡ଼ ବିସ୍ଫୋରଣ ସୃଷ୍ଟି କରେ।

als0- ଇରାନୀ ଯୁଦ୍ଧ ମଡେଲ ଆପଣାଇଲା ତାଲିବାନ, ଡ୍ରୋନ୍ ହମଲାରେ ଦୋହଲିଲା ପାକିସ୍ତାନ

ଏହି ଡ୍ରୋନ୍ ସାଧାରଣ ରେଲ ଟ୍ରାକରୁ ଲଞ୍ଚ୍ କରାଯାଏ। ଏହା ଏକ ରକେଟ୍-ସହାୟିତ ଟେକ୍ଅଫ୍ (RATO) ବୁଷ୍ଟର ବ୍ୟବହାର କରେ, ଯାହା ପିଷ୍ଟନ୍ ଇଞ୍ଜିନ୍ ଆକ୍ଟିଭ ହେବା ପରେ ଅଲଗା ହୋଇଯାଏ। ଏହି ଡ୍ରୋନ୍ ରାଡାରକୁ ଏଡାଇବା ପାଇଁ କମ୍ ଉଚ୍ଚତାରେ ଉଡ଼ିପାରେ। ତା'ପରେ ଏହାର ଲକ୍ଷ୍ୟ ଆଡ଼କୁ ଉଚ୍ଚ ଗତିରେ ଡ୍ରାଇଭ୍ କରିପାରିବ। କିନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତ୍ୟେକ ବିମାନ ୟୁନିଟ୍ର ମୂଲ୍ୟ କେବଳ ୨୦ ହଜାରରୁ ୫୦ ହଜାର ଡଲାର ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି।

ଶାହେଦ-୧୩୬ର ବିପଦକୁ ଏଡାଇବା ପାଇଁ ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବି ଫେଲ। ଏହି କାରଣରୁ ଆମେରିକା ଏବଂ ସହଯୋଗୀ ବାହିନୀ ପ୍ରାୟତଃ ୨୦,୦୦୦ ଡଲାରର ଡ୍ରୋନକୁ ନଷ୍ଟ କରିବା ପାଇଁ ପ୍ରାୟ ୪ ନିୟୁତ ଡଲାର ମୂଲ୍ୟର ପାଟ୍ରିଅଟ୍ PAC-୩ ଇଣ୍ଟରସେପ୍ଟର ମିସାଇଲ୍ ବ୍ୟବହାର କରିବାକୁ ବାଧ୍ୟ ହେଉଛି। ଯଦି ଇଣ୍ଟରସେପ୍ଟ ନହେଲା, ଥରକରେ ୩୬ କୋଟି ଟଙ୍କା ପାଣିରେ ପଡ଼ିବା ସ୍ୱାହା।

କିଛି କ୍ଷେତ୍ରରେ, ଆହୁରି ମହଙ୍ଗା THAAD (ଟର୍ମିନାଲ ହାଇ ଅଲ୍ଟିଚ୍ୟୁଡ୍ ଏରିଆ ଡିଫେନ୍ସ) ଇଣ୍ଟରସେପ୍ଟର ମିସାଇଲ୍ ବ୍ୟବହାର କରାଯାଉଛି, ଯାହା ପ୍ରତି କ୍ଷେପଣାସ୍ତ୍ର ପାଇଁ ପ୍ରାୟ ୧୨ ନିୟୁତ ଡଲାର ମୂଲ୍ୟର। ଏହି ଯୁଦ୍ଧାସ୍ତ୍ର ଗଣିତରେ ଅସମାନତା ଆମେରିକାରେ ପ୍ରତିରକ୍ଷା ଅର୍ଥନୀତିରେ ସଙ୍କଟ ସୃଷ୍ଟି କରିଛି। କାରଣ ଇରାନର ପ୍ରତି ମାସରେ ପ୍ରାୟ ୧୦ ହଜାର ଡ୍ରୋନ ଉତ୍ପାଦନ କରିବାର କ୍ଷମତା ଅଛି। ୟୁକେ ବୈଦେଶିକ କାର୍ଯ୍ୟାଳୟ ଦ୍ୱାରା ସେଣ୍ଟର ଫର ଇନଫର୍ମେସନ୍ ରେଜିଲିଏନ୍ସ ଏହି ସୂଚନା ପ୍ରଦାନ କରିଛି।

କଥାଟି ଏତିକିରେ ସୀମିତ ହୋଇନି। ନିଜକୁ ସୁପରପାଓ୍ୱାର କହୁଥିବା ଆମେରିକା ଏବେ ୟୁକ୍ରେନର ସହାୟତା ଲୋଡିଛନ୍ତି। ଆଉ ୟାର କାରଣ ବି ଇରାନର ଡ୍ରୋନ୍। ଇରାନୀ ଡ୍ରୋନ ସାହେଦ୍-136ର ସମାନ ଏଡିସନ ବ୍ୟବହାର କରେ ଋଷ। ରୁଷୀୟ ଏଡିସନ ଗେରାନ-୨ ଡ୍ରୋନ ଭାବରେ ଜଣାଶୁଣା। ଏହାକୁ ୟୁକ୍ରେନ ଯୁଦ୍ଧରେ ବହୁଳ ଭାବରେ ବ୍ୟବହାର କରିଥିଲା ରୁଷୀୟ ସେନା। ୟୁକ୍ରେନୀୟ ଶକ୍ତି କେନ୍ଦ୍ର, ସହର ଏବଂ ଭିତ୍ତିଭୂମି ଉପରେ ଜୋରଦାର ଆକ୍ରମଣ କରିଥିଲା। ତେଣୁ ୟୁକ୍ରେନ ସେମାନଙ୍କ ସହିତ ଲଢ଼ିବାରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛି। ସେଥିପାଇଁ ଏବେ ଇରାନୀ ଡ୍ରୋନଗୁଡ଼ିକଠାରୁ ନିଜକୁ ରକ୍ଷା କରିବା ପାଇଁ ୟୁକ୍ରେନର ସାହାଯ୍ୟ ଲୋଡିଛନ୍ତି ଡୋନାଲ୍ଡ ଟ୍ରମ୍ପ।

୨୦୨୪ରୁ ୨୦୨୬ ମଧ୍ୟରେ ଶାହେଦରେ ଟେକ୍ନୋଲୋଜିର ବିକାଶ କରିଛି ଇରାନ। ଇରାନ ଏହି ଡ୍ରୋନ୍ ବ୍ୟବହାର କରି ଅନେକ ଉପସାଗରୀୟ ଦେଶ ଏବଂ ଆମେରିକୀୟ ଘାଟି ଉପରେ ଆକ୍ରମଣ କରିଛି। ଏଥିପାଇଁ ହାଇଆଲର୍ଟରେ ଇସ୍ରାଏଲ, ଆମେରିକା, ସାଉଦି ଆରବ, ୟୁଏଇ, କୁଏତ ଏବଂ ବାହାରିନ ଭଳି ପାଶ୍ଚାତ୍ୟ ଓ ଉପସାଗରୀୟ ଦେଶ। ରାତିରେ ଭୟ ଆଉ ଆଶଙ୍କା। କାରଣ ଏହି ଡ୍ରୋନ୍ ରାତିରେ ଉଡ଼ନ୍ତି ଏବଂ ବାୟୁ ପ୍ରତିରକ୍ଷାକୁ ଏଡ଼ାଇ ଆକ୍ରମଣ କରନ୍ତି। ସେପଟେ ଯୁଦ୍ଧକୁ ନେଇ ଚେତାବନୀ ଦେଇଛି ପେଣ୍ଟାଗନ। କହିଛି- ଯଦି ଇରାନ ସହିତ ଯୁଦ୍ଧ ଆଉ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ତେବେ ଆମେରିକୀୟ କ୍ଷେପଣାସ୍ତ୍ର ଭଣ୍ଡାର ଶେଷ ହୋଇଯିବ। ଆବୁଧାବିରେ ୟୁଏଇ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ପ୍ରେସ୍ ବ୍ରିଫିଂ ସମୟରେ ଇରାନ ଆକ୍ରମଣ ପରେ ଉଦ୍ଧାର ହୋଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଖଣ୍ଡଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା।

ଏହିଠାରୁ ବୁଝିପାରୁଥିବେ ଯୁଦ୍ଧ ବହିରେ ଥିବା ଟେକ୍ନୋଲୋଜିକୁ ବେଶ ଭଲ ଭାବେ ପଢ଼ିନେଇଛି ଇରାନ। କାହିଁକିନା ବିଶ୍ୱର ସବୁଠାରୁ ଉନ୍ନତ ସାମରିକ ବାହିନୀ ଏଯୁଦ୍ଧରେ ପଛଘୁଞ୍ଚା ଦେଉଛି। ଇରାନୀ ଡ୍ରୋନଗୁଡ଼ିକ ମଧ୍ୟପ୍ରାଚ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଆମେରିକା ଏବଂ ଇସ୍ରାଏଲ ଭଳି ଦେଶମାନଙ୍କ ପାଖରେ ବ୍ୟାପକ ସମ୍ବଳ ଅଛି, କିନ୍ତୁ ସେମାନେ ଏହି ଶସ୍ତା କିନ୍ତୁ ଘାତକ ଅସ୍ତ୍ରର ମୁକାବିଲା କରିବାକୁ ଅସମର୍ଥ।