କୋରାପୁଟ: ପାଠ ପଢ଼ିଲେ, ସ୍ୱପ୍ନ ଦେଖିଲେ। ହାତ ଧରା ଧରି ହୋଇ ଚାଲିବାର ଜିଦରେ ରହିଲେ। କିନ୍ତୁ ଅଲଗା କରିଦେଲା ପରିସ୍ଥିତି। ସ୍ୱପ୍ନକୁ ବି କରିଦେଲେ କକ୍ଷଚ୍ୟୁତ। ଇଂଜିନିୟର ହେବାର ସ୍ୱପ୍ନରେ କିଏ ହେଲା ବାଧକ। କିଏ ଧରାଇଦେଲା କୋଡ଼ି , କୋଦାଳ, ଆଉ ମୁଣ୍ଡରେ କଂକ୍ରିଟ୍ କଡ଼େଇ। ମୋନା –ସୁକାନ୍ତିଙ୍କ ଏ କାହାଣୀ। ଦୁଇଟି ଭଙ୍ଗା ହୃଦୟର ଏ କାହାଣୀ ନୁହେଁ। ସମାଜକୁ , ବ୍ୟବସ୍ଥାକୁ ଓ ଶାସନକୁ କାଠ ଗଡ଼ାକୁ ଟାଣିଲା ଭଳି ଘଟଣାର କାହାଣୀ। କିନ୍ତୁ ପୂରା ସତ କଥାଟି।

ସ୍ୱାମୀ-ସ୍ତ୍ରୀ... ଡିପ୍ଲୋମା ପାସ୍... ଜଣେ ସିଭିଲ୍ ତ ଆଉ ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କୋର୍ଷ କରିଛନ୍ତି। କିନ୍ତୁ ଦପ୍ତର ବଦଳରେ ବେଲଚା ଓ କଡ଼େଇ ଧରି ଜୁଝୁଛନ୍ତି। ଜୀବନ ଜିଇବାକୁ କରୁଛନ୍ତି ସଂଘର୍ଷ। ପାଠ ଅଟକି ଯାଇଛି। ସ୍ୱପ୍ନ ଭାଙ୍ଗି ଯାଇଛି। ସୁଖ ସବୁ ବଳି ପଡ଼ିଛି। ଭାଗ୍ୟର ଖେଳ ଆଗରେ ଦୁଇଟି ସୁନ୍ଦର ହୃଦୟର ମଣିଷ ପରାଜୟରେଲ ଗୁମୁରୁଛନ୍ତି।

କୋରାପୁଟ ବ୍ଲକ୍ ଡଙ୍ଗରି ଗ୍ରାମର ସୁକାନ୍ତି ପରଜା ଓ ମନୋ ମୁଦୁଲି। ପ୍ରେମ ବିବାହ ପରେ ଦୁହେଁ ଉଚ୍ଚଶିକ୍ଷା ଶେଷ କରି ଚାକିରି କରିବେ ବୋଲି ଦେଖିଥିଲେ ସ୍ୱପ୍ନ । ସୁକାନ୍ତି ଇଲେକ୍ଟ୍ରିକାଲ୍ ଡିପ୍ଲୋମା ଏବଂ ମନୋ ସିଭିଲ୍ ରେ ଡିପ୍ଲୋମା ପାସ୍ କରିଛନ୍ତି। ପରୀକ୍ଷାରେ ପାସ୍ ହେବା ପରେ କଲେଜରୁ ସାର୍ଟିଫିକେଟ୍ ନେବାକୁ ଡାକରା ଆସିଥିଲା। କିନ୍ତୁ କଲେଜର ବକେୟା ଫି ପୈଠ କରିବା ପାଇଁ ଦୁହିଁଙ୍କ ପରିବାର ପାଖରେ ନଥିଲା ଟଙ୍କା। ଦିନ ମଜୁରିଆ ବାପା ବହୁ କଷ୍ଟରେ ମନୋକୁ ପାଠ ପଢ଼ାଇଥିଲେ। ହେଲେ ସାର୍ଟିଫିକେଟ୍ ଆଣିବାକୁ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରିଲେ ନାହିଁ। ବର୍ଷ ପରେ ବର୍ଷ ବିତିଗଲା ପରିବାର ଉପରେ ଆଉ ବୋଝ ହେବାକୁ ନ ଚାହିଁ ବିବାହ ପରେ ଅଲଗା ରହିବା ଆରମ୍ଭ କଲେ ଉଭୟ। ପେଟ ପୋଷିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ମୁଣ୍ଡରେ ବାଲି ଓ ଗୋଡ଼ି ବୋହି ନିଜ ନିଜର ପରିବାର ଚଳାଉଛନ୍ତି।

ଡିପ୍ଲୋମା ପାସ୍ କରିଥିଲେ କିନ୍ତୁ ସାର୍ଟିଫିକେଟ୍ ପାଇନଥିଲେ। ସେଥିଲାଗି ଚାକିରି ପାଇଁ ଆବେଦନ କରି ପାରୁ ନଥିଲେ ଦୁହେଁ। ଆଉ ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ଶିକ୍ଷିତ ସ୍ଵାମୀ ସ୍ତ୍ରୀଙ୍କ ଏମିତି ଅବସ୍ଥା ଦେଖି ସ୍ଵେଚ୍ଛାସେବୀ ପୂରା ଘଟଣା ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଘଟଣା ସଂପର୍କରେ ଜାଣି ମନୋ ଓ ସୁକାନ୍ତିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିଲା। ସେମାନଙ୍କ ସମସ୍ୟା ଶୁଣିବା ସହ ସାର୍ଟିଫିକେଟ୍ ଫେରାଇ ଆଣିବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

 Also Read-ଦୀର୍ଘ ୧୦ ବର୍ଷ ଧରି ଚାଲିଥିଲା ଦେହ ବ୍ୟବସାୟ ! ଗ୍ରାହକ ପିଛା ନିଆଯାଉଥିଲା ଅତିରିକ୍ତ ୫୦୦ ଟଙ୍କା !

ଯଦି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ସପଲ ହେବ, ତେବେ ନିଶ୍ଚିତ ମନୋ ଓ ସୁକାନ୍ତୀଙ୍କ ଓଠରେ ହସ ଫେରିବ। ପୁଣି ସ୍ୱପ୍ନ ଜିଇଁ ଉଠିବ। ଲକ୍ଷ୍ୟ ହାସଲ ହେବ ସେମାନଙ୍କର। ଏହି ଆଶା ତ ନିଶ୍ଚୟ ଆମେ ରଖିବା। କିନ୍ତୁ ଏହା ସହ ଅନେକ ପ୍ରଶ୍ନ ବି ଉଠେ। ଏତେ ଯୋଜନା , ଏତେ ସହାୟତା ଆଉ ଶିକ୍ଷା ପାଇଁ ସରକାରଙ୍କ ଏତେ ଗୁରୁତ୍ୱ। ତଥାପି କାହିଁକି ମନୋ ଓ ସୁକାନ୍ତୀ ? ଏମିତି କେତେ ମନୋ- ସୁକାନ୍ତି ଅଛନ୍ତି ଆମ ସମାଜରେ? ଏହା ନ ସୁଧୁରିଲେ ଭବିଷ୍ୟତ ଭାରତ ଆମକୁ କ୍ଷମା ଦେବତ?