ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଏସଇର ଅନ୍-ସ୍କ୍ରିନ୍ ମାର୍କିଂ (OSM) ମୂଲ୍ୟାଙ୍କନ ପ୍ରକ୍ରିୟାରେ ହୋଇଥିବା ତ୍ରୁଟି ପାଇଁ ନିଜେ ଦାୟିତ୍ୱ ନେଇଛନ୍ତି । ଏଥି ସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅନିୟମିତତା ପାଇଁ ଯଦି କେହି ଜାଣିଶୁଣି ଦାୟୀ ଥାଆନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସିବିଏସଇ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରି ଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଓଏସଏମ୍ ପ୍ରକ୍ରିୟା ଅଧୀନରେ କରାଯାଉଥିବା ବଡ଼ ଧରଣର ସ୍କାନିଂକୁ ନେଇ ଶିକ୍ଷାବିତ୍ ଚିନ୍ତା ପ୍ରକାଶ କରିଥିଲେ । ଏତେ ବଡ଼ ପରିମାଣର ଉତ୍ତର ପତ୍ର ସ୍କାନ କରିବାର କ୍ଷମତା ସମ୍ପୃକ୍ତ କମ୍ପାନି ପାଖରେ ଅଛି କି ନାହିଁ ସେ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହି ଚିନ୍ତା ପରେ, କେନ୍ଦ୍ର ମନ୍ତ୍ରୀ ସିବିଏସଇ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଡିଜିଟାଲ ମୂଲ୍ୟାୟନ ପ୍ରଣାଳୀର ସମୀକ୍ଷା କରିବା ତଥା ଛାତ୍ର ଏବଂ ଶିକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ପାଇଁ ଆଇଆଇଟିର ଦୁଇଜଣ ବିଶେଷଜ୍ଞ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯେହେତୁ ପ୍ରଥମ ଥର ପାଇଁ ସିବିଏସଇ ଏତେ ବଡ଼ ସ୍ତରରେ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମ ଲାଗୁ କରିଛି, କିଛି ତ୍ରୁଟି ଦେଖାଦେଇଛି । କିନ୍ତୁ ସମସ୍ତ ତ୍ରୁଟି ସଂଶୋଧନ କରାଯିବ ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରାଯିବ ନାହିଁ ।

ମନ୍ତ୍ରୀ କହିଛନ୍ତି, "ଏହା ଏକ ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟା । ଯେହେତୁ ଏହା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଉଛି, କିଛି ବିସଙ୍ଗତି ସାମ୍ନାକୁ ଆସିଛି । ଏଗୁଡ଼ିକୁ ସଂଶୋଧନ କରାଯିବ ଏବଂ କୌଣସି ଛାତ୍ର ଅନ୍ୟାୟର ଶିକାର ହେବେ ନାହିଁ ।" ସେ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ୧୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଚାରି ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କର ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ କପି ପାଇଁ ଆବେଦନ କରିଥିଲେ ।

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଓଏସଏମ୍ ପ୍ରକ୍ରିୟାର ସମୀକ୍ଷା ଏବଂ ସୁଦୃଢ଼ କରିବା ପାଇଁ ଆଇଆଇଟି କାନପୁର ଏବଂ ଆଇଆଇଟି ମାଦ୍ରାସର ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଆଇଆଇଟି ବିଶେଷଜ୍ଞମାନେ ଡିଜିଟାଲ୍ ମୂଲ୍ୟାୟନ ପ୍ରଣାଳୀର ସଫ୍ଟୱେର୍ କୋଡିଂ ଏବଂ ବୈଷୟିକ ଦିଗଗୁଡ଼ିକୁ ଯାଞ୍ଚ କରୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, ଯଦି ଏହି ମାମଲାରେ କୌଣସି ବ୍ୟକ୍ତିଙ୍କ ଅବହେଳା ସାମ୍ନାକୁ ଆସେ, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍କାନିଂ ପ୍ରକ୍ରିୟା ସହିତ ଜଡିତ ଅଭିଯୋଗ ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ ଉତ୍ତର ପତ୍ର ସ୍କାନିଂରେ ସମ୍ପୃକ୍ତ କମ୍ପାନି ଦ୍ୱାରା କୌଣସି ଅନିୟମିତତା ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତଥାପି, ସେ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ବିରୁଦ୍ଧରେ ମଧ୍ୟ ଅପିଲ କରିଛନ୍ତି ।

ସ୍କାନିଂ ପ୍ରକ୍ରିୟା ଏବଂ ନିର୍ଭରଯୋଗ୍ୟତା ଉପରେ ପ୍ରଥମେ ଦିଲ୍ଲୀର ଶିକ୍ଷାବିତ୍ କେଶବ ଅଗ୍ରୱାଲ ପ୍ରଶ୍ନ ଉଠାଇଥିଲେ । ପ୍ରଶ୍ନ କରିଥିଲେ, ଏକ ଘରୋଇ କମ୍ପାନି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରାୟ ୪୦ କୋଟି ପୃଷ୍ଠାକୁ ସଠିକ୍ ଭାବରେ ସ୍କାନ କରିପାରିବ କି ? 

ଅନେକ ଛାତ୍ର ସେମାନଙ୍କ ସହିତ ସେୟାର କରାଯାଇଥିବା ଉତ୍ତର ପତ୍ରର ସ୍କାନ କପିରେ ବିସଙ୍ଗତି ଥିବା ଅଭିଯୋଗ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ମାର୍କ ହ୍ରାସ ପାଇଛି କିମ୍ବା ଉତ୍ତର ପତ୍ର ମେଳ ଖାଉନାହିଁ । ପୂର୍ବତନ ଏନସିଇଆରଟି ଅଧ୍ୟକ୍ଷ ଆରସି ରାଜପୁତ କହିଛନ୍ତି ଯେ ସିବିଏସଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା କରୁଥିବା ଏକ ବଡ଼ ପ୍ରତିଷ୍ଠାନ । ମୂଲ୍ୟାୟନ ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପ୍ରକ୍ରିୟାରେ ଯେକୌଣସି ତ୍ରୁଟିକୁ ଚିହ୍ନଟ କରାଯାଇ ତୁରନ୍ତ ସଂଶୋଧନ କରାଯିବା ଉଚିତ ।