ଭଦ୍ରକ: ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ଉପରେ ବର୍ଷିଲା ଧାମନଗର ବ୍ଲକ ବିଜେଡି। ଧୁସୁରୀଠାରେ ଏକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ଉପରେ ଅନେକ ଅଭିଯୋଗ ଆଣିଛି ଦଳ। ଜନ ପ୍ରତିନିଧିଙ୍କୁ ଅବହେଳା କରାଯାଉଥିବା ତଥା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ଏବଂ ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଆଣିଛି ଧାମନଗର ବ୍ଲକ ବିଜୁ ଜନତା ।
ଆହୁରି ମଧ୍ୟ କୁହାଯାଇଛି ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରୁ ୧୫ଟି ଗରିବ, ଭିନ୍ନକ୍ଷମ, ଅସହାୟ ମହିଳା, ଦୁରାରୋଗରେ ପୀଡ଼ିତ ବ୍ୟକ୍ତିକୁ ଛାତ ଘର ଯୋଗାଇ ଦେବା ପାଇଁ ନିୟମାବଳୀ ଥିଲେବି ଧାମନଗର ବ୍ଲକରେ ଜନ ପ୍ରତିନିଧିମାନଙ୍କ ପରାମର୍ଶକୁ ଅଣଦେଖା କରାଯାଉଛି। କ୍ଷେତ୍ର ପରିଦର୍ଶନ ନ କରି ତଥା ଠିକ୍ ଢଙ୍ଗରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସଠିକ ଚିହ୍ନଟ ନକରି, ଧାମନଗର ବିଡିଓ ଏକ ନିର୍ଦ୍ଧିଷ୍ଟ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରୁଥିବା ଅଭିଯୋଗ ହୋଇଛି।
ସେହିପରି ରେସନ୍ କାର୍ଡ ପାଇଁ ଅନଲାଇନ୍ ଓ ଅଫଲାଇନରେ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ କ୍ରମିକ ଅନୁସାରେ ତଦନ୍ତ ନ କରି ମନ ଇଚ୍ଛା ଦଳୀୟ ଭିତ୍ତିରେ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି।
ସେହିଭଳି ନୂତନ ସରକାରରକୁ ଦଶ ମାସ ନପୁରୁଣୁ ଧାମନଗରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆଣିଛି ବିଜେଡି। ପୋଲିସ ସରକାରୀ ଦଳର ଚାପରେ ଅନୈତିକ କାର୍ଯ୍ୟକଳାପ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଧାମନଗର ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।